ବ୍ରହ୍ମପୁର(କ୍ଷୀରସିନ୍ଧୁ ମହାନ୍ତି): ନୃତ୍ୟ ତାଙ୍କ ଭାଷା, ନୃତ୍ୟ ତାଙ୍କ ଅଭିଳାଷା। ନୃତ୍ୟ ତାଙ୍କ ପରିଚୟ, ନୃତ୍ୟ ତାଙ୍କ ପାଇଁ ସମ୍ମାନ। ଶାସ୍ତ୍ରୀୟ ନୃତ୍ୟ ପ୍ରତି ତାଙ୍କର ପ୍ରେମକୁ ଭାଷାରେ ବର୍ଣ୍ଣନା କରିବା କଷ୍ଟକର। ଗଞ୍ଜାମର ରାଧେଶ୍ୟାମ। ତାଙ୍କ ନାଁରେ ଲାଳିତ୍ୟ। ପୁରୁଷ ଶରୀର; କିନ୍ତୁ ମଞ୍ଚରେ ତାଙ୍କ ନାରୀ ରୂପ ଦର୍ଶକଙ୍କୁ ମୋହାଛନ୍ନ କରେ। ତାଙ୍କ ଓଡ଼ିଶୀ, ଭାରତ ନାଟ୍ୟମ ଓ କୁଚିପୁଡ଼ିରେ ଦର୍ଶକ ତଲ୍ଲୀନ ହୋଇଯାଏ। ସତରେ ଯିଏ ତାଙ୍କୁ ନୃତ୍ୟ କରିବାର ଦେଖିଛି, ବାରମ୍ବାର ଦେଖିବାକୁ ଝୁରିଛି।
ଆଧୁନିକତାରେ ନୃତ୍ୟ, ସଂଗୀତ, କଳା ଓ ସଂସ୍କୃତି ସବୁଥିରେ ପରିବର୍ତ୍ତନ ଆସିଛି। ଅନେକ ଆଧୁନିକତାର ସ୍ରୋତରେ ଭାସିଯାଇଥିବା ବେଳେ କିଛି ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତର ଉପାସନା କରୁଛନ୍ତି। ଏହାକୁ ବଞ୍ଚାଇ ରଖିବା ପାଇଁ ନିଜକୁ ସମର୍ପି ଦେଇଛନ୍ତି। ସେମିତି ଜଣେ ସମର୍ପିତ କଳାକାର ଗଞ୍ଜାମ ଭାଟକୁମରଡ଼ା ଗ୍ରାମର ରାଧେଶ୍ୟାମ ତରାଇ। ସତରେ ନୃତ୍ୟ ପ୍ରତି ପ୍ରେମ ତାଙ୍କୁ ନାରୀ ବେଶରେ ସଜ୍ଜାଇ ଦିଏ। ଦେଖିବା ଲୋକ ବି ଭାବିବ ଅପରୂପା ଅପସରୀ ଓହ୍ଲାଇ ଆସିଛି।
ଗଞ୍ଜାମ ଜିଲ୍ଲା ଭାଟକୁମରଡ଼ା ଗ୍ରାମର ଘୁଡ଼୍କି ସଖୀନୃତ୍ୟ ଗୁରୁ ନୀଳକଣ୍ଠ ତରାଇ ଓ ମା ରମାଦେବୀ ତରାଇଙ୍କ ସାନ ପୁଅ ହେଉଛନ୍ତି ରାଧେଶ୍ୟାମ। ପିଲାଦିନୁ ବାପାଙ୍କ ସହ ମିଶି ସେ ଘୁଡ଼୍କି ନୃତ୍ୟ ବିଭିନ୍ନ ସ୍ଥାନରେ ପରିବେଷଣ କରୁଥିଲେ। ଏଥିସହ ସଖୀ ନାଟରେ ନର୍ତ୍ତକୀ ଭାବେ ଅନେକ ପ୍ରଶଂସା ସାଉଁଟିଥିଲେ। ପରବର୍ତ୍ତୀ ସମୟରେ ସେ ଗୁରୁ ସତ୍ୟବାଦୀ ସାହୁଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷାଲାଭ କରିଥିଲେ। ଏହାପରେ ଦକ୍ଷିଣ ଭାରତର ଶାସ୍ତ୍ରୀୟ ନୃତ୍ୟ ପ୍ରତି ଅଧିକ ଆକର୍ଷିତ ହୋଇ, ସେ କଳାକ୍ଷେତ୍ର ଫାଉଣ୍ଡେସନ୍ ଚେନ୍ନାଇରୁ ଭାରତନାଟ୍ୟମରେ ଡ଼ିଗ୍ରୀ ହାସଲ କଲେ। ସେହିଭଳି ତେଲୁଗୁ ବିଶ୍ୱବିଦ୍ୟାଳୟରୁ କୁଚିପୁଡ଼ି ନୃତ୍ୟ କ୍ଷେତ୍ରରେ ମଧ୍ୟ ସାଧନା କରି ଡିଗ୍ରୀ ପାଠ୍ୟକ୍ରମ ସାରିଥିଲେ।
ବୟସ ହେବା ପରେ ଜଣେ ପୁଅ, ଝିଅ ଭାବରେ ଅଭିନୟ କରିବା ଅବା ନାଚିବା ସମ୍ଭବ ହୋଇନଥିଲେ ହେଁ ରାଧେଶ୍ୟାମଙ୍କ ମୁହଁରେ ଔଜଲ୍ୟ ଓ ଆଖିର ଆକର୍ଷଣ ପାଇଁ ତାଙ୍କ ଗୁରୁ ନର୍ତ୍ତକୀ ଭାବରେ ହିଁ ନୃତ୍ୟ ଶିଖିବା ଓ ଅଭିନୟ କରିବାକୁ ସେତେବେଳେ ପରାମର୍ଶ ଦେଇଥିଲେ। ସମ୍ପ୍ରତି ୧୦ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ସେ ଭାରତାନାଟ୍ୟମ ଓ କୁଚିପୁଡ଼ି ନୃତ୍ୟ ଦେଶ ବିଦେଶରେ ପରିବେଷଣ କରି ଅନେକ ପ୍ରଶଂସା ଆଣିଛନ୍ତି। ବିଶେଷ କରି ଅଲ୍ ଇଣ୍ଡିଆ ଫେଷ୍ଟିଭାଲ୍, କୋଣାର୍କ ମହୋତ୍ସବ, ମୁମ୍ବାଇର ଗାନ୍ଧୀ ମହୋତ୍ସବ, ଆନ୍ତର୍ଜାତୀୟ ମହୋତ୍ସବ ଆଦିରେ ନୃତ୍ୟ ପରିବେଷଣ କରିଛନ୍ତି। ୨୦୧୭ ମସିହାରେ କୁଚିପୁଡ଼ି ନୃତ୍ୟ ପାଇଁ ସେ ସମ୍ମାନ ଜନକ ପୁରସ୍କାର ମଧ୍ୟ ହାସଲ କରିଥିଲେ। ଯାହା ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଥିଲା।
ବର୍ତ୍ତମାନ ସେ ବ୍ରହ୍ମପୁର ଓ ଆଖପାଖ ଅଞ୍ଚଳରେ ବହୁ ବିଦ୍ୟାର୍ଥୀଙ୍କୁ ଓଡ଼ିଶୀ, ଭାରତନାଟ୍ୟମ, କୁଚିପୁଡ଼ି ଉପରେ ଶିକ୍ଷାଦାନ କରୁଛନ୍ତି। ତାଙ୍କ ଦ୍ୱାରା ଅନେକେ ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟ ଶିଖୁଛନ୍ତି। ଦକ୍ଷିଣ ଭାରତର ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ବିଶେଷ ଦୁର୍ବଳତା ରଖିଥିବା ରାଧେଶ୍ୟାମ କର୍ଣ୍ଣାଟକୀ ତାଳ ବାଦ୍ୟ ଚିହ୍ନିବାରେ ଜଣେ ଧୂରୀଣ ବ୍ୟକ୍ତିତ୍ୱ ମଧ୍ୟ। ଏହି ତାଳର ରାଗ, ଧ୍ୱନୀ ସବୁବେଳେ ତାଙ୍କ ମନରେ ଗୁଞ୍ଜରି ଉଠେ। ଗାଁ ସ୍କୁଲରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ସରିବା ପରେ ସେ ବ୍ରହ୍ମପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ଉଚ୍ଚଶିକ୍ଷା ହାସଲ କରିଥିଲେ। ତତ୍ପରେ ସେ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ପାଇଁ ଚେନ୍ନାଇ ଚାଲି ଯାଇଥିଲେ। ଲୋକକଳାର ସାଧନା କରୁ କରୁ ସେ ଶାସ୍ତ୍ରୀୟ ସଙ୍ଗୀତର ସାଧକ ପାଲଟିଗଲେ। ଏକଥା ସମସ୍ତଙ୍କୁ ଆଚମ୍ବିତ କରିଥିଲେ ହେଁ ତାଙ୍କ ନୃତ୍ୟ ପରିବେଷଣର ଶୈଳୀ, ଚାହାଣୀ, ଢଙ୍ଗ, ତାଳ ବାଦ୍ୟର ଯାଦୁ ସମସ୍ତଙ୍କୁ ବାନ୍ଧି ରଖେ। ସମ୍ପ୍ରତି ଯୁବପିଢି ପଥଭ୍ରଷ୍ଟ ନ ହୋଇ ସଂସ୍କୃତି ଓ ପରମ୍ପରା ବଞ୍ଚାଇ ରଖିବା ସହ ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ଧାରଣା ରଖିବା ଜରୁରୀ ବୋଲି ରାଧେଶ୍ୟାମ କହିଛନ୍ତି।