ପଞ୍ଚାୟତ ନିର୍ବାଚନ: ଚର୍ଚ୍ଚାରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ

ବ୍ରହ୍ମପୁର: ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡ଼ିର ଗଡ଼଼ ଗଞ୍ଜାମ ଏବେ ଉଷ୍ମ ହେବାରେ ଲାଗିଛି। ନୂଆ ସମୀକରଣର ଆଭାସ ମଧ୍ୟ ମିଳୁଛି। ସବୁଠାରୁ ଅଧିକା ଚର୍ଚ୍ଚାରେ ରହିଛି ଗୋପାଳପୁର ନିର୍ବାଚନ ମଣ୍ଡଳୀ। ଝିକା ଝିକି ଭୋଟ ବ୍ୟବଧାନରେ ପ୍ରାର୍ଥୀ ଜିତୁଥିବାରୁ ଏହି ନିର୍ବାଚନ ମଣ୍ଡଳୀ ଉପରେ ସାରା ରାଜ୍ୟବାସୀଙ୍କ ନଜର। ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡ଼ିରୁ ବିଦା ହେବା ପରେ ଗୋପାଳପୁର ଏବେ ଚର୍ଚ୍ଚାର ଶୀର୍ଷରେ ପହଞ୍ଚିଛି। ଏଠାରେ ଉଭୟ ବିଜେଡ଼ି ଓ ବିଜେପି ଦଳର ସଂଗଠନ […]

ବ୍ରହ୍ମପୁର: ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡ଼ିର ଗଡ଼଼ ଗଞ୍ଜାମ ଏବେ ଉଷ୍ମ ହେବାରେ ଲାଗିଛି। ନୂଆ ସମୀକରଣର ଆଭାସ ମଧ୍ୟ ମିଳୁଛି। ସବୁଠାରୁ ଅଧିକା ଚର୍ଚ୍ଚାରେ ରହିଛି ଗୋପାଳପୁର ନିର୍ବାଚନ ମଣ୍ଡଳୀ। ଝିକା ଝିକି ଭୋଟ ବ୍ୟବଧାନରେ ପ୍ରାର୍ଥୀ ଜିତୁଥିବାରୁ ଏହି ନିର୍ବାଚନ ମଣ୍ଡଳୀ ଉପରେ ସାରା ରାଜ୍ୟବାସୀଙ୍କ ନଜର। ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡ଼ିରୁ ବିଦା ହେବା ପରେ ଗୋପାଳପୁର ଏବେ ଚର୍ଚ୍ଚାର ଶୀର୍ଷରେ ପହଞ୍ଚିଛି। ଏଠାରେ ଉଭୟ ବିଜେଡ଼ି ଓ ବିଜେପି ଦଳର ସଂଗଠନ ମଜ୍‍ବୁତ୍‍ ରହିଛି। ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୫୩ନମ୍ବର ଜିଲ୍ଲା ପରିଷଦ ଜୋନ୍‍ ଦୀର୍ଘ ୧୦ବର୍ଷ ଧରି ବିଜେପି ଅକ୍ତିଆରରେ ରହିଛି। ଜିଲ୍ଳା ପରିଷଦ ଆସନରେ ବାଜିମାତ୍‍ କରି ଏହାକୁ ନିଜ ଗଡ଼଼ ବୋଲି ପ୍ରମାଣିତ କରୁଛି ବିଜେପି।

ଚଳିତ ନିର୍ବାଚନ ପାଇଁ ଏହି ଜୋନ୍‍ଟି ମହିଳାଙ୍କ ନିମନ୍ତେ ସଂରକ୍ଷିତ ରହିଛି। ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ମଧ୍ୟ ସରିଛି। ବିଜେପି ଗଡ଼଼ରେ ବାଜିମାତ୍‍ କରିବାକୁ ବିଜେଡ଼ି ପକ୍ଷରୁ ଋଣକୌଶଳ ଆରମ୍ଭ ହୋଇଯାଇଛି। ରାଜନୀତିରେ ଅଭିଜ୍ଞ, ଲୋକପ୍ରିୟ ଓ ଜନାଦୃତ ନେତ୍ରୀ ଏସ୍‍. ରାଜେଶ୍ୱରୀ ଦୋରାଙ୍କୁ ବିଜେଡ଼ି ଏଠାରେ ଜିଲ୍ଳା ପରିଷଦ ସଭ୍ୟ ଭାବେ ପ୍ରାର୍ଥୀ କରିଛି। ଗଞ୍ଜାମରେ ପ୍ରଥମ କରି ଜିଲ୍ଲା ପରିଷଦ ନିର୍ବାଚନ ଆରମ୍ଭ ପରେ ୫୩ନମ୍ବର ଜୋନ୍‍ରେ ରାଜେଶ୍ୱରୀ ପ୍ରଥମ ଜିଲ୍ଳା ପରିଷଦ ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ। ପରେ ହଳଦିଆପଦର ପଞ୍ଚାୟତରେ ସମିତି ସଭ୍ୟ ଓ ସରପଞ୍ଚ ଭାବେ ମଧ୍ୟ ନିର୍ବାଚିତ ହୋଇଛନ୍ତି ରାଜେଶ୍ୱରୀ। ବିଜେପି ଗଡ଼଼ ହାତେଇବାକୁ ବିଜେଡ଼ି ଏଠାରେ ଏକ ଟାଣୁଆ ନେତ୍ରୀଙ୍କୁ ପ୍ରାର୍ଥୀ କରି ନିଜ ଗୋଟି ଚାଳନା ଆରମ୍ଭ କରିଦେଇଛି।

ସେହିଭଳି ବିଜେପି ମଧ୍ୟ ନିଜ ଗଡ଼଼ ବଞ୍ଚାଇବା ପାଇଁ କାଜଲ ପାତ୍ରଙ୍କୁ ଏଠାରେ ଜିଲ୍ଳା ପରିଷଦ ପ୍ରାର୍ଥୀ କରିଛି। କାଜଲ୍‍ ପୂର୍ବରୁ କନିଷି ପଞ୍ଚାୟତରେ ସମିତି ସଭ୍ୟା ହୋଇଥିଲେ। ରାଜନୀତିରେ ସେ ଏକ ପୁରୁଣା ଚେହେରା। ବର୍ତ୍ତମାନ ଏଠାରେ ଉଭୟଙ୍କ ମଧ୍ୟରେ ଘମାଘଟ ପ୍ରତିଦ୍ୱନ୍ଦ୍ୱିତା ହେବ। ବିଶ୍ୱନାଥପୁର, ମନ୍ତ୍ରୀଡ଼ି, କୋଠାରିସିଙ୍ଗ, ଗୋଳନ୍ଥରା, ରଣ୍ଢା, ଶାସନପଦର, ମେଣ୍ଡରାଜ୍‍ପୁର, କନିଷି, ଚାନ୍ଦପୁର, ହଳଦିଆପଦର ଓ ରଙ୍ଗୀପୁର ପଞ୍ଚାୟତକୁ ନେଇ ଗଠିତ ଏହି ଜୋନ୍‍ ଏବେ ବିଜେପି ହାତରେ ରହିଛି। ଗତ ପଞ୍ଚାୟତ ନିର୍ବାଚନରେ ଏହି ଜୋନ୍‍ରେ ବିଜେପିର ବିନୋଦ ମିଶ୍ର ୧୫୨ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ।

ସେହିଭଳି ୨୦୧୨ପଞ୍ଚାୟତ ନିର୍ବାଚନରେ ମଧ୍ୟ ବିଜେପିର ଡ଼ମ୍ବୁରୁ ରେଡ଼ି ଏଠାରେ ଜିଲ୍ଳା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ପ୍ରାୟ ୧ଲକ୍ଷ ୬୦ହଜାର ଭୋଟର ରହିଥିବାବେଳେ ଏହାର ହୃଦୟ ହେଉଛି ରଙ୍ଗେଇଲୁଣ୍ଡା ବ୍ଲକ। ୩୨ଟି ପଞ୍ଚାୟତକୁ ନେଇ ଗଠିତ ଏହି ବ୍ଲକରେ ୫୩ନମ୍ବର ଜୋନ୍‍ ପାଇଁ ବିଜେପି ଓ ବିଜେଡ଼ି ଦଳ ମଧ୍ୟରେ କଡ଼ା ଟକ୍କର ହେବାର ନଜିର ରହିଛି। ଏହି ଜୋନ୍‍ଟି ବିଜେପି ଜିଲ୍ଳା ସଭାପତି ବିଭୂତି ଜେନା, ବିଜେଡ଼ିର ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ସିଏଚ୍‍. ଭାରତୁ, ବ୍ଲକ ଅଧ୍ୟକ୍ଷା ସିଏଚ. ଉଷାରାଣୀଙ୍କ ବାସସ୍ଥାନ ହୋଇଥିବାରୁ ଏହା ଏବେ ବିଜେଡ଼ି ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗଣଶିକ୍ଷା ମନ୍ତ୍ରୀ ଥିବା ସମୟରେ ମଧ୍ୟ ଏଠାରେ ବିଜେପି ବାଜିମାତ୍‍ କରିଥିଲା। ସେ ଏବେ ବିଜେଡ଼ିରୁ ବିଦା ହୋଇଛନ୍ତି। ବିଜେଡ଼ି ଏବେ ନୂଆ ପୁରଣାକୁ ଏକାଠି କରିବାରେ ସକ୍ଷମ ହୋଇଛି। ବିଜେପି ଅକ୍ତିଆରରେ ଥିବା ଏହି ଜୋନ୍‍ର ଦୁଇଟି ପଞ୍ଚାୟତର ସରପଞ୍ଚକୁ ବିଜେଡ଼ି ଜୋନ୍‍ରେ ସାମିଲ କରିବାରେ ସେ ସକ୍ଷମ ହୋଇଥିଲେ ହେଁ ଏଠାରେ ହାଇପ୍ରୋଫାଇଲ୍‍ ଲଢ଼େଇ ଥୟ। ବିଜେଡ଼ିର ପ୍ରାର୍ଥୀ ରାଜେଶ୍ୱରୀ ଓ ବିଜେପିର କାଜଲ୍‍ ଉଭୟ ଉଚ୍ଚଶିକ୍ଷିତା ଓ ରାଜନୀତିରେ ବେଶ୍‍ ଅଭିଜ୍ଞ। ଉଭୟଙ୍କ ପାଇଁ ଏହା ଅଗ୍ନୀ ପରୀକ୍ଷା ସଦୃଶ। ଚଳିତ ନିର୍ବାଚନରେ ଏହି ଜୋନ୍‍ଟି କାହା ହାତକୁ ଯିବ ତାହା ସ୍ପଷ୍ଟ ହେଉନାହିଁ। ଭୋଟରଙ୍କୁ ମନେଇବାରେ ଉଭୟ ଦଳର ପ୍ରାର୍ଥୀ କସରତ ଆରମ୍ଭ କରିଦେଇଛନ୍ତି। ପ୍ରତି ନିର୍ବାଚନରେ ଜନପ୍ରିୟ ଚେହେରାକୁ ନିର୍ବାଚିତ କରୁଥିବା ଏହି ଜୋନ୍‍ର ବାସିନ୍ଦା ଚଳିତ ନିର୍ବାଚନରେ କାହା ଉପରେ ଭରଷା ପ୍ରକଟ କରିବେ ତାହା ସମୟ ହିଁ କହିବ।

About The Author: The Sakala