ଦିଗପହଣ୍ଡି: ଦିଗପହଣ୍ଡି ପୁଲିସ ଜଣେ ନକଲି ଡାକ୍ତରଙ୍କୁ ଗିରଫ କରି ଥାନାରେ ଅଟକ ରଖିବା ସହ ତଦନ୍ତ ଚଳାଇଛି। ଅଭିଯୁକ୍ତ ନକଲି ଡାକ୍ତର ଜଣକ ହେଲେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସଣ୍ଡା ଗ୍ରାମର ଶୁଭ୍ରଜିତ୍ ପଣ୍ଡା। ଛଣମେରି ଗ୍ରାମର ସିମାଞ୍ଚଳ ସାହୁଙ୍କ ଏତଲା କ୍ରମେ ଥାନାରେ ମାମଲା ରୁଜୁ ହୋଇଛି। ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଦିଗପହଣ୍ଡି ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଜଣାଇଛନ୍ତି।
ଅଭିଯୁକ୍ତ ଶୁଭ୍ରଜିତ ଯୁକ୍ତ ୨ ପାଠ ପଢ଼଼ିଛନ୍ତି। ଗତ ୬ ବର୍ଷ ହେଲା ନିଜକୁ ଡାକ୍ତର ପରିଚୟ ଦେଇ ଡେଙ୍ଗାଓସ୍ତା ଗ୍ରାମର ଅଶୋକ କ୍ଲିନିକରେ ରୋଗୀ ଚିକିତ୍ସା କରି ଆସୁଥିଲେ। ଛଣମେରୀ ଗ୍ରାମର ସିମାଞ୍ଚଳ ସାହୁଙ୍କ ମାଆଙ୍କ ଦେହ ଖରାପ ହେବାରୁ ଡେଙ୍ଗାଓସ୍ତା ଗ୍ରାମର ଅଶୋକ କ୍ଲିନିକ୍ରେ ଭର୍ତ୍ତି କରିଥିଲେ। ନକଲି ଡାକ୍ତର ଶୁଭ୍ରଜିତ ତାଙ୍କୁ ଚିକିତ୍ସା କରିବା ସହ କିଛି ଇଞ୍ଜେକସନ ଓ ଔଷଧ ଦେଇଥିଲେ। ଔଷଧର ପାର୍ଶ୍ବ ପ୍ରତିକ୍ରିୟା ଯୋଗୁଁ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ପୁଲିସ ଅଭିଯୁକ୍ତ ନକଲି ଡାକ୍ତରଙ୍କ ନିକଟରୁ ବିଭିନ୍ନ ମେଡିକାଲ କଲେଜର ନକଲି ସାର୍ଟିଫିକେଟ ଏବଂ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ସେ ରହୁଥିବା ଘର ସମେତ କ୍ଲିନିକରେ ପୁଲିସ ଚଢ଼ଉ କରିବା ସହ ତାଙ୍କ ପୈତୃକ ଘର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସଣ୍ଡ ଗ୍ରାମର ଘରେ ମଧ୍ୟ ଚଢ଼ଉ କରିଛି।
ନିଜକୁ ଦିଲ୍ଲୀ AIIMSର ଅଭିଜ୍ଞ ଡାକ୍ତର କହି ଚଲାଇଥିଲେ ଚିକିତ୍ସା ଆଉ ପାଉଥିଲେ ମୋଟା ଅଙ୍କର ଟଙ୍କା । ପୂର୍ବରୁ 2020 ମସିହାରେ WHOର ସଦସ୍ୟ କହିବାରୁ ତେଲେଙ୍ଗାନା ପୋଲିସ ଗିରଫ କରିଥିଲା । ଗୋଟିଏ ରୋଗୀକୁ ପାଞ୍ଚ ମିନିଟ୍ ଦେଖିବା ପାଇଁ 300 ଟଙ୍କା ଫିସ୍ ବି ନେଉଥିଲେ ।