ପାତ୍ରପୁର(ବଦ୍ରୀ ନାରାୟଣ ରଣା): ଶିକ୍ଷାଗ୍ରହଣ ମଣିଷ ପାଇଁ ଅପରିହାର୍ଯ୍ୟ। ଏ କ୍ଷେତ୍ରରେ ଦିନକୁ ଦିନ ମଣିଷ ଆଗକୁ ବଢ଼ୁଛି। ପ୍ରଯୁକ୍ତିବିଦ୍ୟାର ଦ୍ରୁତ ଅଗ୍ରଗତିରେ ମଣିଷ ତା’ର ଅସ୍ତିତ୍ୱ ଖୋଜି ନିଜକୁ ସତର୍କ କରୁଛି। ଦୁନିଆରେ ଯେତେସବୁ ଜିନିଷ ମଣିଷ ଦ୍ୱାରା ନିର୍ମିତ ହୋଇଛି ତାହା ବିଭିନ୍ନ କ୍ଷେତ୍ରରେ କାମରେ ଆସୁଛି। ଏ ଦିଗରେ କେବଳ ସହର ନୁହେଁ ବରଂ ଉପାନ୍ତ ଅଞ୍ଚଳ ମଧ୍ୟ ସାମିଲ ହେଉଛି।
ଗାଁଠୁ ସହର ମୋବାଇଲର ପ୍ରଚଳନ ଓ ଅନଲାଇନ ଶିକ୍ଷା ନୂଆ ଦିଶା ଆଣିଥିବା ବେଳେ ଏହାକୁ ଅନେକ ସକାରାତ୍ମକ ଭାବେ ଗ୍ରହଣ କରି ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିଛନ୍ତି। ତନ୍ମଧ୍ୟରୁ ଉପାନ୍ତର ଅଜିତ ଅନ୍ୟତମ। ଏକଦା ୟୁ-ଟ୍ୟୁବ୍ ମାଧ୍ୟମରେ ଯୁକ୍ତଦୁଇ ଓ ଯୁକ୍ତତିନି ଛାତ୍ରଛାତ୍ରୀଙ୍କୁ ଶିକ୍ଷାପ୍ରଦାନ କରିବା ଲକ୍ଷ୍ୟରେ ଏକ ଚ୍ୟାନେଲ ଆରମ୍ଭ କରିଥିଲେ। ଲକ୍ଷ୍ୟ ଥିଲା ଭିଡିଓ ମାଧ୍ୟମରେ ଶିକ୍ଷା ପ୍ରଦାନ କରିବା। ଏହି ଶିକ୍ଷା ପ୍ରଦାନ ଆଜି ତାଙ୍କୁ ଜାତୀୟସ୍ତରର ସମ୍ମାନ ଦେଇଛି। ଇଚ୍ଛାଶକ୍ତି ଓ ଅକ୍ଲାନ୍ତ ପରିଶ୍ରମ ଆଗରେ ସବୁ କିଛି ସମ୍ଭବ ବୋଲି ପ୍ରମାଣିତ କରିଛନ୍ତି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର ଅଜିତ। ଉପାନ୍ତରେ ଥିବା ପାତ୍ରପୁର ବ୍ଲକ ଅନ୍ତର୍ଗତ ରାଜପୁର ଗ୍ରାମର ବିଜୟ ମଲ୍ଲିକ ଓ ଝୁନୁଲତାଙ୍କ ପୁଅ ଅଜିତ। ନୂଆଦିଲ୍ଲୀ ସ୍ଥିତ ଏକ ବେସରକାରୀ ସଂସ୍ଥାରେ କାମ କରୁଥିବା ବେଳେ ସେଠାକାର ବାତାବରଣରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ଯୋଗୁଁ ସେ କାମ ଛାଡ଼ି ଗ୍ରାମକୁ ଫେରିଆସିଥିଲେ। ପଦାର୍ଥ ବିଜ୍ଞାନରେ ଏମ୍ଏସସି ଶିକ୍ଷା ଗ୍ରହଣ କରିଥିବା ଅଜିତ ୟୁ-ଟ୍ୟୁବ୍ ମାଧ୍ୟମରେ +୨ ଓ +୩ ଛାତ୍ରଛାତ୍ରୀଙ୍କୁ ପଦାର୍ଥ ବିଜ୍ଞାନ ଶିକ୍ଷା ପ୍ରଦାନ କରିବା ପାଇଁ ଚିନ୍ତା କରି ‘ଫିଜିକ୍ସ ୱିଥ୍ ଅଜିତ୍’ ନାମକ ଏକ ୟୁ-ଟ୍ୟୁବ୍ ଚ୍ୟାନେଲ୍ ଗତ ମେ ମାସ ୨୭ତାରିଖରେ ଆରମ୍ଭ କରିଥିଲେ। ଏକ ମାସ ମଧ୍ୟରେ ଏକକ ଓ ମାତ୍ରା, କ୍ୱାଣ୍ଟମ୍ ମେକାନିକ୍, କ୍ଲାସିକ୍ ମେକାନିକ୍, ବିଦ୍ୟୁତ୍ କ୍ଷେତ୍ର, କୁଲମଙ୍କ ନିୟମ ଭଳି ବିଭିନ୍ନ ବିଷୟରେ ୫୪ଟି ଭିଡିଓ ସେ ଅପଲୋଡ କରିଥିବା ବେଳେ ତାଙ୍କ ନାମ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି। ଆଜିର ମୋବାଇଲ ଯୁଗରେ ଯୁଗବର୍ଗଙ୍କ ପାଇଁ ଅଜିତ୍ ନିଶ୍ଚିତଭାବେ ପ୍ରେରଣା ପାଲଟିଛନ୍ତି। ସେ ସଫଳତାର ଶ୍ରେୟ ନିଜ ବାପା, ମା’ଙ୍କୁ ଦେଇଛନ୍ତି।