ଏଣିକି ଜୁଆ ଖେଳିଲେ ଜେଲ୍‌ ଯିବେନି ଜୁଆଡ଼ି, ଦେବେ କେବଳ ୫ ହଜାର ଟଙ୍କା ଜରିମାନା

ଭୁବନେଶ୍ୱର: ଜୁଆ ଖେଳ ପାଇଁ ଆଉ ଜେଲ ଯିବାକୁ ପଡ଼ିବ ନାହିଁ। ଦଣ୍ଡସ୍ୱରୂପ ୫ ହଜାର ଟଙ୍କା ଦେଇ ଅଭିଯୁକ୍ତ ମୁକୁଳି ପାରିବ।  ବିଧାନସଭାରେ ଓଡ଼ିଶା ଜନ ବିଶ୍ୱାସ ବିଲ ୨୦୨୫ ଅନୁମୋଦନ ଲାଭ ପରେ ଖୁବ୍‌ ଶୀଘ୍ର ଏହି ନିୟମ ପ୍ରଚଳନ ହେବ। ଯାହାକୁ ନେଇ ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ। ରାଜ୍ୟ ସରକାର ଏହାକୁ ସଂସ୍କାରମୂଳକ ପଦକ୍ଷେପ ବୋଲି ଅଭିହିତ କରିଥିବା ବେଳେ ବିରୋଧୀ ଏହାକୁ ଜନ ବିଶ୍ୱାସ ନୁହେଁ ‘ଜନ ବିଶ୍ୱାସଘାତକ’ ବିଲ୍‌ ବୋଲି ଆକ୍ଷେପ କରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଏହି ନୂଆ ଆଇନ ରାଜ୍ୟର ଜୁଆଡ଼ିଙ୍କୁ ଆନନ୍ଦିତ କରିଛି। ଜେଲ୍‌ ଦଣ୍ଡ ଉଠି ଯାଇଥିବାରୁ ଏବେ ହୋଟେଲ, କ୍ଲବ୍‌ ବା ଅନ୍ୟ ଯେଉଁଠି ଜୁଆ ଖେଳ ହୋଇ ପାରିବ ଓ ଲକ୍ଷଲକ୍ଷ ଟଙ୍କା ଲାଭ ବଦଳରେ ମାତ୍ର ୫ ହଜାର ଟଙ୍କା ଜୋରିମାନା ଦେଇ ମୁକୁଳିବା ବ୍ୟବସ୍ଥା ସେମାନଙ୍କୁ ଆଶ୍ୱସ୍ତ କରିଛି। 

ବିରୋଧୀ ବିଜେଡି ପକ୍ଷରୁ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ବିଲକୁ ବିରୋଧ କରିଛନ୍ତି।  ଜୁଆ ଖେଳ ଦଣ୍ଡ ହ୍ରାସ ଓ ମହୁଲ ଫୁଲ ପାନୀୟ ଉପରେ ଦଣ୍ଡ ବୃଦ୍ଧିକୁ ସେ ସମାଲୋଚନା କରିଛନ୍ତି। ସେହିପରି ଧ୍ରୁବ ସାହୁ ଏହି ବିଲ ଗୃହୀତ ହେଲେ ସାମାଜିକ ଶୃଙ୍ଖଳା ଭୁଶୁଡ଼ି ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି। ଜୁଆ ଖେଳ ସମାଜର ଏକ ବ୍ୟାଧି। ଏହି ଆଇନ ଦ୍ୱାରା ମାତ୍ର ୫ ହଜାର ଦେଇ ଜୁଆ ଖେଳ ହୋଇପାରିବ ବୋଲି ବ୍ୟବସ୍ଥା ହୋଇଛି। ଦେଶୀ ମଦ ବେପାରୀଙ୍କ ପାଇଁ ମଧ୍ୟ ଜୋରିମାନା ବ୍ୟବସ୍ଥା କରାଯାଇଛି। ସେମାନେ ଜୋରିମାନା ଦେଲେ ତାଙ୍କୁ ଛାଡ଼ିଦିଆଯିବ। ଏଥିପାଇଁ ଗାଁ ଗଣ୍ଡାରେ ପରିବାର ଉଜୁଡ଼ି ଯିବ ବୋଲି ଧ୍ରୁବ କହିଛନ୍ତି। ଅନୁରୂପ ଭାବରେ କଂଗ୍ରେସ ବିଧାୟକ ସିଏସ୍‌ ରାଜନ୍‌ ଏକ୍କା କହିଛନ୍ତି ଯେ ଜୁଆ ଖେଳ ସର୍ବଦା ବର୍ଜନୀୟ। ମାତ୍ର ବିଲ୍‌ରେ କେବଳ ଫାଇନ ବ୍ୟବସ୍ଥାଥିବାରୁ ଏହା ଲୋକଙ୍କ ଭୟ ହ୍ରାସ କରିବ ଓ ମହୁଲ ଫୁଲ ସଂକ୍ରାନ୍ତରେ ବିଲ୍‌ରେ ନୂତନ ବ୍ୟବସ୍ଥା ଆଦିବାସୀଙ୍କ ଅଧିକାର କ୍ଷୁର୍ଣ୍ଣ କରିବ ବୋଲି ରାଜନ୍‌ କହିଛନ୍ତି । ବିଧାୟିକା ସୋଫିଆ ଫିର୍ଦ୍ଦୋସ ବିଲରେ ଅପରାଧିକ ମାମଲା ପାଇଁ ଜରିମାନା ବ୍ୟବସ୍ଥା କରିବାକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ୫ ହଜାର ଜରିମାନା ଦ୍ୱାରା ଲୋକେ ଖୁସିରେ ଜୁଆ ଖେଳିବେ।

About The Author: Madhusudan Das