ଜେନାପୁର/ପାଣିକୋଇଲି: ଧର୍ମଶାଳା ଏବ ଅଶାନ୍ତ ହେବାରେ ଲାଗିଛି। ପ୍ରତିଦିନ କିଛି ନା କିଛି ରାଜନୈତିକ ହିଂସା ଘଟୁଛି। ସ୍ଥାନୀୟ ବିଧାୟକ ହିମାଂଶୁ ସାହୁଙ୍କ ନିର୍ଦ୍ଦେଶରେ ବିଜେପି ସମର୍ଥିତ କର୍ମୀମାନେ ଆଇନକୁ ହାତକୁ ନେଇ ଅରାଜକତା ଚଳାଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଘରେ ପଶି ପୁଲିସ ଉପସ୍ଥିତିରେ ଗୁଣ୍ଡା ଗର୍ଦ୍ଧି ମାରପିଟ ହେଉଥିଲେ ମଧ୍ୟ ପୁଲିସ ନିଷ୍କ୍ରିୟତା ଅବଲମ୍ୱନ କରି ଦେଖଣାହାରି ସାଜୁଛି। ଆଜି ଏହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମଧୁପୁର ଗଡ଼ ପଞ୍ଚାୟତରେ।
ଧର୍ମଶାଳା ବିଜୁଜନତା ଦଳ ପକ୍ଷରୁ ଜନସଂପର୍କ ପଦଯାତ୍ରା ପାଇଁ ପୂର୍ବ ପ୍ରସ୍ତୁତି ଆଲୋଚନାଚକ୍ର ମଧୁପୁର ଗଡ଼ ଜଗଦୀଶ ଜେନାମଣିଙ୍କ ଘରେ ଅନୁଷ୍ଠିତ ହେଉଥିଲା। ଏଠାରେ ବିଜେଡି ସମର୍ଥକ ମାନେ ଯୋଗ ଦେବାକୁ ଆସୁଥିଲା ବେଳେ ରାସ୍ତାରେ ଛକି ବିଜେପି ସମର୍ଥକମାନେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଆକ୍ରମଣ କରିବାକୁ ପଛାଇନଥିଲେ। ଏହାକୁ ଭୃକ୍ଷେପ ନକରି ବିଜୁ ଜନତା ଦଳର କର୍ମୀ ମାନେ ଏକତ୍ରିତ ହୋଇ ସଭା ଆୟୋଜନ କରିଥିଲେ। ଏହାର ସୂଚନା ପାଇ ଶାସକ ଦଳର କର୍ମୀ ମାନେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଗଣ୍ଡଗୋଳ କରିବା ଏବଂ ପୂର୍ବତନ ବିଧାୟକଙ୍କୁ ଆକ୍ରମଣ କରିବା ପାଇଁ ଯୋଜନା ବଦ୍ଧ ଭାବେ ସଭାର ବିପରୀତ ପଟେ ଏକତ୍ରିତ ହୋଇଥିଲେ। ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟ ସଭା ସ୍ଥାନରେ ପହଞ୍ଚିବା କ୍ଷଣି ଶାସକ ଦଳର କର୍ମୀମାନେ ଧସେଇ ଆସି ଅସଭ୍ୟ ଭାଷାରେ ଗାଳିଗୁଲଜ ଓ ନାରାବାଜି କରିଥିଲେ ମଧ୍ୟ ଏହାକୁ ସେ କର୍ଣ୍ଣପାତ କରିନଥିଲେ। ବିଜୁଜନତା ଦଳରର କର୍ମୀମାନଙ୍କୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ନିର୍ଦ୍ଦେଶ ଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ସାଙ୍ଗଠନିକ ବୈଠକ ସରିବା ପରେ ଅନ୍ୟ ଏକ ପଞ୍ଚାୟତକୁ ଯିବା ସମୟରେ ବିଜେପି ସମର୍ଥକମାନେ ପୁଲିସ ଉପସ୍ଥିତିରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ଗାଡ଼ିକୁ ବାଡେଇ ଭାଙ୍ଗିବା ଏବଂ ଢେଲା ପଥର ମାଡ କରିଥିଲେ। ଶାସକ ଦଳର କର୍ମୀ ମାନଙ୍କର ଗୁଣ୍ଡାଗର୍ଦ୍ଦି ଏତିକିରେ ଶେଷ ହୋଇନଥିଲା। ବିଜୁ ଜନତା ଦଳର କର୍ମୀ ମାନଙ୍କୁ ଢେଲା ପଥର ମାଡ କରିବା ସହିତ ସେମାନଙ୍କ ମୋଟର ସାଇକଲ ଓ କାରକୁ ବାଡେଇ ବାଡେଇ ଭାଙ୍ଗିଦେଇଥିଲେ। ଢେଲା ପଥର ମାଡରେ ବିଜୁ ଜନତା ଦଳର କିଛି କର୍ମୀ ଆହତ ହୋଇଛନ୍ତି। ବିଜୁ ଜନତା ଦଳର ପଞ୍ଚାୟତ ସଭାପତି ଜଗଦୀଶ ଜେନାମଣିଙ୍କ ଘର ଉପରକୁ ପଥର ମାଡ଼ କରିଥିଲେ। ତାଙ୍କ ଗେଟ୍ ଓ ସିସିଟିଭି କ୍ୟାମେରାକୁ ମଧ୍ୟ ଭାଙ୍ଗି ଦେଇଛନ୍ତି।
ଧର୍ମଶାଳା ନିର୍ବାଚନମଣ୍ଡଳୀରେ ଶାସକ ଦଳ ପକ୍ଷରୁ ଏଭଳି ଘଟଣା ବାରମ୍ୱାର ଘଟିଥିବାରୁ ଏହାକୁ ନଜର କରି ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଜେନାପୁର ପୁଲିସଠାରୁ ଅନୁମତି ଆଣିବା ସହ ସୁରକ୍ଷା ମଧ୍ୟ ମାଗିଥିଲେ। ଘଟଣାସ୍ଥଳରେ ପୁଲିସ ଉପସ୍ଥିତିରେ ବିଜେପି ସମର୍ଥକମାନେ ଗୁଣ୍ଡାଗର୍ଦ୍ଧି କରୁଥିଲେ ସୁଦ୍ଧା ପୁଲିସ କାର୍ଯ୍ୟନୁଷ୍ଠାନ ବଦଳରେ ଦେଖଣାହାରି ସାଜିଥିଲା। ଜେନାପୁର ପୁଲିସ ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରିବାରୁ ଏହାର ପ୍ରତିବାଦରେ ବିଜୁ ଜନତା ଦଳ ପକ୍ଷରୁ ପାଣିକୋଇଲି ସ୍ଥିତ ଜିଲ୍ଲା ଏସପି ଅଫିସ ଘେରଉ କରାଯାଇଛି। ବିଜୁ ଜନତା ଦଳ ପକ୍ଷରୁର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ, ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, କ୍ୟାପଟେନ୍ ରାଜ୍ନାରାୟଣ ମହାପାତ୍ର, ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ, ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମେତ ଶତାଧିକ ବିଜେଡି ନେତା ଓ କର୍ମୀ ଏସ୍ପି ଅଫିସ ଘେରଉ କରି ତୁରନ୍ତ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ଏକ ପ୍ରତିନିଧି ଦଳ ଯାଜପୁର ଏସପିଙ୍କୁ ଭେଟି ଆଲୋଚନା ଜାରି ରଖିଥିବା ଜଣାପଡିଛି।