ବିଜେଡିରେ ଯୋଗଦେଲେ ପୂର୍ବତନ ବିଧାୟକ ମକରନ୍ଦ ମୁଦୁଲି

ରାୟଗଡ: ରାୟଗଡ ନିର୍ବାଚନ ମଣ୍ଡଳୀର ପୂର୍ବତନ ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ସୋମବାର ଭୁବନେଶ୍ୱରସ୍ଥିତ ନବୀନ ନିବାସରେ ସେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଥିବା କହିଛନ୍ତି। ଏହି ସମୟରେ ରାୟଗଡ ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକା ଓ ରାଜ୍ୟ ସାଧାରଣ ସମ୍ପାଦକ ସୁଧୀର ଦାଶ ଉପସ୍ଥିତ ଥିଲେ। ବିଜେଡିରେ ସାମିଲ ହେବା ପରେ ମକରନ୍ଦ କହିଛନ୍ତି, ରାୟଗଡ ନିର୍ବାଚନମଣ୍ଡଳୀରେ ଦଳର ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ନବୀନ ପଟ୍ଟନାୟକ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମକରନ୍ଦ ମୁଦୁଲିଙ୍କ ରାଜନୈତିକ ଯାତ୍ରା ଦୀର୍ଘଦିନର। ୨୦୧୪ ମସିହାରେ ସେ ରାୟଗଡ ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ୨୦୧୯ରେ ଦଳୀୟ ଟିକେଟ୍‌ ନ ନେଇ ସ୍ୱାଧୀନ ପ୍ରାର୍ଥୀ ଭାବେ ରାୟଗଡ ଆସନରୁ ନିର୍ବାଚନ ଲଢ଼ି ୫୨,୮୪୪ ଭୋଟ ପାଇ ବିଜୟୀ ହୋଇଥିଲେ। ଏହାପରେ ସେ ରାୟଗଡର ସ୍ୱାଧୀନ ବିଧାୟକ ଭାବେ ବିଧାନସଭାକୁ ଯାଇଥିଲେ। ଏବେ ବିଜେଡିରେ ଯୋଗଦାନ ପରେ ରାୟଗଡ ନିର୍ବାଚନମଣ୍ଡଳୀରେ ମୁଦୁଲିଙ୍କ ଭୂମିକାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। 

About The Author: Madhusudan Das