ବାରିପଦା : ହାତୀ ସୁରକ୍ଷା କାର୍ଯ୍ୟ ସାରି ଫେରିବା ବେଳେ ରାସ୍ତା ତଳକୁ ଓଲଟି ପଡିଲା ବନବିଭାଗ ବୋଲେରୋ। ଯାହା ଫଳରେ ବୋଳେରୋରେ ଥିବା ବନବିଭାଗର କର୍ମଚାରୀଙ୍କ ମଧ୍ୟରୁ ୨ ଜଣଙ୍କ ଗୁରୁତର ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଅଧୀନ ମସିଣାକାଟି କେନାଲ ରାସ୍ତାରେ ହାତୀ ସୁରକ୍ଷା ଡ୍ୟୁଟି କରୁଥିବା ବନ ବିଭାଗର ଏକ ବୋଲେରୋ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାୟ ୧୦ଫୁଟ ତଳକୁ ଖସି ପଡ଼ିବାରୁ ଦୁଇଜଣ ଗୁରୁତର ଆହତ ହୋଇଥିବା ବେଳେ ୪ଜଣ ସାମାନ୍ୟ ଆହତ ହୋଇ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ସୂଚନା ମୁତାବକ ମୟୂରଭଞ୍ଜରେ ହାତୀପଲଙ୍କ ଉପଦ୍ରବ କ୍ରମଶଃ ଉଦବେଗଜନକ ସ୍ଥିତିରେ ପହଞ୍ଚି ଥିବାବେଳେ ଦୁଇଟି ହାତୀ ମସିଣାକାଟି ଗ୍ରାମ ଅଭିମୁଖେ ଅଗ୍ରସର ହେଉଥିବାର ଖବର ପାଇ ବନବିଭାଗର ଏକ ଟିମ ଏହି ଅଞ୍ଚଳରେ ପେଟ୍ରୋଲିଂ କରୁଥିଲା । ତେବେ ରାତି ପ୍ରାୟ ତିନିଟା ସମୟରେ କୌଣସି କାରଣରୁ ଗାଡି ଉପରୁ ଚାଳକ ନିୟନ୍ତ୍ରଣ ହରାଇ ବସିବା ପରେ ଭାରସାମ୍ୟ ହରାଇ ରାସ୍ତାରୁ ପ୍ରାୟ ୧୦ଫୁଟ ତଳକୁ ଖସି ପଡିଥିଲା । ଦୁର୍ଘଟଣରେ ଉଦଳା ରେଞ୍ଜର ବନପାଳ ବିଦ୍ୟାଧର ପୃଷ୍ଟିଙ୍କ ସମେତ ଚାଳକ ଏବଂ ଅନ୍ୟାନ୍ୟ କର୍ମଚାରୀ ସାମାନ୍ୟ ଆହତ ହୋଇ ଅଳ୍ପକେ ବର୍ତ୍ତି ଯାଇଥିଲେ । ତେବେ ଗାଡ଼ିରେ ବସିଥିବା ବେତନଟୀ ରେଞ୍ଜ କୃଷ୍ଣଚନ୍ଦ୍ରପୁର ସେକ୍ସନର ବନରକ୍ଷୀ ରାଇଦନ ସିଂ ଏବଂ ଉଦଳା ଅଞ୍ଚଳର ପାରା ବନକର୍ମଚାରୀ ସାମଲ ସିଂ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କର ବାମପାର୍ଶ୍ଵ କାନ୍ଧ ହାଡ ଭାଙ୍ଗି ଯାଇଥିବା ଜଣାପଡିଛି। ସମସ୍ତଙ୍କୁ ଉଦ୍ଧାରକରି ପ୍ରଥମେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇ ସେମାନଙ୍କ ଚିକିତ୍ସା ଚାଲୁ ରହିଛି । ତେବେ ରାତି ରାତି ହାତୀ ଡ୍ୟୁଟି କରି ଅନିଦ୍ରା ରହୁଥିବାବେଳେ ଆବଶ୍ୟକ ବିଶ୍ରାମ ନପାଇ ଚାଳକଙ୍କ ଆଖି ଲାଗିଯିବାରୁ ଏଭଳି ଦୁର୍ଘଟଣା ଘଟିଥିବାର ଅନୁମାନ କରାଯାଉଛି ।