ମଙ୍ଗ ଧରିଛନ୍ତି ୧୪ ବର୍ଷୀୟ କେ. ରାଜୁ: ନିଜର ସଙ୍ଘର୍ଷ ମୟ ଜୀବନ ମଧ୍ଯରେ ବି ବସ୍ତିପିଲାଙ୍କୁ ଶିଖାଉଛନ୍ତି ବିଦେଶୀ ପାଠ

ସହରର ଭିଡ଼ ଭିତରେ ରହିଛନ୍ତି ଅନେକ ବିଶେଷ ବ୍ୟକ୍ତି ଓ ସଂଗଠନ। ଯେଉଁମାନଙ୍କ ପ୍ରତିଭା, ନିଷ୍ଠା ଓ କାର୍ଯ୍ୟଦକ୍ଷତା ସମାଜର ଏକ ନିର୍ଦ୍ଦିଷ୍ଟ ପରିସୀମାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ସେମାନେ ହୁଏ ତ କେଉଁ ଅନାମଧ୍ୟେୟ ପରିଧି ଭିତରେ ସୀମିତ ରହିପାରନ୍ତି; କିନ୍ତୁ ସେମାନଙ୍କ ଅବଦାନ ସମାଜ ପାଇଁ ସର୍ବଦା ମୂଲ୍ୟବାନ। ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ବ୍ୟାପକ କରିବା ତଥା କାର୍ଯ୍ୟଧାରାକୁ ପ୍ରୋତ୍ସାହିତ କରିବା ପାଇଁ ଏଭଳି ବିରଳ ଓ ଉତ୍ସର୍ଗୀକୃତ ବ୍ୟକ୍ତିତ୍ୱକୁ ନେଇ ‘ସକାଳ’ର […]

ସହରର ଭିଡ଼ ଭିତରେ ରହିଛନ୍ତି ଅନେକ ବିଶେଷ ବ୍ୟକ୍ତି ଓ ସଂଗଠନ। ଯେଉଁମାନଙ୍କ ପ୍ରତିଭା, ନିଷ୍ଠା ଓ କାର୍ଯ୍ୟଦକ୍ଷତା ସମାଜର ଏକ ନିର୍ଦ୍ଦିଷ୍ଟ ପରିସୀମାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ସେମାନେ ହୁଏ ତ କେଉଁ ଅନାମଧ୍ୟେୟ ପରିଧି ଭିତରେ ସୀମିତ ରହିପାରନ୍ତି; କିନ୍ତୁ ସେମାନଙ୍କ ଅବଦାନ ସମାଜ ପାଇଁ ସର୍ବଦା ମୂଲ୍ୟବାନ। ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ବ୍ୟାପକ କରିବା ତଥା କାର୍ଯ୍ୟଧାରାକୁ ପ୍ରୋତ୍ସାହିତ କରିବା ପାଇଁ ଏଭଳି ବିରଳ ଓ ଉତ୍ସର୍ଗୀକୃତ ବ୍ୟକ୍ତିତ୍ୱକୁ ନେଇ ‘ସକାଳ’ର ସ୍ୱତନ୍ତ୍ର ପ୍ରୟାସ।

ଭୁବନେଶ୍ବର:  ହୋଲା, ବୁଏନସ୍‍, କୋମୋ ଏଷ୍ଟାସ୍‍ ଆଦି ବିଦେଶୀ ଭାଷା ଶିଖିବା ଓ ବୁଝିବା ପାଇଁ ଆମକୁ ବର୍ଷ ବର୍ଷ ଲାଗିଯାଏ। କିନ୍ତୁ ବସ୍ତିର ଛୋଟଛୋଟ ପିଲାମାନେ ଏବେ ଅନର୍ଗଳ ସ୍ପାନିସ୍‍ ଭାଷାରେ କଥାବର୍ତ୍ତା କରିପାରୁଛନ୍ତି। ଏଭଳି ଏକ ଜଟିଳ କାର୍ଯ୍ୟର ଦାୟିତ୍ୱ ନେଇଛନ୍ତି ଜଣେ ୧୪ ବର୍ଷୀୟ ବାଳକ। ନାଁ ତାଙ୍କ କେ. ରାଜୁ। ରାଜୁ ବି ଦିନେ ରାସ୍ତାକଡ଼ରେ ଦିନ କାଟିଛନ୍ତି। ଆଉ ସେଥିରୁ ନିଜେ ମୁକୁଳି ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱକୁ ଆବୋରି ବସିଛନ୍ତି। ଯେଉଁ ବସ୍ତିର ପିଲାମାନେ ଦିନେ ନିଜ ନାଁ ଭଲରେ କହିପାରୁ ନ ଥିଲେ ରାଜୁଙ୍କ ପାଇଁ ସେମାନେ ଏବେ ବିଦେଶୀଙ୍କ ସହ ଭାବର ଆଦାନପ୍ରଦାନର ସୁଯୋଗ ପାଇପାରୁଛନ୍ତି।

ରାଜୁ ପିଲାଟି ବେଳୁ ମା’ଙ୍କ ସହ ବାବୁଘରେ କାମ କରିବା ସହ ଜରି, ପ୍ଲାଷ୍ଟିକ ବୋତଲ ଗୋଟାଇବାରେ ନିଜର ଭବିଷ୍ୟତ ପାଇଁ ସଂଘର୍ଷ ଜାରି ରଖିଥିଲେ। ପୂର୍ବରୁ ୮ବର୍ଷ ବୟସରେ ବାପାଙ୍କୁ ହରାଇଥିଲେ। ଆଉ ଏବେ ୧ବର୍ଷରୁ ଊର୍ଦ୍ଧ୍ବ ହେବ ମା’ ବି ଛାଡ଼ି ଆରପାରିକୁ ଚାଲିଗଲେ। ପରିବାରର ଆର୍ଥିକ ସଙ୍କଟ ଭିତରୁ ମୁକୁଳି ଏବେ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣା। ଜୀବନ ସଂଘର୍ଷରେ ନିଜକୁ ସାମିଲ କରି ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିିଥିବା ବାଳକ ଜଣକ ହେଲେ କେ. ରାଜୁ। ରାଜୁଙ୍କ ଘର ବୁଦ୍ଧନଗର। ରାଜୁ ଦିନେ ଜରି ବୋତଲ ଗୋଟାଇବା ସହ ବାବୁଘର କାମ କରୁଥିଲେ। କିନ୍ତୁ ଗତ ଦୁଇବର୍ଷ ତଳେ ଆଶାଏଁ ଅନୁଷ୍ଠାନର ସହଯୋଗରେ ଶିକ୍ଷା ଗ୍ରହଣ କରିବାର ସୁଯୋଗ ପାଇଲେ। ଲକ୍‍ଡାଉନ୍‍ ସମୟରେ ବସ୍ତି ପିଲାମାନେ ପଥଚ୍ୟୁତ ହେଉଥିବାବେଳେ ଅନ୍‍ଲାଇନ୍‍ ପାଠପଢ଼଼ା ପାଇଁ ସ୍ୱେଚ୍ଛାସେବୀ ସଂଗଠନ ଆଶାଏଁ ଓ ସାଂସଦ ଡ. ଅମର ପଟ୍ଟନାୟକଙ୍କ ପକ୍ଷରୁ ବନ୍ଦୋବସ୍ତ କରାଯାଇଥିଲା। ଆଉ ସେଥିରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କଠାରୁ ଜ୍ଞାନ ଆହରଣ କରିବା ସହ କାମରେ ଲଗାଇଥିଲେ। ଏବେ ୮ମ ଶ୍ରେଣୀରେ ପାଠ ପଢ଼ୁଛନ୍ତି ରାଜୁ। କିନ୍ତୁ ଅନର୍ଗଳ କରିପାରୁଛନ୍ତି ସ୍ପେନ୍‍ ଦେଶର ଭାଷା। ନିଜେ ଆନୁଷ୍ଠାନିକ ଶିକ୍ଷାଲାଭ କରିବା ସହ ବିଦେଶୀ ଭାଷା ଶିକ୍ଷାମଧ୍ୟ କଲେ। କେବଳ ନିଜେ ଶିକ୍ଷାଲାଭ କଲେ ନାହିଁ ବସ୍ତିର ପିଲାମାନଙ୍କୁ ଏହି ଭାଷା ଶିକ୍ଷା ଦେବାକୁ ଆଗେଇ ଆସିଲେ।

ଏକଦା ହାତରେ ଖାତା କଲମ ଧରିବା ସହ ପାଠପଢ଼଼ିବାର ସ୍ୱପ୍ନ ରଖି ନ ଥିବା ରାଜୁ ଏବେ ଅନ୍ୟ ପିଲାମାନଙ୍କୁ ଦେଖାଉଛନ୍ତି ବଞ୍ଚିବାର ରାହା। ନିଜର ଦୃଢ଼ଇଚ୍ଛା ଶକ୍ତି ଏବଂ ଆତ୍ମବିଶ୍ୱାସ ଯୋଗୁଁ ସେ ସଫଳତା ପାଇପାରିଛନ୍ତି। ନିଜେ ବେସାହାରା ଜୀବନ ବିତାଉଥିବା ଏହି କୁନି ପୁଅ ଏବେ ବସ୍ତିପିଲାମାନଙ୍କ ପାଇଁ ସାହାରା ପାଲଟିଛନ୍ତି। ଅନ୍‍ଲାଇନ୍‍ ମାଧ୍ୟମରେ ନିଜେ ଶିଖିଥିବା ସ୍ପାନିସ୍‍ ଭାଷାର ଦକ୍ଷତାକୁ ତାଙ୍କ ଭଳି ବସ୍ତିପିଲାମାନଙ୍କୁ ଶିଖାଇବାରେ ଲାଗିପଡ଼ିଛନ୍ତି। ଡମଣା ମଣ୍ଡପ ବସ୍ତି ଓ ନୀଳପଡ଼ିଆ ବସ୍ତିର ପ୍ରାୟ ୯୫ରୁ ଊର୍ଦ୍ଧ୍ବ ପିଲାମାନଙ୍କୁ ସେ ଏହି ସ୍ପାନିସ୍‍ ଭାଷାର ଶିକ୍ଷା ଦେଉଛନ୍ତି। ମାତ୍ର ୧ବର୍ଷ ମଧ୍ୟରେ ସେ ବେଶ୍‍ ଆଗକୁ ବଢ଼଼ିପାରିଛନ୍ତି। ଏହାବ୍ୟତୀତ ଶିଶୁ ସୁରକ୍ଷା ଅନୁଷ୍ଠାନରେ ମଧ୍ୟ ଏହି ଦକ୍ଷତା ବିକାଶର ବାର୍ତ୍ତା ଦେଉଛନ୍ତି। ଏହାସହ ଏହି ବିଦେଶୀ ଭାଷାର ଶିକ୍ଷା ଦେଉଛନ୍ତି। ଦିନକୁ ୨ଥର ସେ ଏହି କ୍ଲାସ୍‍ ନେବାର ମଙ୍ଗ ଧରିଛନ୍ତି। କେବଳ ସେତିକିରେ ସୀମିତ ନୁହେଁ ରାଜୁଙ୍କ ପ୍ରତିଭା। ପୁରା ବସ୍ତିପିଲାମାନଙ୍କ ଅନ୍ତନିର୍ହିତ ପ୍ରତିଭାକୁ ପ୍ରତିପାଦନ କରିବାରେ ସେ ଲାଗିପଡ଼ିଛନ୍ତି। ଏସବୁ ଭିତରେ ବି ରାଜୁ ହସ୍ତକଳା ମନସ୍କ। ନୃତ୍ୟ ସହିତ ଅଦରକାରୀ ଜିନିଷରୁ ପ୍ରସ୍ତୁତ କରୁଛନ୍ତି ହସ୍ତକଳା। ଏସମ୍ପର୍କରେ ରାଜୁ କୁହନ୍ତି, ଲକ୍‍ଡାଉନ୍‍ ସମୟରେ ଅନ୍‍ଲାଇନ୍‍ କ୍ଲାସ୍‍ରେ ବିଦେଶରେ ରହୁଥିବା ସାର୍‍ମାନଙ୍କଠାରୁ ବିଦେଶୀ ଭାଷା ଶିକ୍ଷାଲାଭ କରିଥିଲି। ପ୍ରଥମେ ଏହି ଭାଷା ଶିଖିବା ସମୟରେ ଅନେକ ସମସ୍ୟା ହେଉଥିଲା। ମାତ୍ର ଅଭ୍ୟାସ କରିବା ଯୋଗୁଁ ସହଜ ଏବଂ ସରଳଭାବେ କହିପାରୁଛି। ସେଥିରୁ ଅଶେଷ ଆନନ୍ଦ ମିଳୁଛି ବୋଲି କୁହନ୍ତି ରାଜୁ।

About The Author: The Sakala