ଭୁବନେଶ୍ୱର: ଆଗକୁ ରକ୍ଷାବନ୍ଧନ ସମେତ ଚଳିତ ମାସ ଓ ଆସନ୍ତା ମାସରେ ବିଭିନ୍ନ ପର୍ବପର୍ବାଣୀ ଥିବାରୁ କଟକ-ଭୁବନେଶ୍ୱର ଟ୍ୱିନ୍ସିଟିରେ ଖାଦ୍ୟ ସୁରକ୍ଷା ଯାଞ୍ଚକୁ ଅଧିକ କଡ଼ାକଡ଼ି କରାଯାଇଛି। ଖାଦ୍ୟ ସୁରକ୍ଷା କମିଶନର ପୋମା ଟୁଡୁଙ୍କ ନିର୍ଦ୍ଦେଶକ୍ରମେ ଗତ ଦୁଇ ଦିନ ଧରି ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ବିପୁଳ ପରିମାଣର ଭେଜାଲ ପନିର, ଛେନା ଓ ବାସି ଖାଦ୍ୟ ଜବତ କରାଯାଇଛି। ରାଜଧାନୀରେ ବୁଧବାର ସନ୍ଧ୍ୟାରେ ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରତିକ୍ଷା ଦାସଙ୍କ ନେତୃତ୍ୱରେ ୟୁନିଟ୍ ୪ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା। ଏହି ଚଢ଼ଉ ବେଳେ ରବୀନ୍ଦ୍ର ମଣ୍ଡପ ନିକଟ ଓମ୍ଫେଡ଼ ବୁଥ୍ରୁ ୧ କ୍ୱିଣ୍ଟାଲ ନକଲି ଛେନା ଜବତ କରାଯାଇଛି। ଜବତ ପରେ ଛେନାକୁ ପରିକ୍ଷା କରାଯାଇ ଡ଼ଷ୍ଟବିନ୍ରେ ଫିଙ୍ଗା ଯାଇଛି। ଖାଦ୍ୟ ସୁରକ୍ଷା ଆଇନ୍ ଅନୁଯାୟୀ ଦଣ୍ଡବିଧାନ କରାଯିବ ବୋଲି ଖାଦ୍ୟ ସୁରକ୍ଷା ଅଧିକାରୀ କହିଛନ୍ତି।
ଅନ୍ୟପକ୍ଷରେ ଭୁବନେଶ୍ୱରରେ ମଧ୍ୟ ଦୁଇ ଦିନ ଧରି ବିଭିନ୍ନ ମଲ୍ ଓ ଖାଦ୍ୟ ପ୍ରତିଷ୍ଠାନରେ ଯୁଗ୍ମ ଚଢ଼ଉ କରାଯାଇଛି। ଡିଜିଗ୍ନେଟେଡ୍ ଅଫିସର ସତ୍ୟଜିତ ପଟେଲଙ୍କ ନେତୃତ୍ୱରେ ରସୁଲଗଡ଼ସ୍ଥିତ ନେକ୍ସସ୍ ଏସ୍ପ୍ଲାନେଡ୍, ହଂସପାଳର ସିମ୍ଫୋନି ମଲ୍, ପାତ୍ରପଡ଼ାର ଡିଏନ୍ ରେଗାଲିଆ, ସିଆର୍ପିଏଫ୍, ରସୁଲଗଡ଼ ଓ କଳିଙ୍ଗନଗର ଅଞ୍ଚଳରେ ଯାଞ୍ଚ କରାଯାଇଥିଲା। ଏହି ଚଢ଼ଉରେ ପ୍ରାୟ ୬୬ କେଜି ବାସି ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ଜବତ ହୋଇଥିବାବେଳେ ୧୦ଟି ଖାଦ୍ୟ ନମୁନା ସଂଗ୍ରହ କରାଯାଇଛି। ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଂଘନ ଅଭିଯୋଗରେ ୬ଟି ଖାଦ୍ୟ ପ୍ରତିଷ୍ଠାନକୁ ବନ୍ଦ ନୋଟିସ ଜାରି କରାଯାଇଛି। ଟ୍ୱିନ୍ ସିଟିରେ ଏଭଳି ଖାଦ୍ୟ ସୁରକ୍ଷା ଅଭିଯାନକୁ ବୁଦ୍ଧିଜୀବୀ ମହଲରୁ ସ୍ୱାଗତ କରାଯାଇଛି। ଆଗାମୀ ଦିନରେ ମଧ୍ୟ ନିୟମିତ ଭାବେ ଏନ୍ଫୋର୍ସମେଣ୍ଟ ଜାରି ରଖିବା ସହ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଯଥାଯଥ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଖାଦ୍ୟ ସୁରକ୍ଷା କମିଶନର ନିର୍ଦ୍ଦେଶ ଦେଇଛନ୍ତି।
ହେଲେ ଏଠାରେ କଥା ଉଠୁଛି ଯେ ବର୍ଷା ଦିନ ହୋଇଥିବାରୁ ବାସି ଖାଦ୍ୟ, ନକଲି ଛେନା, ପନିର ଏବେ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲିଟିଛି। ଏହି ସବୁ ଖାଇ ରୋଗକୁ ନିମନ୍ତ୍ରଣ କରାଯାଉଛି। ଫଳରେ ସାଧାରଣ ଲୋକମାନଙ୍କ ପାଇଁ ଏବେ ଛେନା, ପନିର୍ ଓ ବାସି ଖାଦ୍ୟକୁ ନେଇ ଛନକା ପସିଛି। ଫଳରେ ଖାଦ୍ୟ ସୁରକ୍ଷା ପକ୍ଷରୁ ଏହିପରି ଚଢ଼ଉ ପ୍ରତି ସପ୍ତାହରେ କରାଯିବା ଦରକାର ବୋଲି ସାଧାରଣରେ ଦାବୀ ହୋଇଛି।