ବାଲେଶ୍ୱର ଲୋକସଭା ଆସନରେ ତ୍ରିମୁଖୀ ଲଢ଼େଇ: ଅନୁଭବୀ ପ୍ରତାପ ଓ ଶ୍ରୀକାନ୍ତଙ୍କୁ କଡ଼ା ଟକ୍କର ଦେବେ ଲେଖାଶ୍ରୀ

ବାଲେଶ୍ୱର: ପୂର୍ବ ଭାରତର ଗୁରୁତ୍ୱପୂର୍ଣ୍ଣ ଲୋକସଭା ଆସନ ହେଉଛି ବାଲେଶ୍ୱର। ୨୦୨୪ ସାଧାରଣ ନିର୍ବାଚନ ପାଇଁ ମଇଦାନ ପ୍ରସ୍ତୁତ ହୋଇସାରିଛି। ତିନି ପ୍ରମୁଖ ରାଜନୈତିକ ଦଳ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ମଇଦାନରେ ଲଢ଼େଇ ବେଶ୍‌‌ ଉତ୍କଣ୍ଠାପୂର୍ଣ୍ଣ ରହିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ବିଜେଡି ବାଲେଶ୍ୱରରୁ ସଶକ୍ତ ମହିଳା ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଟିକଟ୍‌‌ ଦେଇ ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ଚମକାଇଥିବା ବେଳେ ମଇଦାନରେ ତାଙ୍କ ଲଢ଼େଇ ଦୁଇ ଜଣ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ସହିତ ହେବାକୁ ଯାଉଛି। […]

ବାଲେଶ୍ୱର: ପୂର୍ବ ଭାରତର ଗୁରୁତ୍ୱପୂର୍ଣ୍ଣ ଲୋକସଭା ଆସନ ହେଉଛି ବାଲେଶ୍ୱର। ୨୦୨୪ ସାଧାରଣ ନିର୍ବାଚନ ପାଇଁ ମଇଦାନ ପ୍ରସ୍ତୁତ ହୋଇସାରିଛି। ତିନି ପ୍ରମୁଖ ରାଜନୈତିକ ଦଳ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ମଇଦାନରେ ଲଢ଼େଇ ବେଶ୍‌‌ ଉତ୍କଣ୍ଠାପୂର୍ଣ୍ଣ ରହିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ବିଜେଡି ବାଲେଶ୍ୱରରୁ ସଶକ୍ତ ମହିଳା ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଟିକଟ୍‌‌ ଦେଇ ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ଚମକାଇଥିବା ବେଳେ ମଇଦାନରେ ତାଙ୍କ ଲଢ଼େଇ ଦୁଇ ଜଣ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ସହିତ ହେବାକୁ ଯାଉଛି। ବିଜେପି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଉପରେ ଭରସା କରି ପୁଣି ଟିକଟ ଦେଇଥିବା ବେଳେ କଂଗ୍ରେସ ବାଲେଶ୍ୱରର ପୂର୍ବତନ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ନିର୍ବାଚନୀ ମଇଦାନକୁ ଓହ୍ଲାଇ ଲଢ଼େଇକୁ ଅଧିକ ରୋଚକ କରିଛନ୍ତି। ବାଲେଶ୍ୱର ଭଳି ହାଇପ୍ରୋଫାଇଲ୍‌‌ ଲୋକସଭା ଆସନରେ ବିଗତ ତିନି ଗୋଟି ସାଧାରଣ ନିର୍ବାଚନରେ ଭିନ୍ନ ଭିନ୍ନ ରାଜନୈତିକ ଦଳରୁ ପ୍ରତିନିଧିଙ୍କୁ ଅଞ୍ଚଳବାସୀ ନିର୍ବାଚିତ କରି ସଂସଦକୁ ପଠାଇ ଆସୁଛନ୍ତି। ଚଳିତ ନିର୍ବାଚନରେ ମଧ୍ୟ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବାକୁ ଯାଉଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ଗତ ୨୦୧୯ ସାଧାରଣ ନିର୍ବାଚନରେ ବିଜେପିର ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏକ କଡ଼ା ମୁକାବିଲାରେ ବିଜେଡିର ରବୀନ୍ଦ୍ର କୁମାର ଜେନାଙ୍କୁ ପରାସ୍ତ କରି ସଂସଦରେ ପହଞ୍ଚିଥିଲେ। ପ୍ରତାପଙ୍କ ସପକ୍ଷରେ ମୋଟ୍‌‌ ୪, ୮୩, ୮୫୮ ଖଣ୍ଡ ଅର୍ଥାତ୍‌‌ ୪୧.୭୯ ପ୍ରତିଶତ ଭୋଟ୍‌‌ ପଡ଼ିଥିବା ବେଳେ ରବୀନ୍ଦ୍ରଙ୍କୁ ୪, ୭୦, ୯୦୨ ଖଣ୍ଡ ଅର୍ଥାତ୍‌‌ ୪୦.୬୨ ପ୍ରତିଶତ ଭୋଟ୍‌‌ ମିଳିଥିଲା। ମାତ୍ର ୧୨, ୯୫୬ ଖଣ୍ଡ ଭୋଟ୍‌‌ରେ ପ୍ରତାପ ବାଜି ମାରିଥିବା ବେଳେ କଂଗ୍ରେସର ନବଜ୍ୟୋତି ପଟ୍ଟନାୟକଙ୍କୁ ୧, ୭୯, ୪୦୩ ଖଣ୍ଡ ଅର୍ଥାତ୍‌‌ ମାତ୍ର ୧୫.୪୯ ପ୍ରତିଶତ ଭୋଟ୍‌‌ ମିଳିଥିଲା। ପରେ କେନ୍ଦ୍ରର ଏନ୍‌‌ଡିଏlokasa ସରକାରରେ ପ୍ରତାପ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ତେବେ ମନ୍ତ୍ରୀ ପଦ ମିଳିବା ପରେ ପ୍ରତାପଙ୍କ କାର୍ଯ୍ୟ ସନ୍ତୋଷଜନକ ନରହିଥିବାରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ବାଦ୍‌‌ ପଡ଼ିଥିଲେ। ଯାହାକି ଶ୍ରୀ ଷଡ଼ଙ୍ଗୀଙ୍କ ରିପୋର୍ଟ କାର୍ଡ ଉପରେ ପ୍ରତ୍ୟେକ୍ଷ ପ୍ରଭାବ ପକାଇବା ସହିତ ତାଙ୍କ କାର୍ଯ୍ୟଦକ୍ଷତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ତେବେ ପ୍ରତାପଙ୍କୁ ପ୍ରାର୍ଥୀ କରି ବିଜେପି ଏତେଟା ଆଶ୍ୱସ୍ତ ନଥିବା ବେଳେ ଗତ ୫ ବର୍ଷର ରିପୋର୍ଟ କାର୍ଡକୁ ଆଧାର କରି ବାଲେଶ୍ୱର ଜନସାଧାରଣଙ୍କୁ ଭୋଟ ମାଗିବାକୁ ଯାଉଛନ୍ତି।

ଗତ ୨୦୧୪ ସାଧାରଣ ନିର୍ବାଚନରେ ବାଲେଶ୍ୱର ଜିଲ୍ଲାବାସୀ ବିଜେଡିର ରବୀନ୍ଦ୍ର ଜେନାଙ୍କ ଉପରେ ଆସ୍ଥା ପ୍ରକଟ କରି ସଂସଦକୁ ପଠାଇଥିଲେ। ରବୀନ୍ଦ୍ରଙ୍କୁ ୪୧.୩୧ ପ୍ରତିଶତ ଭୋଟ୍‌‌ ମିଳିଥିବା ବେଳେ ବିଜେପିର ସାଂସଦ ପ୍ରାର୍ଥୀ ପ୍ରତାପଙ୍କୁ ମାତ୍ର ୨୭.୮ ପ୍ରତିଶତ ଭୋଟ ଏବଂ କଂଗ୍ରେସର ଶ୍ରୀକାନ୍ତ ଜେନାଙ୍କୁ ୨୬.୪୪ ପ୍ରତିଶତ ଭୋଟ୍‌‌ ମିଳିଥିଲା। ବିଜେଡିରୁ ପ୍ରଥମ ସାଂସଦ ଭାବେ ରବୀନ୍ଦ୍ର ବାଲେଶ୍ୱରରୁ ପ୍ରତିନିଧିତ୍ୱ କରିବା ସମୟରେ ବାଲେଶ୍ୱରର ସାମଗ୍ରିକ ବିକାଶ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ତେବେ ୨୦୦୯ ସାଧାରଣ ନିର୍ବାଚନରେ ବାଲେଶ୍ୱର ଲୋକସଭା ଆସନରେ ଏକ ରୋଚକପୂର୍ଣ୍ଣ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିଥିଲା। କଂଗ୍ରେସ ପ୍ରାର୍ଥୀ ଶ୍ରୀକାନ୍ତ ଜେନା ୩୫.୧୭ ପ୍ରତିଶତ ଭୋଟ୍‌‌ ପାଇଥିବା ବେଳେ ବିଜେଡି ସମର୍ଥିତ ଏନ୍‌‌ସିପି ପ୍ରାର୍ଥୀ ଅରୁଣ ଦେ ୩୦.୮୪ ପ୍ରତିଶତ ଏବଂ ବିଜେପିର ତିନି ଥରର ସାଂସଦ ଖାରବେଳ ସ୍ୱାଇଁଙ୍କୁ ୨୪.୬୪ ପ୍ରତିଶତ ଭୋଟ୍‌‌ ମିଳିଥିଲା। ଶ୍ରୀକାନ୍ତ ବାଲେଶ୍ୱର ଲୋକସଭା ଆସନରୁ ବିଜୟୀ ହୋଇ କେନ୍ଦ୍ରର ୟୁପିଏ ସରକାରରେ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରି ବାଲେଶ୍ୱରର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରି ଚର୍ଚ୍ଚାରେ ଥିଲେ।

ଚଳିତ ସାଧାରଣ ନିର୍ବାଚନରେ ପ୍ରଥମ କରି ଭାଗ୍ୟ ପରୀକ୍ଷା କରିବାକୁ ଯାଉଥିବା ବିଜେଡିର ଲେଖାଶ୍ରୀଙ୍କ ଲଢ଼େଇ ଉଭୟ ବିଜେପି ଓ କଂଗ୍ରେସର ଦୁଇ ଜଣ ଅନୁଭବୀ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ସହ ହେବାକୁ ଯାଉଛି। ତେବେ ପୂର୍ବାପେକ୍ଷା କଂଗ୍ରେସର ଭୋଟବ୍ୟାଙ୍କ ଖସି ଖସି ଚାଲିଥିବା ବେଳେ ଶ୍ରୀକାନ୍ତଙ୍କୁ ପୁରୁଣା ବଳ ଭରି ନିର୍ବଚନୀ ରଣକ୍ଷେତ୍ରକୁ ସଜାଡ଼ିବା ବଡ଼ ଚ୍ୟାଲେଞ୍ଜ ପାଲଟିବ। ଗତ ୫ ବର୍ଷର କାର୍ଯ୍ୟକାଳରେ ପ୍ରତାପ ବାଲେଶ୍ୱରବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିରୁ କେତେଟା ପୂରଣ କରିଛନ୍ତି, ତାହା ତାଙ୍କ ରାଜନୈତିକ ଭବିଷ୍ୟତକୁ ନିର୍ଦ୍ଧାରଣ କରିବ। ବିଜେଡି ଜଣେ ମହିଳା ପ୍ରାର୍ଥୀଙ୍କୁ ବାଲେଶ୍ୱର ଲୋକସଭା ଆସନରୁ ପ୍ରତିନିଧିତ୍ୱ କରିବା ପାଇଁ ଘୋଷଣା କରିବା ପରେ ଲେଖାଶ୍ରୀଙ୍କୁ ବିଭିନ୍ନ ବର୍ଗରୁ ଭୋଟ ମିଳିବାକୁ ଯାଉଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଆଗକୁ ନିର୍ବାଚନୀ ମଇଦାନରେ ତ୍ରିକୋଣୀୟ ଲଢ଼େଇ ହେବାକୁ ଯାଉଥିବାରୁ ବାଲେଶ୍ୱରବାସୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼଼ିବାରେ ଲାଗିଛି।

About The Author: The Sakala