ଭୁବନେଶ୍ୱର : ପ୍ରତି ବର୍ଷ ଓଡ଼ିଶା ବନ୍ୟା ବାତ୍ୟା ଭଳି ସଂଖ୍ୟାଧିକ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି ଓଡ଼ିଶା। କୋଟି କୋଟି ଟଙ୍କାର ଭିତ୍ତିଭୂମି ଓ ସମ୍ପତ୍ତି ନଷ୍ଟ ହେଉଛି। ଏପରି ଏକ ଜଟିଳ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇ ବିପର୍ଯ୍ୟାୟ ନିରୋଧୀ ଭିତ୍ତିଭୂମି ନିର୍ମାଣରେ ସହାୟତା ପାଇଁ ନିବେଦନ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେବଳ ଓଡ଼ିଶା ପାଇଁ ନୁହେଁ ବରଂ ଉପକୂଳବର୍ତ୍ତୀ ସମସ୍ତ ରାଜ୍ୟର ସ୍ୱାର୍ଥ କଥା ଉଠାଇଥିଲେ। ଏହା ଏକ ଯୁକ୍ତିଯୁକ୍ତ ପ୍ରସ୍ତାବ ବୋଲି କେନ୍ଦ୍ର ସରକାର କହିବା ସହିତ ଏହା ନିଶ୍ଚିତ ଭାବେ ପୂରଣ କରାଯିବ ବୋଲି ଘୋଷଣା ମଧ୍ୟ କରିଦେଲେ; କିନ୍ତୁ ଇତିମଧ୍ୟରେ ବର୍ଷେ ବିତିଗଲାଣି, ହେଲେ ଓଡ଼ିଶାର ପ୍ରସ୍ତାବ ଉପରେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ।
ଗୋଟିଏ ବାତ୍ୟା ପରେ ଆଉ ଗୋଟିଏ ବାତ୍ୟା ଆସି ଓଡ଼ିଶା ଦ୍ୱାର ଦେଶରେ ପହଞ୍ଚିଛି, ତଥାପି ବର୍ଷକ ମଧ୍ୟରେ ଏ ସଂକ୍ରାନ୍ତରେ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନିଆଯାଇନାହିଁ। ପୂର୍ବ ଭାରତରେ ଓଡ଼ିଶା ସବୁଠାରୁ ଅଧିକ ପ୍ରାକୃତିକ ବିପର୍ଯ୍ୟାୟର ସମ୍ମୁଖୀନ ହେଉଛି। ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ହଜାର ହଜାର କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହେଉଛି। ସବୁଠାରୁ ଅଧିକ କ୍ଷତି ହେଉଛି ଶକ୍ତି କ୍ଷେତ୍ରରେ। ପ୍ରାକୃତିକ ବିପର୍ଯ୍ୟୟକୁ ରୋକାଯିବା ଯଦିଓ ସମ୍ଭବ ନୁହେଁ, ତଥାପି ଉପଯୁକ୍ତ ପ୍ରସ୍ତୁତି ଦ୍ୱାରା କ୍ଷୟକ୍ଷତିକୁ ବହୁ ଗୁଣରେ ହ୍ରାସ କରାଯାଇ ପାରିବ। ଏଥିରେ କେନ୍ଦ୍ର ସରକାରଙ୍କର ସହଯୋଗ ଏକାନ୍ତ ଆବଶ୍ୟକ। ଏହି ମର୍ମରେ ଗତବର୍ଷ ମେ’ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ୟ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଏକ ପାଦ ଆଗକୁ ଯାଇ ୟସ୍ ବାତ୍ୟାର କ୍ଷୟକ୍ଷତି ନିମନ୍ତେ କୋଭିଡ଼ ପ୍ରଭାବିତ କେନ୍ଦ୍ର ଅର୍ଥନୀତି ଉପରେ ଚାପ ପକାଇବାକୁ ଚାହିଁ ନ ଥିଲେ।
କ୍ଷୟକ୍ଷତି ଅନୁଧ୍ୟାନ ନିମନ୍ତେ ଓଡ଼ିଶା ଆସିଥିବା ପ୍ରଧାନମନ୍ତ୍ରୀଙ୍କୁ ଭେଟି ବିପର୍ଯ୍ୟୟ କ୍ଷତିପୂରଣ ସହାୟତା ପ୍ରଦାନ କରିବା ବଦଳରେ ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ। ବାତ୍ୟା ନିରୋଧୀ ବିଦ୍ୟୁତ ସଂଯୋଗ ବ୍ୟବସ୍ଥା, ଉପକୂଳ ଅଞ୍ଚଳର ସୁରକ୍ଷା, ବନ୍ଧବାଡ଼ ମରାମତି ଆଦି ପାଇଁ ସହାୟତା ପ୍ରଦାନ ନିମନ୍ତେ ପ୍ରସ୍ତାବ ଦେଇଥିଲେ।। ବନ୍ୟା ବାତ୍ୟା ସମୟରେ ବିଦ୍ୟୁତ ସରବରାହ ଜାରି ରଖିବା ପାଇଁ ଭୂତଳ କେବୁଲ ବିଛାଇବା ପାଇଁ ଓଡ଼ିଶା ପ୍ରସ୍ତୁତ ଥିବା କଥା ମଧ୍ୟ ଶ୍ରୀ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଥିଲେ। ପରିବର୍ତ୍ତିତ ଜଳବାୟୁ ଏବଂ ଏହାର ପ୍ରତିକୂଳ ପ୍ରଭାବ ପରିପ୍ରେକ୍ଷୀରେ ଓଡ଼ିଶାର ଏହି ପ୍ରସ୍ତାବ ବେଶ୍ ଗୁରୁତ୍ୱ ବହନ କରୁଛି। କିନ୍ତୁ ଇତିମଧ୍ୟରେ କେବଳ ଗୋଟିଏ ବୈଠକ ଛଡ଼ା ଆଉ କିଛି ହୋଇ ନାହିଁ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେବାର ଗୋଟିଏ ଦିନ ପରେ କେନ୍ଦ୍ର ଶକ୍ତି ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସମେତ ସ୍ରୋଲ ଇଲେକ୍ଟ୍ରିସିଟି ଅଥରିଟି (ସିଇଏ), ବାତ୍ୟାର ସମ୍ମୁଖୀନ ହେଉଥିବା ରାଜ୍ୟମାନଙ୍କର ଅଧିକାରୀ, ଶକ୍ତି ମନ୍ତ୍ରାଳୟ ଅଧୀନସ୍ଥ ସିପିଏସ୍ୟୁର ଅଧିକାରୀମାନେ ଉପସ୍ଥିତିରେ ଏହା ଉପରେ ବିସ୍ତୃତ ଆଲୋଚନା ମଧ୍ୟ କରାଯାଇଥିଲା। ଏହି ଅନୁସାରେ ଡିସ୍କମ୍ ଗୁଡିକ ଉପକୂଳ ରାଜ୍ୟରେ ବାତ୍ୟା ନିରୋଧୀ ବିଦ୍ୟୁତ୍ ଭିିତ୍ତିଭୂମି ସ୍ଥାପନ କରିବେ। ପ୍ରଥମେ ଉପକୂଳରୁ ୨୦ କିମି ଦୂରତା ମଧ୍ୟରେ ଝଡ଼ ବାତ୍ୟାର ସାମ୍ନା କରିପାରୁଥିବା ବିଦ୍ୟୁତ୍ ସରବରାହ ଏବଂ ସଞ୍ଚାଳନ ବ୍ୟବସ୍ଥା କରିବେ। ପରେ ଏହାର ସୀମା ୬୦ କିମିକୁ ବୃଦ୍ଧି କରାଯିବ। ଏୟାର ଇନସ୍ୟୁଲେଟେଡ୍ ସବ୍ ଷ୍ଟେସନ୍ ଗୁଡ଼ିକୁ ଗ୍ୟାସ୍ ଇନସ୍ୟୁଲେଟେଡ୍ ସବ୍ ଷ୍ଟେସନ୍ରେ ପରିବର୍ତ୍ତନ କରାଯିବ। ଏହା ଚାରିପଟେ ବନ୍ୟା ପ୍ରତିରୋଧୀ ପ୍ରାଚୀର ନିର୍ମାଣ କରାଯିବ।
ଇସ୍ପାତ ଢ଼ାଞ୍ଚାଗୁଡ଼ିକୁ କଳଙ୍କି ଲାଗିବାରୁ ସୁରକ୍ଷା ଦେବା ପାଇଁ ସେଥିରେ ଇପ୍ରୋକ୍ସି-ବେସଡ୍ ପେଣ୍ଟିଂ କରାଯିବ। ବିଦ୍ୟୁତ୍ ସଞ୍ଚାଳନ ଟ୍ରାନ୍ସଫର୍ମର ଗୁଡ଼ିକୁ କଂକ୍ରିଟ୍ ପ୍ଲିନ୍ଥ ଉପରେ ସ୍ଥାପନ କରାଯିବ। ଏଥିପାଇଁ ପ୍ରି-କାଷ୍ଟ କିମ୍ବା ଆରସିସି ଢ଼ାଞ୍ଚ।। ବ୍ୟବହାର କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ସେହିପରି ୧୧ କେଭି ଏବଂ ଲୋ ଟ୍ରାନ୍ସମିସନ୍ (ଏଲ୍ଟି) ଓଭରହେଡ୍ ଲାଇନ୍ ପାଇଁ ଏରିଏଲ୍ ବଡ୍ କେବୁଲ୍ ବ୍ୟବହାର କରାଯିବ। ପ୍ରବଳ ବେଗରେ ବହୁଥିବା ପବନକୁ ସମ୍ଭାଳିବା ପାଇଁ ରେଳବାଇ ଖୁଣ୍ଟ କିମ୍ବା ଡବଲ୍ ପୋଲ୍ ବ୍ୟବହାର କରିବା ପାଇଁ ଡିସ୍କମ୍ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ବାତ୍ୟା ପରେ ପରେ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ତଥା କ୍ଷୟକ୍ଷତି ହ୍ରାସ କରିବା ପାଇଁ ବିପର୍ଯ୍ୟୟ ପରିଚାଳନା ଯୋଜନା ଏବଂ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁଓର (ଏସ୍ଓପି) ପ୍ରସ୍ତୁତ କରିବା ପାଇଁ ମନ୍ତ୍ରାଳୟ ନିଷ୍ପତ୍ତିି ନେଇଥିଲା।
ଅନୁରୂପ ଭାବରେ ବାତ୍ୟା ପ୍ରତିରୋଧୀ ବିଦ୍ୟୁତ୍ ସରବରାହ ଓ ବିତରଣ ଟାସ୍କ ଫୋର୍ସ ଏସ୍ଓପି ପ୍ରସ୍ତୁତ କରିବ ଏବଂ ଏହାକୁ ଉପକୂଳ ରାଜ୍ୟ ପାଳନ କରିବେ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା। ତେବେ ଗୋଟିଏ ବୈଠକ ପରେ ଏହି ସବୁ ପ୍ରସ୍ତାବ ଶୀତଳଭଣ୍ଡାରରେ ପଡ଼ି ରହିଛି। ଏହା ପରେ ଆଉ କିଛି ଅଗ୍ରଗତି ହୋଇନାହିଁ। ସେହିପରି ବନ୍ୟା ତଥା ଜୁଆର ମାଡ଼ରୁ ଉପକୂଳ ଅଞ୍ଚଳକୁ ସୁରକ୍ଷା ଦେବା, ବନ୍ଧବାଡ଼ ମରାମତି କରିବା ଉପରେ ଆଦୌ କିଛି ହୋଇ ନାହିଁ। ଇତିମଧ୍ୟରେ ଆଉ ଏକ ବାତ୍ୟା ଓଡ଼ିଶା ଉପକୂଳରେ ଆଘାତ ଦେବାକୁ ପ୍ରସ୍ତୁତ ହୋଇଛି। ମାତ୍ର ବାତ୍ୟା ପ୍ରତିରୋଧୀ ବିଦ୍ୟୁତ୍ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ରର ଅବହେଳା ପୁଣିଥରେ ଓଡ଼ିଶାକୁ କ୍ଷତିଗ୍ରସ୍ତ କରିବା ଆଶଙ୍କା ସୃଷ୍ଟି କରିଛି।