ଭୁବନେଶ୍ୱର: ବାତ୍ୟା ମାଡ଼ ଦୃଷ୍ଟିରୁ ସମ୍ବେଦନଶୀଳ ଜିଲ୍ଲା ତାଲିକାରେ ଓଡ଼ିଶାର ବାଲେଶ୍ୱର ରହିଛି। ବାଲେଶ୍ୱର ଜିଲ୍ଲା ପ୍ରତି ଅଢ଼େଇ ବର୍ଷରେ ଗୋଟିଏ ବାତ୍ୟା ମାଡ଼ ବିପଦ ରହୁଛି। ରାଜ୍ୟର ଏହି ଜିଲ୍ଲାକୁ ବାତ୍ୟାର ସର୍ବାଧିକ ପ୍ରଭାବ ରହୁଥିବା ବେଳେ ଏହି ଜିଲ୍ଲାରେ କ୍ଷତି ମଧ୍ୟ ଅଧିକ ହେଉଛି। ବାତ୍ୟା ସମୟରେ ବାଲେଶ୍ୱରରେ ବର୍ଷା, ପବନ ଓ ସମୁଦ୍ର ପାଣି ଆଗକୁ ମାଡ଼ି ଆସିବାର ବିପଦ ମଧ୍ୟ ସର୍ବାଧିକ ରହୁଛି ବୋଲି ଆଇଏମ୍ଡି ପକ୍ଷରୁ ପ୍ରକାଶ ପାଇଥିବା “କ୍ଲାଇମେଟ୍ ହାଜାର୍ଡ ଭଲନେରବଲିଟି ଆଟଲାସ” ରିପୋର୍ଟରେ ଜଣାପଡ଼ିଛି। ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଆଇଏମଡି ଯେଉଁ ସୂଚକାଙ୍କ ଜାରି କରିଛି, ସେଥିରେ ବାଲେଶ୍ୱରକୁ ରାଜ୍ୟର ସବୁଠାରୁ ଅଧିକ ବାତ୍ୟା ପ୍ରବଣ ଜିଲ୍ଲା ଭାବେ ଅଭିହିତ କରିଛି।
ଭାରତୀୟ ପାଣିପାଗ ବିଭାଗର ପୁଣେ ସ୍ଥିତ “କ୍ଲାଇମେଟ୍ ରିସର୍ଚ୍ଚ ଆଣ୍ଡ ସର୍ଭିସ”ର ବରିଷ୍ଠ ବୈଜ୍ଞାନିକ ମାନେ ୧୯୬୧-୨୦୨୦ ମଧ୍ୟରେ ଘଟିଥିବା ପାଣିପାଗ ଘଟଣାବଳୀକୁ ଅନୁଧ୍ୟାନ କରି ଏହି ରିପୋର୍ଟ ପ୍ରକାଶ କରିଛନ୍ତି। ବିଭିନ୍ନ ସମୟରେ ହୋଇଥିବା ବାତ୍ୟାର ସମୟ ବ୍ୟବଧାନରୁ ଜଣାପଡ଼ିଛି ଯେ ବାଲେଶ୍ୱରକୁ ପ୍ରତି ୨.୮୬ ବର୍ଷରେ ଗୋଟିଏ ବାତ୍ୟା ମାଡ଼ ହେଉଥିବା ବେଳେ କେନ୍ଦ୍ରାପଡ଼ାକୁ ୩.୭୫ ବର୍ଷରେ ଗୋଟିଏ ବାତ୍ୟା ବିପଦ ରହୁଛି। ସେହିପରି ପୁରୀ ପ୍ରତି ୩.୩ ବର୍ଷ ରହିଥିବା ବେଳେ ଗଞ୍ଜାମ ଓ ଭଦ୍ରକ ପାଇଁ ପ୍ରତି ୪ ବର୍ଷରେ ଗୋଟିଏ ବାତ୍ୟା ମାଡ଼ ହେବାର ବିପଦ ରହିଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଏଥିରେ ସମ୍ବେଦନଶୀଳ ବୋଲି ଦର୍ଶାଯାଇଥିବା ବେଳେ ପଶ୍ଚିମବଙ୍ଗର ସୁନ୍ଦରବନକୁ ଦେଶର ବାତ୍ୟା ରାଜଧାନୀ ଭାବେ ଦର୍ଶାଯାଇଛି। ୨୪ ପ୍ରଗଣା ଜିଲ୍ଲାକୁ ୨.୬୧ ବର୍ଷରେ ଗୋଟିଏ ଲେଖାଏଁ ବାତ୍ୟା ମାଡ଼ର ବିପଦ ଥିବାର ଏଠାରେ କୁହାଯାଇଛି। ସେହିପରି ଓଡ଼ିଶାର ଜଗତସିଂହପୁର ଜିଲ୍ଲାଠାରୁ ପଶ୍ଚିମବଙ୍ଗର ଦକ୍ଷିଣ ୨୪ପ୍ରଗଣା ପର୍ଯ୍ୟନ୍ତ ଥିବା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକୁ ଅତ୍ୟନ୍ତ ସମ୍ବେଦନଶୀଳ ଜିଲ୍ଲା ଭାବେ ଦର୍ଶାଯାଇଛି। ବଙ୍ଗୋପସାଗର ଉପକୂଳବର୍ତ୍ତୀ ୨୫ ଟି ଜିିଲ୍ଲା ବିପଦରେ ଥିବା ବେଳେ ଏଥିରେ ତାମିଲନାଡ଼ୁର ୧୦, ଆନ୍ଧ୍ରପ୍ରଦେଶର ୭ ଓ ଓଡ଼ିଶାରୁ ୬ ଟି ଜିଲ୍ଲା ରହିଥିବା ବେଳେ ପଶ୍ଚିମବଙ୍ଗର ୨ ଟି ଜିଲ୍ଲା ରହିଛି।
ରିପୋର୍ଟରେ ଦର୍ଶାଯାଇଛି ଯେ ୧୯୬୧-୨୦୨୦ ମଧ୍ୟରେ ଏହି ଉପକୂଳ ଦେଇ ପ୍ରାୟ ୯୦ ଟି ବାତ୍ୟା ଗତି କରିଛି। ୨୦୨୧ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ୧୦ ଟି “ସାଇକ୍ଲୋନିକ୍ ଡିଷ୍ଟର୍ବାନ୍ସ” ମଧ୍ୟରୁ ସୁନ୍ଦରବନରେ ଦୁଇଟି ବାତ୍ୟା ସ୍ଥଳଭାଗ ଅତିକ୍ରମ କରିଛି। ‘ୟସ’ ଓ ‘ଜୱାଦ’୍ ବାତ୍ୟା ଏଠାରେ ଅତିକ୍ରମ କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେହିପରି ଓଡ଼ିଶାର କେନ୍ଦ୍ରପାଡ଼ା ଜିଲ୍ଲା ସମେତ ଆନ୍ଧ୍ରପ୍ରଦେଶର ନିଲୋର ଓ ପଶ୍ଚିମବଙ୍ଗର ପୂର୍ବ ମେଦିନପୁରକୁ ମଧ୍ୟ ବାତ୍ୟାପ୍ରବଣ ଜିଲ୍ଲା ଭାବେ ଦର୍ଶାଯାଇଛି। ରିପୋର୍ଟ ସମ୍ପର୍କରେ ସୂଚନା ଦେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏହି ସ୍ଥିତି ଆଗକୁ ଆହୁରି ବିଗିଡ଼ିବାର ଆଶଙ୍କା ରହିଛି। ୨୦୨୦ ପରେ ମଧ୍ୟ ଅନେକ ବାତ୍ୟା ଆସିଛି। ଯାହାକି ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାକୁ କ୍ଷତିଗ୍ରସ୍ତ କରିଛି। ୨୦୧୮ରୁ ଜଳବାୟୁର ପ୍ରଭାବ ଆରବ ସାଗର ଓ ବଙ୍ଗୋପସାଗରରେ ପ୍ରଭାବ ପକାଇବାରେ ଲାଗିଛି। ଏହାଦ୍ୱାରା ବାର୍ଷିକ ପରିସଂଖ୍ୟନରେ ପରିବର୍ତ୍ତନ ଆସିବା ସହିତ ଏହି ସଂଖ୍ୟା ମଧ୍ୟ ବୃଦ୍ଧି ହେବାର ଆଶଙ୍କା ରହିଛି ବୋଲି ଶ୍ରୀ ଦାସ କହିଛନ୍ତି।