ଭୁବନେଶ୍ୱର: ସାଧାରଣତଃ ଆଚାର ନାଁ ଶୁଣିଲେ ସମସ୍ତଙ୍କ ପାଟିରେ ଲାଳ ଆସିଯାଏ। ଆମେ ସାଧାରଣତଃ ଆମ୍ବ, ଲେମ୍ବୁ, ଓଉ, କୋଳି ଆଦିରେ ତିଆରି ଉଭୟ ଖଟା ଓ ମିଠା ଆଚାର ଦୈନନ୍ଦିନ ଖାଦ୍ୟରେ ଖାଇଥାଉ। ହେଲେ ରୋହି, ଭାକୁର ମାଛ, ଚିକେନ୍, ମଟନ୍, କଙ୍କଡ଼ା, ଚିଙ୍ଗୁଡ଼ି ଓ ଶୁଖୁଆ ଆଦି ଆମିଷ ଖାଦ୍ୟରୁ ମଧ୍ୟ ତିଆରି ହେଉଛି ଆଚାର। ଯାହା ଆମେ ଖାଉଥିବା ସାଧାରଣ ଆଚାର ଠାରୁ ସ୍ୱାଦରେ କମ୍ ନୁହେଁ। ଏଭଳି ଆମିଷ ଆଚାର ତିଆରିକରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ରାଜଧାନୀର ଏସ୍ଏଚ୍ଜି ମହିଳା ଏନ୍ ମୁନୀ। ଏଭଳି ଏକ ନିଆରା ପ୍ରଚେଷ୍ଟା ଆରମ୍ଭ କରି ବର୍ତ୍ତମାନ ମା’ ବୈଷ୍ଣବୀ ଏସ୍ଏଚ୍ଜିର ସଦସ୍ୟଙ୍କୁ ସାମିଲ କରାଇଛନ୍ତି। ଯାହା ମହିଳାଙ୍କୁ ରୋଜଗାରର ବାଟ ଦେଖାଇଛି। ଏନ୍ ମୁନୀଙ୍କ ୩୦ବର୍ଷର ଆମିଷ ତିଆରି ଅଭିଜ୍ଞତାକୁ ନେଇ ବର୍ଷେ ହେବ ରାଜଧାନୀବାସୀଙ୍କୁ ଆମିଷ ଆଚାର ଚଖାଉଛନ୍ତି ଏହି ଗ୍ରୁପ୍ର ୧୨ ସଦସ୍ୟ।
ମା’ମାନେ ସ୍ୱାବଲମ୍ବୀ ହେବା ପାଇଁ ବର୍ତ୍ତମାନ ବିଭିନ୍ନ ପ୍ରକାର ପନ୍ଥା ଆପଣାଇଛନ୍ତି। ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଅଧୀନରେ ବିଭିନ୍ନ ସହାୟତା ପାଇବା ପରେ ମହିଳାମାନେ ନିଜେ ରୋଜଗାରକ୍ଷମ ହେବା ସହ ଆଖପାଖ ଅଞ୍ଚଳର ମହିଳାମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଭୁବନେଶ୍ୱର ମହାନଗର ଅଧୀନସ୍ଥ ୱାର୍ଡ ନମ୍ବର-୪୧ ଖାରବେଳ ନଗର, ପିଏଚ୍ଡି କ୍ୟାମ୍ପସ୍-୩ରେ ରହୁଛନ୍ତି ଏସ୍ ମୁନୀ। ବର୍ତ୍ତମାନ ସେ ମା’ ବୈଷ୍ଣବୀ ଏସ୍ଏଚ୍ଜି ସଦସ୍ୟା ରହିଥିବା ବେଳେ ମୈତ୍ରୀ ମହାସଂଘର ସଭାପତି ରହିଛନ୍ତି। ତାଙ୍କର ବିଭିନ୍ନ ଆଚାର ତିଆରି କରିବାରେ ପୂର୍ବରୁ ହଷ୍ଟେଲରେ ରହୁଥିବା ନିଜ ପିଲାମାନଙ୍କ ପାଇଁ ସେ ଆମିଷ ଆଚାର ତିଆରି କରୁଥିଲେ। ମହିଳାମାନେ କିଭଳି ରୋଜଗାରକ୍ଷମ ହୋଇପାରିବେ ସେଥିପାଇଁ ସେ ବ୍ୟକ୍ତିଗତ ଭାବେ କରୁଥିବା ଏହି ଆଚାର ପ୍ରସ୍ତୁତି ଶୈଳୀ ନିଜ ଗ୍ରୁପ୍ର ମା’ ମାନଙ୍କୁ ଶିଖାଇଥିଲେ। ଯାହା ବର୍ତ୍ତମାନ ୧୨ଜଣ ମା’ଙ୍କୁ ନେଇ ସେ ଏହି ଆଚାର ପ୍ରସ୍ତୁତ କରୁଛନ୍ତି। ବର୍ତ୍ତମାନ ମା’ ମାନେ ଆଇଗିଣିଆସ୍ଥିତ ମହିଳା ଭେଣ୍ଡିଂଜୋନ୍ରେ ଏହି ଆଚାର ବ୍ୟବସାୟ କରୁଛନ୍ତି। ଏଠାରେ ରୋହି, ଭାକୁର ଆଚାର ସାଙ୍ଗକୁ ଚିଙ୍ଗୁଡ଼ି, କଙ୍କଡ଼ା, ଚିକେନ୍ ଓ ମଟନ୍ ଭଳି ବିଭିନ୍ନ ଆମିଷ ଆଚାର ଉପଲବ୍ଧ ରହିଛି। ରୋହି ଭାକୁର ଆଚାର ଦାମ୍ କିଲୋ ପିଛା ୭୦୦ରୁ ୭୫୦ ଟଙ୍କା ରହିଥିବା ବେଳେ ଚିକେନ୍ ଆଚାର ଦାମ୍ ରହିଛି ୧୨୦୦ଟଙ୍କା। ସେହିପରି କଙ୍କଡ଼ା ଓ ମଟନ୍ ଆଚାର କିଲୋ ପିଛା ୨ ହଜାରରୁ ୨୨ଶହ ଟଙ୍କା ରହିଛି। ତେବେ ଆମିଷ ଆଚାର ମଧ୍ୟରେ ଚିଙ୍ଗୁଡ଼ି ଆଚାରର ଚାହିଦା ଅଧିକ ରହିଥିବା ଏନ୍ ମୁନୀ କହିଛନ୍ତି। ଏହାର ଦାମ୍ କିଲୋପିଛା ୧୬ଶହ ଟଙ୍କା ରହିଛି। ତେବେ ଏହି ଆମିଷ ଆଚାରଗୁଡ଼ିକ ଗ୍ରାହକମାନେ ଅର୍ଡର ଦେଉଥିବା ବେଳେ ୨ରୁ ୩ମାସ ରୁ ଅଧିକ ସମୟ ରଖାଯାଇ ପାରିବନାହିଁ ବୋଲି ସେ କହିଛନ୍ତି। ଆଗକୁ ତାଙ୍କ ଅଧୀନରେ ରହିଥିବା ମହାସଂଘର ୧୮ଟି ଏସ୍ଏଚ୍ଜିର ୧୮୦ଜଣ ମହିଳାଙ୍କୁ ନେଇ ଆମିଷ ଆଚାର ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖବା ସହ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ଆଗକୁ ରାଜ୍ୟ ବାହାରକୁ ରପ୍ତାନି କରାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଏସ୍ ମୁନୀ କହିଛନ୍ତି।