ଭୁବନେଶ୍ବର: ପରଲୋକରେ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ । ୯୧ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କଲେ କବି ରମାକାନ୍ତ । ଭୁବନେଶ୍ୱର ଖାରବେଳନଗର ସ୍ଥିତ ବାସଭବନରେ କବି ରମାକାନ୍ତଙ୍କ ରଥଙ୍କ ପରଲୋକ ହୋଇଛି । ସେ ଥିଲେ ଆଧୁନିକ କାବ୍ୟର ଅନ୍ୟତମ ସ୍ରଷ୍ଟା । ‘ଶ୍ରୀରାଧା’ କବି ଭାବେ ସେ ପରିଚିତ ଥିଲେ । ‘ସପ୍ତମ ଋତୁ’ ପାଇଁ କେନ୍ଦ୍ର ସାହିତ୍ୟ ପୁରସ୍କାର ପାଇଥିଲେ ସେ । ‘ସଚିତ୍ର ଅନ୍ଧାର’ ପାଇଁ ଶାରଳା ପୁରସ୍କାରରେ ସମ୍ମାନୀତ ହୋଇଥିଲେ କବି ରମାକାନ୍ତ ।
୯୩୪ ମସିହା ଡିସେମ୍ବର ୧୩ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ ରମାକାନ୍ତ ରଥ । ସେ ଥିଲେ ଓଡ଼ିଆ ସାହିତ୍ୟର ଜଣେ ଆଧୁନିକ କବି । ଇଂରାଜୀରେ ରେଭେନ୍ସା କଲେଜରୁ ଏମ.ଏ. କରିବା ପରେ ୧୯୫୭ରେ ଭାରତୀୟ ପ୍ରଶାସନିକ ସେବା ଯୋଗଦେଇଥିଲେ । ୧୯୯୨ରେ ଅବସର ଗ୍ରହଣ କରିବା ପୂର୍ବରୁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଥିଲେ । ଏହି ସମୟରେ ତାଙ୍କର କେତେ ଦିନର , ସନ୍ଦିଗ୍ଧ ମୃଗୟା , ସପ୍ତମ ରତୁ , ସଚିତ୍ର ଅନ୍ଧାର , ଶ୍ରୀରାଧା ଏବଂ ଶ୍ରେଷ୍ଠ କବିତା ନାମରେ ସାତଟି କବିତା ସଂକଳନ ପ୍ରକାଶ ପାଇଥିଲା । କେନ୍ଦ୍ର ସାହିତ୍ୟ ଏକାଡେମୀ ୧୯୭୮ ମସିହାରେ ତାଙ୍କ କବିତା ସଂକଳନ ସପ୍ତମ ଋତୁ ପାଇଁ ତାଙ୍କୁ ପୁରସ୍କୃତ କରିଥିଲା । ୧୯୮୪ରେ ସଚିତ୍ର ଅନ୍ଧାର ପାଇଁ ତାଙ୍କୁ ଶାରଳା ପୁରସ୍କାର ମିଳିଥିଲା । ୧୯୯୨ ମସିହାରେ ଶ୍ରୀରାଧା ପାଇଁ ସେ ସରସ୍ୱତୀ ସମ୍ମାନରେ ସମ୍ମାନିତ ହୋଇଥିଲେ । ୨୦୦୬ ମସିହାରେ ପଦ୍ମଶ୍ମୀ ଉପାଧି ପାଇଥିଲେ ରମାକାନ୍ତ ରଥ । ୨୦୧୮ରେ ଅତିବଡି ଜଗନ୍ନାଥ ଦାସ ସମ୍ମାନ ପାଇଥିଲେ ।