ଭୁବନେଶ୍ୱର: ଡ୍ରାଇଭର ମହାସଂଘ ପକ୍ଷରୁ ଦିଆଯାଇଥିବା ଆନ୍ଦୋଳନ ଡାକରା ଚତୁର୍ଥ ଦିନରେ ପହଞ୍ଚିଛି। ତିନିଦିନ ହେବ ରାଜ୍ୟରେ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଥିବାରୁ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ସଂକଟ ଦେଖାଦେବାର ଆଶଙ୍କା ସୃଷ୍ଟି ହୋଇଛି। ପେଟ୍ରୋଲ୍ ଡିଜେଲର ଅଭାବ ଯୋଗୁଁ ଅନେକ ଟାଙ୍କିରେ ତାଲା ପଡ଼ିଯାଇଥିବା ବେଳେ ପରିବା, ଗ୍ୟାସ୍ ଓ ଫଳ ଆଦି ସାମଗ୍ରୀ ପରିବହନରେ ମଧ୍ୟ ବାଧା ସୃଷ୍ଟି ହୋଇଛି। ଏହାର ପ୍ରଭାବ ସିଧାସଳଖ ଖାଉଟିଙ୍କ ଉପରେ ପଡ଼ିଛି। ଅନେକ ସାମଗ୍ରୀର ଏବେ ଦରଦାମ୍ ବୃଦ୍ଧି ପାଉଥିବା ବେଳେ ଲୋକଙ୍କୁ ଅଧିକ ଅର୍ଥ ଦେବାକୁ ପଡ଼ିଛି। ଡ୍ରାଇଭରମାନେ ଏବେ ବି ନିଜ ଜିଦିରେ ଅଟଳ ରହିଥିବା ବେଳ ସରକାର ଲିଖିତ ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ଆନ୍ଦୋଳନ ବଳବତ୍ତର ରହିବ ବୋଲି ଘୋଷଣା କରିଛନ୍ତି। ତେବେ ଆସନ୍ତାକାଲି ଭୁବନେଶ୍ବରରେ କଂଗ୍ରେସର ସମ୍ବିଧାନ ବଞ୍ଚାଅ ସମାବେଶକୁ ଆସୁଥିବା ଗାଡ଼ିଗୁଡ଼ିକୁ ନ ଅଟକାଇବା ପାଇଁ ଡ୍ରାଇଭର୍ମାନଙ୍କୁ ସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି ନିବେଦନ କରିଛନ୍ତି।
ଅନ୍ୟପକ୍ଷରେ ଡ୍ରାଇଭରମାନଙ୍କଆନ୍ଦୋଳନକୁ ପ୍ରଶମିତ କରିବାକୁ ସରକାରଙ୍କ ପକ୍ଷରୁ ସେଭଳି କୌଣସି ଉଦ୍ୟମ କରାଯାଉ ନ ଥିବା ଅଭିଯୋଗ ହେଉଛି। ଡ୍ରାଇଭର ସଂଘ ସହ କୌଣସି ପ୍ରକାର ଆଲୋଚନା କରା ନ ଯିବା ଓ ସରକାରୀ ଭାବେ ଆନ୍ଦୋଳନରତ ଡ୍ରାଇଭରମାନଙ୍କ ପାଖକୁ କୌଣସି ପ୍ରତିନିଧି ଦଳ ନ ଯାଉଥିବାରୁ ଆନ୍ଦୋଳନ କେବେ ଶେଷ ହେବ ତାହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଆନ୍ଦୋଳନର ପ୍ରଥମ ଦିନ ଅର୍ଥାତ ୮ ତାରିଖ ରାତିରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଡ୍ରାଇଭର ସଂଘର ପ୍ରତିନିଧିମାନଙ୍କ ସହ ଆଲୋଚନା କରି ଦାବି ପୂରଣର ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଏହା କେବେ ପୂରଣ ହେବ ତାହା ଡ୍ରାଇଭରମାନଙ୍କୁ ସୁନିଶ୍ଚିତ କରାଇବାରେ ମନ୍ତ୍ରୀ ବିଫଳ ହୋଇଥିଲେ। ଡ୍ରାଇଭର ମହାସଂଘ ସେମାନଙ୍କ ଦାବି ପୂରଣ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା କିମ୍ବା ଲିଖିତ ପ୍ରତିଶ୍ରୁତି ଦାବିରେ ଅଟଳ ରହିଛି। ୩ ଦିନ ହେବ ଡ୍ରାଇଭରମାନେ ରାଜରାସ୍ତାରେ ବସିଛନ୍ତି। ଏସବୁ ସତ୍ତ୍ବେ ସରକାର କାହିଁକି ଏହି ପ୍ରସଙ୍ଗରେ ଉଦାସୀନ ରହିଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି। ଅନ୍ୟପଟେ ଖୋଦ୍ ବିଭାଗୀୟ ମନ୍ତ୍ରୀ ମଧ୍ୟ ଏହି ପ୍ରସଙ୍ଗରେ ବିଶେଷ ତତ୍ପରତା ଦେଖାଉ ନ ଥିବା ପରିଲକ୍ଷିତ ହୋଇଛି। ସାରା ରାଜ୍ୟରେ ଡ୍ରାଇଭରଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ଗୁରୁବାର ମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସୂଚନା ମିଳିଛି। ଯାହାକୁ ନେଇ ରାଜ୍ୟବାସୀଙ୍କ ମନରେ ପ୍ରବଳ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଗୋଟିଏ ପଟେ ଗାଡ଼ି ଚଳାଚଳ ବନ୍ଦ ଯୋଗୁଁ ସାଧାରଣ ପରିବହନ ସେବା ଠପ୍ ହୋଇ ଯାଇଛି। ଯେଉଁ କେତେକ ସ୍ଥାନରେ ସରକାରୀ ବସ୍ ଗଡ଼ୁଛି, ତାକୁ ମଧ୍ୟ ଆନ୍ଦୋଳନରତ ଡ୍ରାଇଭରମାନେ ଅଟକାଇବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ଅନେକ ସ୍ଥାନରେ ଡ୍ରାଇଭର ଡ୍ରାଇଭରମାନଙ୍କ ମଧ୍ୟରେ ଯୁକ୍ତି ତର୍କ ସ୍ଥିତି ସୃଷ୍ଟି ହେଉଥିବାକୁ ଆଗକୁ ଏହା ବଡ଼ ରୂପ ନେବାର ଆଶଙ୍କା ସୃଷ୍ଟି ହୋଇଛି। କିଛି କିଛି ସ୍ଥାନରେ ଡ୍ରାଇଭର ସଂଘର ଆକ୍ରମଣାତ୍ମକ ପନ୍ଥା ଗ୍ରହଣ କରୁଥିବା ନେଇ ମଧ୍ୟ ସ୍ଥିତି ସୃଷ୍ଟି ହୋଇଛି। ଏଭଳି ଅଭିଯୋଗମାନ ବଢ଼ୁଥିବାରୁ ରାଜ୍ୟରେ ଆଗକୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ଦେଖା ଦେଇଛି।
ତେଲ ପରେ ଗ୍ୟାସ୍ ଚିନ୍ତା
ଡ଼୍ରାଇଭରମାନଙ୍କ ଦାବି ପୂରଣ କରିବାରେ ସରକାର ଉଦାସୀନ ମନୋଭାବ ପୋଷଣ କରୁଥିବାରୁ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ପରିବହନ ମନ୍ତ୍ରୀ ଏହାର ସମାଧାନ କରିବା ପରିବର୍ତ୍ତେ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରାଜଧାନୀ ଛାଡ଼ି ନିଜ ବିଧାନସଭା କ୍ଷେତ୍ରକୁ ଚାଲିଯାଇଛନ୍ତି । ଫଳରେ ଆନ୍ଦୋଳନ ଜାରି ରହିଛି ଓ ସାଧାରଣ ଲୋକମାନେ ଅକଥନୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରଥମ ଦୁଇଦିନ ଆନ୍ଦୋଳନରେ ପେଟ୍ରୋଲିୟମ ସାମଗ୍ରୀର ଅଭାବ ପରିଲକ୍ଷିତ ହୋଇଥିବା ବେଳେ ତୃତୀୟ ଦିନ ଆନ୍ଦୋଳନ ଯୋଗୁଁ ରନ୍ଧନ ଗ୍ୟାସ ଅଭାବ ଦେଖାଦେଇଛି । ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯୋଗୁଁ ରାଜ୍ୟର ଭୁବନେଶ୍ୱର, କଟକ,ରାଉରକେଲା, ବ୍ରହ୍ମପୁର, ବାଲେଶ୍ୱର ଏବଂ ସମ୍ବଲପୁର ଭଳି ବଡ ସହରଗୁଡିକରେ ପେଟ୍ରୋଲ ଓ ଡିଜେଲର ଘୋର ସଙ୍କଟ ଦେଖାଦେଇଛି। ରାଜ୍ୟରେ ଦୁଇ ଦିନ ପାଇଁ ରହୁଥିବା ତେଲ ଷ୍ଟକ୍ ଏବେ ଶେଷ ହେବା ସ୍ଥିତିରେ ପହଞ୍ଚିଛି। ପାରାଦୀପ ଏବଂ ଜଟଣୀ ଡିପୋର ଟ୍ୟାଙ୍କର ଆସୁଥିଲେ ମଧ୍ୟ ତାହା ଟାଙ୍କିକୁ ଯିବାକୁ ଦିଆଯାଉ ନାହିଁ। ଭାରତ ଗ୍ୟାସ୍ର ଫିଲ୍ଡ ଅଫିସର ଅମିତ୍ କୁମାରଙ୍କ ସୂଚନା ଅନୁସାରେ ଆନ୍ଦୋଳନ ଆରମ୍ଭ ହେବାଠାରୁ ତିନି ଦିନ ହେବ ସିଲିଣ୍ଡର ଯୋଗାଣ ବନ୍ଦ ରହିଛି। ଭାରତ ଗ୍ୟାସ୍ର ଅନ୍ୟତମ ଡିଲର ବର୍ଷା ଏଣ୍ଟରପ୍ରାଇଜେସ୍ର କର୍ତ୍ତୃପକ୍ଷ ଅବିନାଶ ମହାନନ୍ଦ କହିଛନ୍ତି ଯେ ଯୋଗାଣ ବନ୍ଦ ଥିବାରୁ ଆମ ପାଖରେ ବର୍ତ୍ତମାନ ସିଲିଣ୍ଡର ଷ୍ଟକ ନାହିଁ, ଯାହା ଫଳରେ ଆମେ ଗ୍ରାହକଙ୍କୁ ଗ୍ୟାସ୍ ଡେଲିଭରୀ କରିପାରୁନାହୁଁ।
ଅପରପକ୍ଷେ ସର୍ବଭାରତୀୟ ପେଟ୍ରୋଲିୟମ୍ ଡିଲର୍ସ ମହାସଂଘର ମହାସଚିବ ସଞ୍ଜୟ ଲାଠ୍ କହିଛନ୍ତି ଯେ, ଆଜି ପାରାଦୀପ ସମେତ ବିଭିନ୍ନ ତୈଳ ଡିପୋରୁ ପ୍ରାୟ ୫୦୦ ତେଲ ଟ୍ୟାଙ୍କର ଲୋଡ୍ ହୋଇ ଗନ୍ତବ୍ୟ ସ୍ଥଳଗୁଡିକୁ ଯାଇଛି। କଟକ, ଭୁବନେଶ୍ୱର ଏବଂ ପୁରୀରେ ଏହା ଆଜି ରାତି ଓଅନ୍ୟ ଅଞ୍ଚଳଗୁଡିକରେ ଆସନ୍ତାକାଲି ସୁଦ୍ଧା ପହଞ୍ଚିଯିବ। ଯେଉଁଠାରେ ସମସ୍ୟା ହେଉଛି ସେଠାରେ ସରକାରଙ୍କ ଦ୍ୱାରା ନିଯୁକ୍ତ ନୋଡାଲ ଅଫିସରଙ୍କ ସହାୟତାରେ ଗାଡି ପାସ୍ କରାଯାଉଛି। ଏଥିରେ ବର୍ତ୍ତମାନର ସ୍ଥିତି ନିୟନ୍ତ୍ରଣ ହୋଇଯିବ, ହେଲେ ତା ପରେ କ’ଣ ହେବେ କହିହେବ ନାହିଁ ବୋଲି ସେ କହିଛନ୍ତି।