ଭୁବନେଶ୍ୱର: ବିପର୍ଯ୍ୟୟ ପରିଚାଳନାରେ ସର୍ବୋତ୍କୃଷ୍ଟ ପାରଦର୍ଶିତା ପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସ୍ଡମା)କୁ ଶୁକ୍ରବାର ‘ସୁଭାଷ ଚନ୍ଦ୍ର ବୋଷ ଆପଦ ପ୍ରବନ୍ଧନ ପୁରସ୍କାର-୨୦୨୩’ ମିଳିବ।
ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପୁରସ୍କାର ପ୍ରଦାନ କରିବେ। ଏହି ପୁରସ୍କାର ବାବଦକୁ ୫୧ ଲକ୍ଷ ଟଙ୍କାର ଅର୍ଥରାଶି ସହିତ ସାର୍ଟିଫିକେଟ୍ ପ୍ରଦାନ କରାଯିବ। ପୁରସ୍କାର ଗ୍ରହଣ ପାଇଁ ତତ୍କାଳୀନ ଓସଡମା ମୁଖ୍ୟ ତଥା ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଦିଲ୍ଲୀ ଗସ୍ତ କରିଥିବା ସୂଚନା ମିଳିଛି। ନ୍ୟାସନାଲ୍ ପ୍ଲାଟ୍ଫର୍ମ ଫର ଡିଜାଷ୍ଟର ରିସ୍କ ରିଡକ୍ସନ ପ୍ରୋଗ୍ରାମ ତୃତୀୟ ଅଧିବେଶନରେ ଏହି ପୁରସ୍କାର ପ୍ରଦାନ କରାଯିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ନେତାଜୀ ଜୟନ୍ତୀରେ ଏହି ପୁରସ୍କାର ଘୋଷଣା କରାଯାଇ ଆସୁଛି। ୨୦୨୩ ପାଇଁ ୨୭୪ ବ୍ୟକ୍ତି/ସଂଗଠନ ଆବେଦନ କରିଥିଲେ। ଓସ୍ଡମା ଓ ମିଜୋରାମର ଲୁଙ୍ଗଲେଇ ଦମକଳ କେନ୍ଦ୍ରକୁ ଏହି ପୁରସ୍କାର ପ୍ରଦାନ କରାଯିବା ନେଇ କେନ୍ଦ୍ର ସରକାର ଘୋଷଣା କରିଥିଲେ।