କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାଣିଓଟାରି ଘଟଣା ସହ ଯୋଡ଼ିବାକୁ ଚେଷ୍ଟା କରୁଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ। ବାରମ୍ବାର ମନ୍ତ୍ରୀଙ୍କ ନାଁରେ ମିଥ୍ୟା ଆକ୍ଷେପ କରୁଥିବା ସାଲୁଜାଙ୍କ ଅଭିଯୋଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ଅଭିଯୋଗ ଅତ୍ୟନ୍ତ ହାସ୍ୟାସ୍ପଦ ଓ ଦୁଃଭାର୍ଗ୍ୟଜନକ । ମୋ ବିରୋଧରେ ଏକ ଷଡଯନ୍ତ୍ର ହେଉଛି। ମମିତା ମେହେର ହତ୍ୟା ଘଟଣାରେ ମୋର କୌଣସି ସମ୍ପର୍କ ନାହିଁ, ବାରମ୍ବାର କହୁଛି ସବୁବେଳେ କହିବି ବୋଲି ମନ୍ତ୍ରୀ ଶ୍ରୀମିଶ୍ର କହିଛନ୍ତି।
ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ଯେଉଁ ଅଭିଯୋଗ ଆଣିଛନ୍ତି ଯେ ସେପ୍ଟେମ୍ବର ୨୦ରୁ ୨୩ ମୁଁ ରାୟପୁରରେ ଥିଲି। କିନ୍ତୁ ବିଧାୟକ ସାଲୁଜା ଜାଣିବା ଉଚିତ ମୁଁ ୨୧ ତାରିଖରେ ତାଙ୍କ ନିର୍ବାଚନ ମଣ୍ଡଳୀ କଣ୍ଟାବାଞ୍ଜିରେ ଥିଲି। ୨୨ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମଞ୍ଚରେ ପାଟଣାଗଡରେ ଉଦବୋଧନ ଦେଇଛି ଏବଂ ୨୫ ତାରିଖ ପର୍ଯ୍ୟନ୍ତ ମୁଁ ତାଙ୍କରି ଘରେ ତାଙ୍କରି ଗାଁରେ କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡାରେ ପ୍ରତ୍ୟେକ ପଞ୍ଚାୟତରେ ଭ୍ରମଣ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବାଣ୍ଟୁଥିଲି ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି।
ସୂଚନାଯୋଗ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ରାୟପୁର ଘର ବାବଦରେ ସାଂଘାତିକ ଅଭିଯୋଗ କରିଥିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ସନ୍ତୋଷ ସିଂ ସାଲୁଜା କହିଥିଲେ ଯେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗୋବିନ୍ଦ ଓ ମମିତାଙ୍କ ଭିତରେ ବୁଝାମଣା କରିବାକୁ ରାୟପୁରରେ ନେଇଥିଲେ। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ରାୟପୁରେ ଥିବା କୁଲ ହୋମ ଆପାର୍ଟମେଣ୍ଟରେ ସେପ୍ଟେମ୍ବର ୨୦ରୁ ୨୩ ବୁଝାମଣା କରିବାକୁ ଚେଷ୍ଟା କରିଥିଲେ।