ଢେଙ୍କାନାଳ ଗୋଦରବିଲ୍ଲି ନିକଟରୁ ୨ ହାତୀର ମୃତଦେହ ଉଦ୍ଧାର: ମୃତ୍ୟୁର କାରଣ ଅସ୍ପଷ୍ଟ, ବନ ବିଭାଗର ତଦନ୍ତ ଜାରି

ଢେଙ୍କାନାଳ: ବିପଦରେ ଗଜରାଜ । ପୁଣି ରାଜ୍ୟରେ ହାତୀ ମୃତ୍ୟୁ । ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ପଶ୍ଚିମ ରେଞ୍ଜ ଅନ୍ତର୍ଗତ ଗୋଦରବିଲ୍ଲି ଗ୍ରାମ ନିକଟରେ ଦୁଇଟି ହାତୀଙ୍କ ମୃତଦେହ ଠାବ କରାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇବା ସହ ବନ୍ୟପ୍ରାଣୀ ପ୍ରେମୀଙ୍କ ମଧ୍ୟରେ ଗଭୀର ଚିନ୍ତା ପ୍ରକଟ କରିଛି। ପ୍ରାଥମିକ ତଦନ୍ତ ଅନୁଯାୟୀ, ହାତୀମାନଙ୍କ ମଧ୍ୟରେ ଘଟିଥିବା ଗୋଷ୍ଠୀ ସଂଘର୍ଷ ଯୋଗୁଁ ଏହି ମୃତ୍ୟୁ ଘଟିଥାଇପାରେ ବୋଲି ବନ ବିଭାଗ ସନ୍ଦେହ କରୁଛି।

ବନ ବିଭାଗରୁ ମିଳିଥିବା ସୂଚନା ମୁତାବକ, ମୃତ ହାତୀଙ୍କ ମଧ୍ୟରେ ଏକ ୧୦ ବର୍ଷର ମାଈ ହାତୀ ଏବଂ ତା’ର ପ୍ରାୟ ୬ ମାସର ଛୁଆ ରହିଛି। ଗତ କିଛି ଦିନ ହେବ ଏହି ଅଞ୍ଚଳରେ ୩୮ଟି ହାତୀଙ୍କ ଏକ ବିଶାଳ ପଲ ଡେରା ପକାଇଛନ୍ତି। ଏହି ହାତୀପଲ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଫସଲ ଓ ସମ୍ପତ୍ତି ନଷ୍ଟ କରୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଘଟଣା ସମ୍ପର୍କରେ ଖବର ପାଇବା ପରେ ବନ ବିଭାଗର ଏକ ଟିମ୍ ତୁରନ୍ତ ଘଟଣାସ୍ଥଳକୁ ଯାଇ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଛନ୍ତି। ହାତୀମାନଙ୍କ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ବନ ବିଭାଗ ପକ୍ଷରୁ ବିସ୍ତୃତ ତଦନ୍ତ ଆରମ୍ଭ କରାଯାଇଛି। ମୃତଦେହର ବ୍ୟବଚ୍ଛେଦ (Post-mortem) ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି।

About The Author: Madhusudan Das