ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୪ର୍ଥ ମହଲାରୁ ଡେଇଁ ରୋଗୀଙ୍କ ମୃତ୍ୟୁ; ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) ପରିସରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୩୫ ବର୍ଷୀୟ ରୋଗୀ ଚିକିତ୍ସାଳୟର ୪ର୍ଥ ମହଲାରୁ ତଳକୁ ଡେଇଁ ପ୍ରାଣ ହରାଇଛନ୍ତି। ଏହି ଘଟଣା ପରେ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁରକ୍ଷା ବ୍ୟବସ୍ଥା ଏବଂ ରୋଗୀଙ୍କ ଯତ୍ନକୁ ନେଇ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀ ମନ୍ଦିର ରୋଡ୍ ଅଞ୍ଚଳର ମନୋଜ ଦେହୁରୀ। ସୂଚନା ଅନୁଯାୟୀ, ଉଚ୍ଚ ରକ୍ତଚାପ ଏବଂ ମୂର୍ଚ୍ଛା ରୋଗ (Seizures) କାରଣରୁ ମନୋଜଙ୍କୁ ଦୁଇ ଦିନ ପୂର୍ବରୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ରାତିରେ ସେ ହଠାତ୍ ୪ର୍ଥ ମହଲାରୁ ତଳକୁ ଡେଇଁ ପଡିଥିଲେ। ତେବେ ସେ କେଉଁ ପରିସ୍ଥିତିରେ ଏବଂ କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ, ତାହାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ହସ୍ପିଟାଲ ପରିସରରେ ସୁରକ୍ଷା କର୍ମୀ ମୁତୟନ ଥିବା ସତ୍ତ୍ୱେ ଜଣେ ରୋଗୀ କିଭଳି ୪ର୍ଥ ମହଲାକୁ ଯାଇ ତଳକୁ ଡେଇଁଲେ, ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ମନୋଜ ତଳକୁ ଡେଇଁବା ପରେ ସେଠାରେ ଉପସ୍ଥିତ ସୁରକ୍ଷା କର୍ମୀମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଓପିଡି (OPD) କୁ ନେଇଥିଲେ, ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାକୁ ଦର୍ଶାଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଖବର ପାଇ ଢେଙ୍କାନାଳ ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ପୋଲିସ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ରୋଗୀଙ୍କ ପରିବାର ଲୋକଙ୍କୁ ପଚରାଉଚରା କରୁଛି। ହସ୍ପିଟାଲର ସିସିଟିଭି ଫୁଟେଜ ଯାଞ୍ଚ କରାଯିବା ସହ ସେହି ସମୟରେ ଡ୍ୟୁଟିରେ ଥିବା କର୍ମଚାରୀଙ୍କ ସନ୍ଦେହଜନକ ଭୂମିକା ଉପରେ ମଧ୍ୟ ପୋଲିସ ନଜର ରଖିଛି।

About The Author: Madhusudan Das