ଆଜି ବୌଦ୍ଧ-କନ୍ଧମାଳ ସୀମାରେ ସୁରକ୍ଷାକର୍ମୀ ଓ ନକ୍ସଲ ମଧ୍ୟରେ ଦୀର୍ଘ ୮ ଘଣ୍ଟା ଧରି ଗୁଳିବିନିମୟ ହୋଇଥିଲା । ଯେଉଁଥିରେ ଦୁଇ ଜଣ ଏସ୍ଓଜି କମାଣ୍ଡୋ ଆହତ ହୋଇଥିଲେ । ଏହି ଖବର ଶୁଣି ଯଥାଶୀଘ୍ର ନିଜ ସିପାହୀଙ୍କ ଚିକିତ୍ସା ପାଇଁ ଅନ୍ୟ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରି ତୁରନ୍ତ ଘଟଣାସ୍ଥଳରେ ପହଁଚିଯାଇଥିଲେ ଡିଜିପି ଅଭୟ ଓ ଦୁଇ ଆହତ ଯବାନଙ୍କୁ ନିଜ ହେଲିକପ୍ଟରରେ ଏୟାର ଲିଫ୍ଟ କରି ଭୁବନେଶ୍ୱର ନେଇ ଆସିଥିଲେ ।
ସୂଚନା ଅନୁସାରେ, ଉମା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ନକ୍ସଲ ଉଭୟ ପକ୍ଷ ମଧ୍ୟରେ ଜୋରଦାର ଗୁଳି ବିନିମୟ ହୋଇଥିଲା । ଏହି ଗୁଳିବାଜି ସମୟରେ ଗୁରୁତର ଆହତ ହୋଇଥିଲେ ଏସ୍ଓଜିର ଦୁଇ କମାଣ୍ଡୋ । ଯଥାଶୀଘ୍ର ଉଭୟଙ୍କ ମେଡିକାଲ ଚିକିତ୍ସା ଆବଶ୍ୟକ ପଡିଥିଲା। ହେଲେ ସୌଭାଗ୍ୟକୁ ଏତିକି ବେଳେ ହେଲିକପ୍ଟର ଯୋଗେ କୋରାପୁଟ୍-ମାଲକାନଗିରି ଗସ୍ତରେ ଯାଉଥିବା ଡିଜିପି ଅଭୟଙ୍କ ପାଖେ ଏ ଖବର ପହଞ୍ଚିଯାଇଥିଲା। ଆଉ ସେ ତୁରନ୍ତ ଗସ୍ତ ବାତିଲ କରି ସୁନାବେଡ଼ାରୁ ସିଧା ପାଦେଲପଡ଼ା ପହଞ୍ଚିଥିଲେ। ଉଭୟଙ୍କୁ ନିଜ ହେଲିକପ୍ଟରରେ ଏୟାର ଲିଫ୍ଟ କରି ଭୁବନେଶ୍ୱର ନେଇ ଆସିଥିଲେ।
ଦୁଇ ଆହତ ଯବାନଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯିବା ପରେ ଏକ ସ୍ୱତନ୍ତ୍ର ଟିମ୍ ସହାୟତାରେ ଉଭୟଙ୍କ ଚିକିତ୍ସା ଚାଲିଛି। ସବୁଠୁ ବଡ଼ କଥା ହେଉଛି ଏହି ଆହତ ଯବାନଙ୍କ ସାଥିରେ ନିଜେ ଡିଜିପି ଅଭୟ ରହିଥିଲେ । ତାଙ୍କୁ ଭୁବନେଶ୍ୱର ଏମସରେ ଚିକିତ୍ସା କରାଇବା ପର୍ଯ୍ୟନ୍ତ ମଧ୍ୟ ସେ ପ୍ରୟାସରତ ରହିଥିଲେ । ଯେଉଁଥିପାଇଁ ଏବେ ଶୁଣିବାକୁ ମିଳୁଛି, ମୁଖିଆ ହେବ ତ ଏମିତି…