ମନ୍ଦ ଉଦ୍ଦେଶ୍ୟରେ ଆସିଥିବା ଡିଲିମିଟେସନ ବିଲ୍‌ କାଟ୍‌ ଖାଇଲା: ବିଜେଡି

ଭୁବନେଶ୍ୱର: ମହିଳା ସଂରକ୍ଷଣ ନାଁରେ ମନ୍ଦ ଉଦ୍ଦେଶ୍ୟ ରଖି କେନ୍ଦ୍ର ସରକାର ପକ୍ଷରୁ ଅଣାଯାଇଥିବା ଡିଲିମିଟେସନ ବିଲ୍‌ କାଟ୍‌ ଖାଇଲା ବୋଲି ବିଜେଡି କହିଛି। ତିନି ବର୍ଷ ଧରି ମହିଳା ସଂରକ୍ଷଣ ବିଲ୍‌ ସଂସଦର ଉଭୟ ସଦନରେ ପାଳିତ ହୋଇ ରାଷ୍ଟ୍ରପତିଙ୍କ ସ୍ୱୀକୃତି ପାଇସାରିଥିଲେ ମଧ୍ୟ କେନ୍ଦ୍ର ସରକାର ଗେଜେଟ ନୋଟିଫିିକେସନ କାହିଁକି କରି ନ ଥିଲେ ବୋଲି ବିଜେଡି ପ୍ରଶ୍ନ କରିଛି। ମହିଳା ସଂରକ୍ଷଣ ବାବଦରେ ବିଜୁ ଜନତା ଦଳର ଆଭିମୁଖ୍ୟ ଅତ୍ୟନ୍ତ ସ୍ପଷ୍ଟ। ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଦୂରଦୃଷ୍ଟି ସଂପର୍ଣ୍ଣ ନେତୃତ୍ୱ ଲାଗି ସାରା ଦେଶରେ ପ୍ରଥମ ଥର ପାଇଁ ମହିଳାମାନେ ପଞ୍ଚାୟତ ଓ ସ୍ଥାନୀୟ ପୌର ପ୍ରଶାସନରେ ୩୩ ପ୍ରତିଶତ ସଂରକ୍ଷଣ ପାଇପାରିଥିଲେ ବୋଲି ଦଳ ପକ୍ଷରୁ ଦୃଢେ଼ାକ୍ତି ପ୍ରକାଶ କରାଯାଇଛି।

ରବିବାର ଶଙ୍ଖ ଭବନଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ଉପସଭାପତି ସଂଜୟ କୁମାର ଦାସବର୍ମା କହିଥିଲେ ଯେ ମହିଳା ସଂରକ୍ଷଣ ନାଁରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡକାଯିବା ପରେ ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଓଡ଼ିଶାର ସ୍ୱାର୍ଥ ହାନି ହେଉଥିବା ଅନୁଭବ କରିଥିଲେ। ସେଥିପାଇଁ ଡିଲିମିଟେସନ ବିଲ୍‌ ସଂକ୍ରାନ୍ତରେ ଆଲୋଚନା କରିବା ପାଇଁ ତୁରନ୍ତ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଦଳମତ ନିର୍ବିଶେଷରେ ରାଜ୍ୟର ସାଂସଦଙ୍କୁ ପତ୍ର ଲେଖି ଶ୍ରୀ ପଟ୍ଟନାୟକ ଓଡ଼ିଶା ସ୍ୱାର୍ଥ ରକ୍ଷା ପାଇଁ ସଂସଦରେ ମୁହଁ ଖୋଲିବାକୁ ଅନୁରୋଧ କରିଥିଲେ; ମାତ୍ର ସଂସଦରେ ବିଲ୍‌ ଆସିବା ପରେ ଜଣାପଡିଲା ଯେ, ସମସ୍ତଙ୍କୁ ଅନ୍ଧାରରେ ରଖି ମହିଳା ସଂରକ୍ଷଣ ନାଁରେ ଡିଲିମିଟେସନ ବିଲରେ ଥିବା ପ୍ରାବଧାନ ଓଡ଼ିଶାର ସ୍ୱାର୍ଥ କ୍ଷୁଣ୍ଣ କରିବ। ଭାରତ ସରକାରଙ୍କ ଜନସଂଖ୍ୟା ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ନିଷ୍ଠାର ସହ ଅନୁପାଳନ କରି ଜନସଂଖ୍ୟା ନିୟନ୍ତ୍ରଣରେ ଓଡି଼ଶା ସଫଳ ହୋଇଥିବାରୁ ୨୦୧୧ ଜନଗଣନା ଅନୁସାରେ ଯଦି ଡିଲିମିଟେସନ ହୋଇଥାଆନ୍ତା, ତେବେ ଓଡ଼ିଶାର ଆସନ ସଂଖ୍ୟା ଆନୁପାତିକ ଭାବେ ହ୍ରାସ ପାଇଥାଆନ୍ତା। ତେଣୁ ବିଜେଡି ଏଭଳି ଏକ ଏକଛତ୍ରବାଦୀ ଓ ଓଡ଼ିଶା ସ୍ୱାର୍ଥ ବିରୋଧୀ ଡିଲିମିଟେସନ ବିଲ୍‌କୁ ବିରୋଧ କଲା। 

ବିଜେଡି ଗଣମାଧ୍ୟମ ସଂଯୋଜକ ଡ. ଲେନିନ୍‌ ମହାନ୍ତି କହିଥିଲେ ଯେ ବିଜେପି ନେତା ଓ କେନ୍ଦ୍ର ମନ୍ତ୍ରୀ ୫୦ ଭାଗ ଆସନ ସଂଖ୍ୟା ବୃଦ୍ଧି ବିଷୟ ଯେଉଁ ପ୍ରଚାର କରୁଛନ୍ତି ତାହା ମନଗଢା ତଥା ଭିତ୍ତିହୀନ। ବିଲ୍‌ରେ ଏଭଳି ବ୍ୟବସ୍ଥା ନାହିଁ। ମହିଳା ସଂରକ୍ଷଣକୁ ଢାଲ କରି ଡିଲିମିଟେସନ ବିଲ୍‌କୁ ପାରିତ କରିବା ପାଇଁ ହେଉଥିବା ଅପଚେଷ୍ଟା ବିଫଳ ହୋଇଛି। ଦୁଃଖର ବିଷୟ, ରାଜ୍ୟ ସ୍ୱାର୍ଥ ଅପେକ୍ଷା ଦଳୀୟ ସ୍ୱାର୍ଥକୁ ଅଗ୍ରାଧିକାର ଦେଇ ଓଡ଼ିଶା ବିଜେପିର ୨୦ ଜଣ ସାଂସଦ ରାଜ୍ୟ ସ୍ୱାର୍ଥ ବିରୋଧରେ ସଂସଦରେ ଭୋଟ ଦେଲେ। ଆଗାମୀ ଦିନରେ ରାଜ୍ୟବାସୀ ଏହାର ବିଚାର କରିବେ ବୋଲି ସେ କହିଥିଲେ।

About The Author: Madhusudan Das