ଭୁବନେଶ୍ୱର: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର ଦିନ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ କାଳରେ ସେ କୋରାପୁଟ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ସେ ସୁନାବେଡ଼ା ସ୍ଥିତ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (ହାଲ୍)ର ପ୍ରତିରକ୍ଷା ଉତ୍ପାଦନ ୟୁନିଟ୍ ପରିଦର୍ଶନ କରିବେ।
ମିଳିଥିବା ସୂଚନା ଅନୁଯାୟୀ, ରାଜନାଥ ସିଂହ ସୁନାବେଡ଼ା ହାଲ୍ ୟୁନିଟ୍ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ସେ ପ୍ରତିରକ୍ଷା ଉତ୍ପାଦନ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକଳାପର ସମୀକ୍ଷା କରିବେ ବୋଲି ଆଶା କରାଯାଉଛି। ଏହା ସହିତ ସେ ହାଲ୍ର ବରିଷ୍ଠ ଅଧିକାରୀ ଏବଂ ପ୍ରତିରକ୍ଷା କ୍ଷେତ୍ର ସହ ଜଡିତ ଅଧିକାରୀମାନଙ୍କ ସହିତ ବିସ୍ତୃତ ଆଲୋଚନା କରିବେ।
କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ରହିବେ। ପ୍ରତିରକ୍ଷା ଉତ୍ପାଦନ ଏବଂ ହାଲ୍ ୟୁନିଟ୍ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଦୃଷ୍ଟିରୁ ଏହି ଗସ୍ତକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ପରିଦର୍ଶନ ଶେଷ କରିବା ପରେ ରାଜନାଥ ସିଂହ ଅପରାହ୍ନରେ ରାଇପୁର ଦେଇ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।