ଭୁବନେଶ୍ୱର: ରାଜ୍ୟରେ ଅସାଧୁ ଫାଇନାନ୍ସ କମ୍ପାନୀଗୁଡ଼ିକ ସକ୍ରିୟ ରହିଛନ୍ତି। ଛୋଟ ବ୍ୟବସାୟୀମାନଙ୍କଠାରୁ ଆରମ୍ଭ କରି ମହିଳାମାନଙ୍କୁ କମ୍ପାନୀଗୁଡ଼ିକ ଋଣ ପ୍ରଦାନ କରୁଛନ୍ତି। ତେବେ ଋଣ ପ୍ରଦାନକୁ ନେଇ ଏକ ବଡ଼ ଅନିୟମିତତା ତଥା ବେଆଇନ କାର୍ଯ୍ୟକଳାପ ସାମ୍ନାକୁ ଆସିଛି। କିଛି ବ୍ୟକ୍ତି ଋଣ ନେଇ ଶୁଝିସାରିବା ପରେ ମଧ୍ୟ ସେମାନଙ୍କ ନାମରେ ଲକ୍ଷାଧିକ ଟଙ୍କାର ଋଣ ଅନୁମୋଦନ ହୋଇଥିବା ଓ କିସ୍ତି ପ୍ରଦାନ କରାଯାଉଥିବା ଦେଖିବାକୁ ମିଳିଛି। ତେବେ ରାଜଧାନୀରେ ସକ୍ରିୟ ଥିବା ଫାଇନାନ୍ସ କମ୍ପାନୀଗୁଡ଼ିକର ସେଲ୍ସ କର୍ମଚାରୀମାନେ ଗ୍ରାହକଙ୍କୁ ନ ଜଣାଇ ସେମାନଙ୍କ ନାମରେ ଋଣ କରିନେଉଥିବା ଅଭିଯୋଗ ବଢ଼଼ିବାରେ ଲାଗିଛି। ତେବେ ଏଭଳି କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ରୂପେ ବେଆଇନ ହୋଇଥିଲେ ମଧ୍ୟ ମାମଲାକୁ ପୁଲିସ ନିକଟକୁ ନ ନେଇ କମ୍ପାନୀ କର୍ତ୍ତୃପକ୍ଷ ନିଜ ସ୍ତରରେ ଚାପି ରଖୁଛନ୍ତି।
ରାଜଧାନୀରେ ଜଣେ ବ୍ୟକ୍ତି ଏକ ରାଷ୍ଟ୍ରାୟାତ୍ତ ବ୍ୟାଙ୍କରେ ଋଣ କରିବାକୁ ଆବେଦନ କରିଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କର ଆବେଦନ ଖାରଜ ହେବା ପରେ ସେ ବ୍ୟାଙ୍କକୁ ଋଣ ଖାରଜର କାରଣ ପଚାରିଥିଲେ। ଏହାପରେ ସେ ଜାଣିବାକୁ ପାଇଥିଲେ ଯେ ଫାଇନାନ୍ସ କମ୍ପାନୀ ଦ୍ୱାରା ସେମାନଙ୍କ ବିନାନୁମତିରେ ଋଣ ଅନୁମୋଦନ ହୋଇଛି। ଘଟଣା ଅନୁଯାୟୀ, ସମ୍ପୃକ୍ତ ବ୍ୟକ୍ତି ୨୦୨୦ ମସିହାରେ ଏକ ଫାଇନାନ୍ସ କମ୍ପାନୀଠାରୁ ୭୦ ହଜାର ଟଙ୍କାର ଋଣ ନେଇଥିଲେ। ତେବେ ଉକ୍ତ ଋଣକୁ ସେ ନିର୍ଦ୍ଧାରିତ ସମୟରେ ପଇଠ କରିସାରିଛନ୍ତି। ମାତ୍ର ଏବେ ବି ତାଙ୍କ ନାମରେ ୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଋଣ ଅନୁମୋଦିତ ହୋଇଥିବା ସେ ଜାଣିବାକୁ ପାଇଛନ୍ତି। ତେବେ ଗତ ଏକମାସ ମଧ୍ୟରେ ଭୁବନେଶ୍ୱରରେ ଏଭଳି ୧୦ଟି ଅଭିଯୋଗ ଫାଇନାନ୍ସ କମ୍ପାନୀସ୍ତରରେ ପହଞ୍ଚିଥିବା ଦେଖିବାକୁ ମିଳିଲାନି। ଫାଇନାନ୍ସ କମ୍ପାନୀର ଜନୈକ ଶାଖା ପରିଚାଳକ ଏସମ୍ପର୍କରେ କହିଛନ୍ତି ଯେ ସେଲ୍ସ କର୍ମଚାରୀମାନେ ଫିଲ୍ଡକୁ ସାପ୍ତାହିକ ତଥା ମାସିକ କିସ୍ତି ଆଦାୟ କରିବାକୁ ଯାଉଛନ୍ତି। ଉକ୍ତ କର୍ମଚାରୀମାନେ ଋଣ ନେଉଥିବା ଗ୍ରାହକମାନଙ୍କର ତଥ୍ୟ ନିଜ ପାଖରେ ରଖୁଛନ୍ତି। ବାୟୋମେଟ୍ରିକ୍ଠାରୁ ଆରମ୍ଭ କରି ବ୍ୟକ୍ତିଗତ ତଥ୍ୟ ସେଲ୍ସ କର୍ମଚାରୀମାନଙ୍କ ପାଖରେ ରହୁଛି। ଏଣୁ ଅନେକ ସ୍ଥଳେ ଗ୍ରାହକମାନେ ଋଣ ଶୁଝିସାରିବା ପରେ ମଧ୍ୟ କର୍ମଚାରୀମାନେ ଗ୍ରାହକଙ୍କ ତଥ୍ୟକୁ ବ୍ୟବହାର କରି ପୁଣି ଥରେ ଋଣ ପାଇଁ ଆବେଦନ କରିନିଅନ୍ତି। ଋଣର କିସ୍ତି କର୍ମଚାରୀମାନେ ନିଜେ ପଇଠ କରନ୍ତି। ମାତ୍ର ଋଣ ସମ୍ପୃକ୍ତ ଗ୍ରାହକଙ୍କ ନାମରେ ରହିଥାଏ। ଏହା ଆଇନତଃ ଅପରାଧ ଅଟେ।
ଅନ୍ୟପକ୍ଷରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅଧିକାରୀ ରମାକାନ୍ତ ଦାଶ କହିଛନ୍ତି ଯେ, ସମସ୍ତେ ନିଜ ସିବିଲ୍ ଓ ଲୋନ୍ ଷ୍ଟାଟସ୍କୁ ସମୟ ସମୟରେ ଯାଞ୍ଚ କରିବା ଦରକାର। ସାମାଜିକ ଗଣମାଧ୍ୟମ ମାତ୍ରାଧିକ ଭାବେ ସକ୍ରିୟ ହେବା ପରେ ବ୍ୟକ୍ତିଗତ ତଥ୍ୟ ଏବେ ସାର୍ବଜନୀନ ହୋଇଯାଇଛି। କିଛି ଉପହାର, ରିଆତି କିମ୍ବା ଆର୍ଥିକ ସୁବିଧା ସୁଯୋଗ ପାଇଁ ବ୍ୟକ୍ତିବିଶେଷ ନିଜ ତଥ୍ୟ ଦାଖଲ କରିବାକୁ କୁଣ୍ଠାବୋଧ ପ୍ରକାଶ କରୁନାହାନ୍ତି। ଫଳରେ ତଥ୍ୟ ସବୁ କମ୍ପାନୀଗୁଡ଼ିକ ପାଖରେ ସହଜରେ ଉପଲବ୍ଧ ହୋଇଯାଉଛି। ଏଣୁ ଏଦିଗରେ ଗ୍ରାହକ ନିଜେ ସତର୍କ ରହିବା ଦରକାର। ସେହିଭଳି ଏଭଳି ଋଣ ଠକେଇ କାରଣରୁ ସମ୍ପୃକ୍ତ ଗ୍ରାହକମାନେ ନିଜ ଆବଶ୍ୟକ ସମୟରେ ଋଣ ପାଉନାହାନ୍ତି।