ପୋଲିସ କ୍ୱାର୍ଟର୍ସରୁ ମହିଳା ସବ୍-ଇନ୍ସପେକ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁକୁ ନେଇ ବଢୁଛି ରହସ୍ୟ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ପରିସରରେ ଥିବା ସରକାରୀ କ୍ୱାର୍ଟର୍ସ ମଧ୍ୟରୁ ଜଣେ ମହିଳା ସବ୍-ଇନ୍ସପେକ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ମୃତ ପୋଲିସ ଅଧିକାରୀଙ୍କ ପରିଚୟ ସବ୍-ଇନ୍ସପେକ୍ଟର ପ୍ରଭାସିନୀ ସାହୁ ବୋଲି ଜଣାପଡିଛି । ସେ ପୁରୁଷୋତ୍ତମପୁର ଥାନାରେ କାର୍ଯ୍ୟରତ ଥିଲେ । ଆଜି ତାଙ୍କୁ ତାଙ୍କ ସରକାରୀ ବାସଭବନରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଏହି ଖବର ପ୍ରସାରିତ ହେବା ପରେ ପୋଲିସ ବିଭାଗରେ ଶୋକର ଛାୟା ଖେଳିଯାଇଛି । 

ଘଟଣା ସମ୍ପର୍କରେ ସୂଚନା ପାଇ ଗଞ୍ଜାମ ଏସପି (SP)ଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପୋଲିସ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହା ଏକ ଆତ୍ମହତ୍ୟା ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ସେ ନେଇ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି । ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରୁ ପ୍ରାଥମିକ ତଥ୍ୟ ସଂଗ୍ରହ କରିବା ସହ ପ୍ରଭାସିନୀଙ୍କ ସହକର୍ମୀ ଓ ପରିବାର ଲୋକଙ୍କୁ ପଚରାଉଚରା କରିବା ଆରମ୍ଭ କରିଛନ୍ତି । ତଦନ୍ତ ପରେ ହିଁ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।

About The Author: Madhusudan Das