ଭୁବନେଶ୍ୱର: ସରକାର କହୁଛନ୍ତି ରନ୍ଧନ ଗ୍ୟାସର ସମସ୍ୟା ନାହିଁ, କମ୍ପାନୀ କହୁଛି ପର୍ଯ୍ୟାନ୍ତ ଗ୍ୟାସ ଗଚ୍ଛିତ ଅଛି; ପାଞ୍ଚ ଦିନ ମଧ୍ୟରେ ଉପଭୋକ୍ତାଙ୍କୁ ଗ୍ୟାସ ଯୋଗାଇ ଦିଆଯାଉଛି। ମାତ୍ର ବାସ୍ତବ ସ୍ଥିତି ଭିନ୍ନ, ରାଜ୍ୟର ରାଜଧାନୀରେ ଅଧିକାଂଶ ଗ୍ୟାସ ଏଜେନ୍ସିଗୁଡ଼ିକରେ ଯେପରି ଲମ୍ବା ଧାଡ଼ି ଲାଗିଛି; ସେଥିରୁ କିଏ ସତ କହୁଛି ତାହା ସ୍ପଷ୍ଟ ହୋଇପାରୁ ନାହିଁ। ଏପରିକି ବୁକିଂ ସହ ଟଙ୍କା ଜମା ଓ ଓଟିପି ଆସିବାର ୧୫ ଦିନ ପରେ ବି ଉପଭୋକ୍ତାଙ୍କୁ ଗ୍ୟାସ ମିଳିପାରୁ ନାହିଁ। ଫୋନ୍ କଲେ ଗ୍ୟାସ ଏଜେନ୍ସି କର୍ତ୍ତୃପକ୍ଷ ଫୋନ୍ ଉଠାଉ ନାହାନ୍ତି, ବାରମ୍ବାର ଫୋନ୍ କରିବା ପରେ ଉତ୍ତର ମିଳୁଛି ଗ୍ୟାସ ଡେ଼ଲିଭରି ହୋଇ ସାରିଛି । ଯେଉଁଠି ଉପଭୋକ୍ତାଙ୍କୁ ଗ୍ୟାସ ସିଲିଣ୍ଡର ଡେ଼ଲିଭରି ହୋଇନାହିଁ, ତାହା କୁଆଡେ଼ ଗଲା ବୋଲି ପ୍ରଶ୍ନର ଉତ୍ତର ଦେବାକୁ ବି ଏଜେନ୍ସି ସାମାନ୍ୟ ସୌଜନ୍ୟ ଦେଖାଉ ନାହାନ୍ତି।
ରାଜଧାନୀ ଅନ୍ତର୍ଗତ କଳିଙ୍ଗନଗରର ଜଣେ ଏଚ୍ପି ଗ୍ୟାସ ଉପଭୋକ୍ତା ଖଣ୍ଡଗିରିସ୍ଥିତ ଲିଙ୍ଗରାଜ ଗ୍ୟାସରେ ତାଙ୍କର ସିଲିଣ୍ଡର ଅନଲାଇନରେ ବୁକିଂ କରିଥିଲେ। ବୁକିଂର ଦିନେ ଦୁଇଦିନ ପରେ ତାଙ୍କ ମୋବାଇଲ୍କୁ ଡେ଼ଲିଭରି ସମୟରେ ଆବଶ୍ୟକ ଓଟିପି ଆସିଲା। ଉପଭୋକ୍ତା ଓଟିପି ଧରି ଗ୍ୟାସ ସିଲିଣ୍ଡରକୁ ଅପେକ୍ଷା କରି ରହିଲେ। ଦିନେ, ଦୁଇଦିନ ଯାଇ ୧୫ ଦିନ ବିତିଲା; ମାତ୍ର ସିଲିଣ୍ଡର ପହଞ୍ଚିଲା ନାହିଁ। ଶେଷରେ ତାଙ୍କ ମୋବାଇଲ୍କୁ ଗୋଟିଏ ମେସେଜ ଆସିଲା ଯେ ତାଙ୍କର ଗ୍ୟାସ ଡେ଼ଲିଭରି ହୋଇଛି। କ୍ୟାସ ମେମୋ ନମ୍ବର ୧୧୪୯୩୯୨ ଓ ୩୧ ମାର୍ଚ୍ଚ ପରେ ପରବର୍ତ୍ତୀ ଗ୍ୟାସ ବୁକିଂ କରିପାରିବେ ବୋଲି ଏଥିରେ ଉଲ୍ଲେଖ ରହିଥିଲା। ମାତ୍ର ଉପଭୋକ୍ତାଙ୍କ ଘରେ ଗ୍ୟାସ ଡେ଼ଲିଭରି ହୋଇ ନ ଥିବା ଓ ସେ ଗ୍ୟାସ ବାବଦ ଟଙ୍କା ପ୍ରଦାନ କରି ନ ଥିବାବେଳେ ଏପରି ମେସେଜ କିପରି ଆସିଲା? ତାଙ୍କ ନାମରେ ବୁକିଂ ହୋଇଥିବା ଗ୍ୟାସ କୁଆଡେ଼ ଗଲା ଓ କିଏ ତାହାକୁ ବିକିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଗ୍ୟାସ ଏଜେନ୍ସି କର୍ତ୍ତୃପକ୍ଷ ବା ଡେ଼ଲିଭରୀ କରୁଥିବା ବ୍ୟକ୍ତିବିଶେଷ ମିଳିମିଶି ଏହାକୁ କଳାବଜାରରେ ବିକ୍ରି କରିଥିବା ସେ ସନ୍ଦେହ କରିଛନ୍ତି ।
ଅନୁରୂପ ଭାବରେ୧୯ ମାର୍ଚ୍ଚରେ ନୟାପଲ୍ଲୀସ୍ଥିତ ରାଜଧାନୀ ଗ୍ୟାସରେ ସିଲିଣ୍ଡର ବୁକିଂ ସହ ଟଙ୍କା ଜମା କରିଥିବା କରିଥିବା ଅନ୍ୟଜଣେ ଉପଭୋକ୍ତା ସମାନ ଅଭିଯୋଗ କରିଛନ୍ତି । ୩୧ ତାରିଖ ପର୍ଯ୍ୟନ୍ତ ଗ୍ୟାସ ସିଲିଣ୍ଡର ତାଙ୍କ ନିକଟରେ ପହଞ୍ଚି ନାହିଁ ଓ ଏ ସମ୍ପର୍କରେ ସମ୍ପୃକ୍ତ ଗ୍ୟାସ ଏଜେନ୍ସି ସହ ଯୋଗାଯୋଗ କରିଥିଲେ ବି କିଛି ସନ୍ତୋଜନକ ଉତ୍ତର ମିଳି ନ ଥିବା ସେ କହିଛନ୍ତି । କେବଳ ଏହି ଦୁଇଟି ଘଟଣା ନୁହେଁ, ରାଜଧାନୀରେ ଏବେ ପ୍ରତିଦିନ ଅନୁରୂପ ହଜାର ହଜାର ଘଟଣା ଘଟୁଛି।
ରାଜଧାନୀର ଅଧିକାଂଶ ଗ୍ୟାସ ଏଜେନ୍ସି କଳାବଜାରରେ ମାତିଥିବା ଅଭିଯୋଗ ହୋଇଛି । ବାଣିଜ୍ୟିକ ଗ୍ୟାସ କୋଟା ହ୍ରାସ ପାଇଥିବାରୁ ବଡ଼ବଡ଼ ହୋଟେଲ ଓ ରେଷ୍ଟୁରାଣ୍ଟ ମାଲିକ, ଟେଣ୍ଟ ହାଉସ ଓ ମଣ୍ଡପ ମାଲିକମାନଙ୍କୁ ଚଢ଼ା ଦରରେ ବିକ୍ରିକରି ଅନେକ ଗ୍ୟାସ ଏଜେନ୍ସି ବିପୁଳ ମୁନାଫା ପାଉଛନ୍ତି । ଏପରିକି ଜରୁରୀ ଆବଶ୍ୟକ ସାଧାରଣ ଉପଭୋକ୍ତାଙ୍କ ପାଇଁ ଆସୁଥିବା ଗ୍ୟାସକୁ ଅନ୍ୟତ୍ର ସିଲିଣ୍ଡର ପିଛା ୨୫୦୦ରୁ ୩୦୦୦ ଟଙ୍କାରେ ବିକ୍ରି କରାଯାଉଛି । ଏପରିକି କିଛି ବାହାର ଦୋକାନରେ ୫ ଲିଟର ସିଲିଣ୍ଡରରେ ଗ୍ୟାସ କେଜି ୩୦୦ ଟଙ୍କା ଲେଖାଏଁ ବିକ୍ରି ହେଉଥିବା ଦେଖାଯାଉଛି । କେବଳ ରାଜଧାନୀ ଭୁବନେଶ୍ୱର କାହିଁକି କଟକ, ପୁରୀ, ସମ୍ବଲପୁର, ବ୍ରହ୍ମପୁର, ଜୟପୁର, ରାଉରକେଲା ଏବଂ ବାଲେଶ୍ୱର ଭଳି ପ୍ରମୁଖ ସହରଗୁଡିକରେ ରନ୍ଧନ ଗ୍ୟାସ୍ର ଅଭାବ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇଦେଇଛି। ଏଲ୍ପିଜି ସିଲିଣ୍ଡର ପାଇଁ ଗ୍ୟାସ୍ ଏଜେନ୍ସି ଆଗରେ ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି। ଲୋକେ ସକାଳ ସବୁ କାମ ଛାଡି ଏଲ୍ପିଜି ସିଲିଣ୍ଡର ପାଇଁ ଧାଡିରେ ଛିଡା ହେଉଛନ୍ତି। ଗ୍ରାହକ କମ୍ପାନୀର ନମ୍ବରରେ କଲ କଲେ ମଧ୍ୟ ବୁକିଂ ହୋଇପାରୁନାହିଁ। ଏପରିକି ବୁକିଂର ୧୫ ଦିନ ପରେ ମଧ୍ୟ ଗ୍ରାହକଙ୍କୁ ଏଲ୍ପିଜି ସିଲିଣ୍ଡର ମିଳୁନି ଓ ବୁକିଂ ହେବା ପରେ ବି ଗ୍ରାହକଙ୍କୁ ସିଲିଣ୍ଡର ମିଳୁନାହିଁ।
ସରକାରଙ୍କ ନୂଆ ନିୟମ ଅନୁସାରେ ଏଲ୍ପିଜି ସିଲିଣ୍ଡର ବୁକିଂ ଅବଧି ସହରାଞ୍ଚଳରେ ୨୧ ଦିନରୁ ୨୫ ଦିନକୁ ଓ ଗ୍ରାମାଞ୍ଚଳରେ ୪୫ ଦିନକୁ ବୃଦ୍ଧି କରାଯାଇଛି । ମାତ୍ର ଗ୍ରାହକମାନଙ୍କୁ ଶୋଷଣ କରୁଥିବା ଓ କଳାବଜାରରେ ଗ୍ୟାସ ସିଲିଣ୍ଡର ବିକ୍ରି କରୁଥିବା କୌଣସି ଗୋଟିଏ ବି ଏଜେନ୍ସି ବିରୋଧରେ ଆଜିଯାଏ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାର ଦୃଷ୍ଟାନ୍ତ ନାହିଁ । ଯଦି ରାଜ୍ୟରେ ବାସ୍ତବରେ ଗ୍ୟାସ ସଙ୍କଟ ନାହିଁ ଓ ସରକାର ସତରେ ଲୋକମାନଙ୍କ ହିତ ଚାହୁଁଛନ୍ତି, ତେବେ ଅଭିଯୋଗ ସତ୍ତେ୍ୱ ଗ୍ୟାସ ଏଜେନ୍ସି ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ବୋଲି ସ୍ୱାଭାବିକ ପ୍ରଶ୍ନ ଉଠିଛି ।