୪୮ଘଣ୍ଟାରେ ବାତ୍ୟା, ଓଡ଼ିଶାକୁ ନାହିଁ ମିଚାଉଁ ବିପଦ

ଭୁବନେଶ୍ୱର : ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଘନୀଭୂତ ହୋଇଛି। ଆଜି ଏହା ଅବପାତରେ ପରିଣତ ହେବ ଏବଂ ପରବର୍ତ୍ତୀ ୪୮ଘଣ୍ଟାରେ ଏହା ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ତେବେ ସମ୍ଭାବ୍ୟ ବାତ୍ୟା ମିଚାଉଁର ପ୍ରଭାବ ଓଡ଼ିଶା ଉପରେ ବିଶେଷ ପଡ଼ିବ ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ ଦକ୍ଷିଣ ଆଣ୍ଡାମାନ ସାଗର ପାର୍ଶ୍ବବର୍ତ୍ତୀ ଦକ୍ଷିଣ […]

ଭୁବନେଶ୍ୱର : ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଘନୀଭୂତ ହୋଇଛି। ଆଜି ଏହା ଅବପାତରେ ପରିଣତ ହେବ ଏବଂ ପରବର୍ତ୍ତୀ ୪୮ଘଣ୍ଟାରେ ଏହା ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ତେବେ ସମ୍ଭାବ୍ୟ ବାତ୍ୟା ମିଚାଉଁର ପ୍ରଭାବ ଓଡ଼ିଶା ଉପରେ ବିଶେଷ ପଡ଼ିବ ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ ଦକ୍ଷିଣ ଆଣ୍ଡାମାନ ସାଗର ପାର୍ଶ୍ବବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏହି ଲଘୁଚାପ ସୃଷ୍ଟି ହୋଇଛି। ବୁଧବାର ସକାଳ ୫ଟା ୩୦ରେ ଏହା ଘନୀଭୂତ ହୋଇ ସୁଦୃଶ ଲଘୁଚାପରେ ପରିଣତ ହୋଇଛି। ଏହା ପଶ୍ଚିମ, ଉତ୍ତର ପଶ୍ଚିମ ଦିଗରେ ଗତି କରିବ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚି ଅଧିକ ଘନୀଭୂତ ହେବ। ଆସନ୍ତା କାଲି ଅର୍ଥାତ୍‌‌ ୩୦ ତାରିଖ ସୁଦ୍ଧା ଏହା ଅବପାତ ଓ ଏହାର ୪୮ ଘଣ୍ଟା ମଧ୍ୟରେ ବାତ୍ୟାରେ ପରିଣତ ହେବ। ତେବେ ବାତ୍ୟାର ତୀବ୍ରତା ଓ ଗତିପଥ କ’ଣ ରହିବ ସେ ନେଇ କୌଣସି ଆକଳନ କରାଯାଇନି। ଅବପାତ ସୃଷ୍ଟି ହେବା ପରେ ତାହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚି ଆହୁରି ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ର ରୂପ ନେବ ବୋଲି ଶ୍ରୀ ଦାସ କହିଛନ୍ତି।

ସେହିପରି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ସମ୍ଭାବ୍ୟ ବାତ୍ୟା ଦ୍ୱାରା ଓଡ଼ିଶାରେ ବର୍ଷା ହୋଇପାରେ। ଆସନ୍ତା ୩ ତାରିଖରେ ଏହି ଲଘୁଚାପ ବାତ୍ୟାର ରୂପ ନେବା ସହିତ ୪ତାରିଖରୁ ଉତ୍ତର-ପୂର୍ବରେ ଗତି କରି ୬ତାରିଖରେ ବାଂଲାଦେଶ ଉପକୂଳ ସ୍ପର୍ଶ କରିବ। ଫଳରେ ୪ ଓ ୫ ତାରିଖରେରେ ଓଡ଼ିଶାର ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲା ଏବଂ ୫ ଓ ୬ତାରିଖରେ ଉତ୍ତର ଉପକୂଳ ଜିଲ୍ଲାରେ ବର୍ଷା ହୋଇପାରେ। ରାଜ୍ୟର ଉପକୂଳଠାରୁ ବହୁ ଦୂରରେ ଏହି ବାତ୍ୟା ଯିବାର ସମ୍ଭାବନା ଥିବାରୁ ରାଜ୍ୟରେ ପବନ ପାଇଁ ଭୟଭୀତ ହେବାର ନାହିଁ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ଗୁରୁବାର ଅବପାତ ସୃଷ୍ଟି ହେଉଥିଲେ ମଧ୍ୟ ତାହା ପ୍ରଭାବରେ ଓଡ଼ିଶା ଉପକୂଳ ତଥା ଓଡ଼ିଶାର କୌଣସି ଅଞ୍ଚଳକୁ ଚେତାବନୀ ଜାରି କରାଯାଇ ନାହିଁ। ଆସନ୍ତା ୩ ଓ ୪ତାରିଖରେ କେବଳ ହାଲୁକା ବର୍ଷା ହେବାର ଅନୁମାନ କରାଯାଉଛି। ମାତ୍ର ସମ୍ଭାବ୍ୟ ଘୂର୍ଣ୍ଣିଝଡ଼ ପ୍ରଭାବରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହୁଥିବାରୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆସନ୍ତା ୧ ତାରିଖରୁ ୪୦ରୁ ୫୦ କିମି ବେଗରେ ପବନ ବୋହିପାରେ। ପବନର ବେଗ ବଢ଼଼ି ୨ ତାରିଖ ବେଳକୁ ୫୦ରୁ ୬୦ କିମି ଓ ସର୍ବାଧିକ ୭୦ କିମି ପର୍ଯ୍ୟନ୍ତ ଯାଇପାରେ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଏହା ପ୍ରଭାବରେ ୧ ତାରିଖରୁ ସମୁଦ୍ର ଅଶାନ୍ତରୁ ଅଧିକ ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀଙ୍କୁ କେନ୍ଦ୍ରୀୟ ବଙ୍ଗୋପସାଗରର ଗଭୀର ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଯେଉଁ ମତ୍ସ୍ୟଜୀବୀ ଗଭୀର ସମୁଦ୍ରରେ ରହିଛନ୍ତି, ସେମାନେ ୧ ତାରିଖ ସୁଦ୍ଧା କୂଳକୁ ଫେରି ଆସିବାକୁ କୁହାଯାଇଛି। ଆସନ୍ତା ୩ ତାରିଖଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା ଥିବା ବେଳେ ସେହିଦିନ ଜଗତସିଂହପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ କନ୍ଧମାଳରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

About The Author: The Sakala