ବାତ୍ୟା 'ଅକୱାନ' ମୁକାବିଲା: ୪ ଜିଲ୍ଲା ପାଇଁ ୪ ବରିଷ୍ଠ IAS ଅଧିକାରୀଙ୍କୁ ଦାୟିତ୍ୱ ଦେଲେ ଓଡ଼ିଶା ସରକାର

ଭୁବନେଶ୍ୱର: ବାତ୍ୟା ଅକୱାନ ମୁକାବିଲା ପାଇଁ ୪ ଜିଲ୍ଲାରେ ୪ ଆଇଏଏସ୍‌ ଅଧିକାରୀ ନିଯୁକ୍ତ । ଆଗାମୀ ବାତ୍ୟା 'ଅକୱାନ'କୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ବୁଧବାର ଦିନ ଏହି ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବାତ୍ୟା ମୁକାବିଲା, ସହାୟତା ଏବଂ ପୁନରୁଦ୍ଧାର କାର୍ଯ୍ୟର ତଦାରଖ ପାଇଁ ୪ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। 

ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ଉଚ୍ଚଶିକ୍ଷା ବିଭାଗର ସଚିବ ଅରବିନ୍ଦ ଅଗ୍ରୱାଲଙ୍କୁ ପୁରୀ ଜିଲ୍ଲା ଦାୟିତ୍ୱ ଦିଆଯାଇଥିବା ବେଳେ ବାଣିଜ୍ୟିକ କର ଏବଂ ଜିଏସଟି କମିଶନର ଯାମିନୀ ଷଡ଼ଙ୍ଗୀଙ୍କୁ ଜଗତସିଂହପୁର ଜିଲ୍ଲା ପାଇଁ ନିଯୁକ୍ତ କରାଯାଇଛି। ସେହିପରି ମିଶନ ଶକ୍ତି ବିଭାଗର ସଚିବ ମାନସୀ ନିମ୍ଭାଳଙ୍କୁ ଗଜପତି ଜିଲ୍ଲା ଏବଂ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ (OSIC)ର ପରିଚାଳନା ନିର୍ଦ୍ଦେଶକ ସ୍ମୃତି ରଞ୍ଜନ ପ୍ରଧାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସ୍ତୁତି କାର୍ଯ୍ୟର ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଚାରି ଅଧିକାରୀ ପୂର୍ବରୁ ସମ୍ପୃକ୍ତ ଜିଲ୍ଲାରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିବାର ଅଭିଜ୍ଞତା ରହିଛି । ସେହି ଦୃଷ୍ଟିରୁ ସେମାନଙ୍କୁ ଦାୟିତ୍ୱ ଦିଆଯାଇଛି । 

ଏହି ଅଧିକାରୀମାନେ ତୁରନ୍ତ ସେମାନଙ୍କର ସମ୍ପୃକ୍ତ ଜିଲ୍ଲାକୁ ଯାଇ ବାତ୍ୟା ପୂର୍ବ ପ୍ରସ୍ତୁତି, ରିଲିଫ୍ ଏବଂ ପୁନରୁଦ୍ଧାର କାର୍ଯ୍ୟକୁ ସିଧାସଳଖ ତଦାରଖ କରିବେ। ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରି ବାତ୍ୟା ବିପଦର ସଫଳ ମୁକାବିଲା କରିବାକୁ ସରକାର ସେମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

About The Author: Madhusudan Das