ଭୁବନେଶ୍ୱର: ଓଡ଼ିଶାର ଅର୍ଥନୀତି ଭୁଶୁଡିବା ପଛରେ ଚାଇନା ରଚୁଛି ସୁଚିନ୍ତିତ ଷଡଯନ୍ତ୍ର। ରାଜ୍ୟରେ ଯେତିକି ସାଇବର ଜନିତ ଅପରାଧ ଘଟୁଛି, ସବୁଥିରେ ଚାଇନାର ଲିଙ୍କ୍ ପଦାକୁ ଆସୁଛି। ନିବେଶ ଆଳରେ ଅଧିକ ରିଟର୍ଣ୍ଣର ଲୋଭ ଓ ବିଭ୍ରାନ୍ତକର ପରାମର୍ଶ ଦେଇ ଚାଇନ୍ ଶହ ଶହ କୋଟି ଟଙ୍କା ଆତ୍ମସାତ୍ କରୁଛି। ଓଡ଼ିଶାର ଏକାଧିକ ଘଟଣାରେ ଚାଇନ୍ ଲିଙ୍କ୍ର ସୂରାକ୍କୁ ନେଇ ଖୋଳତାଡ ପରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଚାଇନ୍ ଅପରାଧୀମାନେ ଭାରତୀୟ ଯୁବକଙ୍କୁ ଟାର୍ଗେଟ୍ କରୁଛନ୍ତି। ଭାରତୀୟ ଯୁବକ ସବୁଠାରୁ ଭଲ ଇଂରାଜୀ କହୁନ୍ତି। ତେଣୁ ଆମେରିକା, ବିଟ୍ରେନ୍, ମାଲେସିଆ, ଭିଏତ୍ନାମା ସହ ସମସ୍ତ ଆଫ୍ରିକୀୟ ଦେଶର ଲୋକମାନଙ୍କ ସହ ବାର୍ତ୍ତାଳପ କରି ଫସାଇଥାନ୍ତି। ଚୀନ୍ରେ ରହି ଅପରେଟ୍ କରୁଥିବା ମୁଖିଆ ନିର୍ଦ୍ଦେଶରେ ବିଦେଶୀ ନାଗରିକଙ୍କୁ ଟାର୍ଗେଟ୍ କରି ଶହ ଶହ କୋଟି ଟଙ୍କାର ଚୂନ ଲଗାଇଥାନ୍ତି। ସେମାନଙ୍କ ଠାରୁ ଡଲାରରେ ଟଙ୍କା ଆଣି ହାୱାଲା ଜରିଆରେ ଭାରତୀୟ ମୁଦ୍ରାରେ ବଦଳାଇଥାନ୍ତି।
ସେମାନଙ୍କୁ କାମ୍ବୋଡିଆ, ଥାଇଲ୍ୟାଣ୍ଡ ସହ ଦେଶର ଅନ୍ୟାନ୍ୟ ସ୍ଥାନରେ ନିଯୁକ୍ତି ଦେଇଥା’ନ୍ତି। କଲ୍ ସେଣ୍ଟରରେ କାର୍ଯ୍ୟରତ ଯୁବକ-ଯୁବତୀଙ୍କୁ ମାସକୁ ୩୦ରୁ ୪୦ହଜାର ଟଙ୍କା ଦରମା ମିଳିଥାଏ। ବିଶେଷକରି ହଂକଂ, ଦୁବାଇ ଏବଂ ମାଲେସିଆରୁ ଅପରେଟ୍ କରୁଥିବା ସାଇବର ଅପରାଧୀ ଏହି ଠକେଇର ରଣନୀତି ପ୍ରସ୍ତୁତ କରିଥାଆନ୍ତି। ତେଣୁ ଠକେଇ ଟଙ୍କାକୁ କିଭଳି ବିଦେଶ ପଠାଯିବ, ସେଥିପାଇଁ କ୍ରିପ୍ଟୋ ଏଜେନ୍ସି ସହ ଯୋଗାଯୋଗ କରି ସେମାନଙ୍କୁ ୪/୫ ପ୍ରତିଶତ କମିସନ ହିସାବରେ ଟଙ୍କା ନେଇଥାନ୍ତି। କେବଳ ଭାରତୀୟ ଯୁବକ ନୁହେଁ, ଫିଲିପାଇନ୍ସ, ଇଣ୍ଡୋନେସିଆ ଓ ଥାଇଲ୍ୟାଣ୍ଡ ଯୁବକଙ୍କୁ ବି ଟାର୍ଗେଟ୍ କରି କାର୍ଯ୍ୟରେ ନିୟୋଜିତ କରିଥାନ୍ତି। ଏହି ଦେଶଗୁଡିକର ନାଗରିକ ଭଲ ଇଂରାଜୀ କହୁଥିବାରୁ ସେମାନେ କିଛି ଟଙ୍କା ଲାଗି ମଙ୍ଗ ସମ୍ଭାଳିଥାନ୍ତି।
ସେହିପରି ଗତକାଲି ଡିଜିଟାଲ ଗିରଫଦାରୀ ଆଳରେ ଦେଶର ବଡ଼ଧରଣ ଠକେଇ କରିଥିବା ତାଇୱାନାର ୪ ନାଗରିକ ସମେତ ୧୮ଜଣଙ୍କୁ ଗିରଫ କରିଥିଲା ହାଇଦ୍ରାବାଦ ପୁଲିସ। ପୂର୍ବରୁ ସିମବକ୍ସ ସହ ଅନେକ ଘଟଣା ଘଟିଥିବା ବେଳେ ଗତକାଲି ଭୁବନେଶ୍ୱରରୁ ନକଲି କଲ୍ ସେଣ୍ଟର ଚାଇନାରୁ ଅପରେଟ୍ ହେଉଥିବା କଥା ସାମ୍ନାକୁ ଆସିଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ଚୀନ୍ ପ୍ରତ୍ୟେକ ବର୍ଷ ଦେଶରୁ ସାଇବର ଅପରାଧ ଘଟାଇ ଶହ ଶହ କୋଟି ଟଙ୍କା ଚୂନ ଲଗାଉଛି।
ଅନୁରୂପ ଭାବେ ଲୋନ୍-ଆପ୍, ଗେମ୍-ଆପ୍ ଓ ନିଯୁକ୍ତି ଆପ୍ରେ କୋଟି କୋଟି ଠକେଇ ଲିଙ୍କ୍ ଖୋଳତାଡ ପରେ ବିଦେଶୀ ଠକଙ୍କ ସମ୍ପୃକ୍ତି ପଦାକୁ ଆସୁଥିଲା। ଏହିକ୍ରମରେ ୧୦ଜଣ ଚାଇନା ନାଗରିକ ଗୁଆନହ୍ୱାନ ୱାଙ୍ଗ୍, ଲିଉ ହୁଆନ୍, ୱେନହୁଇ ହେଙ୍ଗ୍, ଏକ୍ସୟୁ ଜିଆଲୁ, ଶେନ୍ ଜେନ୍ହୁଆ ଓରଫ ଟୋନି, କ୍ୱାନ ହୋଙ୍ଗ୍ୱି ଓରଫ୍ ପଲ୍, ସିଚୁଆନ୍ ୟାଙ୍ଗ୍ ହାଇୟିଙ୍ଗ୍ ଓରଫ ଡୋରିସ୍, ଏକ୍ସିନ ପିଙ୍ଗ, ଲିୟୁ ୟିର ନାମରେ ଲୁକ୍ ଆଉଟ୍ ସର୍କ୍ୟୁଲାର(ଏଲ୍ଓସି) ଜାରି ହୋଇଥିଲା। ସେମାନଙ୍କୁ ଗିରଫ ଲାଗି ବ୍ୟୁରୋ ଅଫ୍ ଇମିଗ୍ରେସନ (ବିଓଆଇ)ର ସହାୟତା ବି ଲୋଡାଯାଇଛି। କିନ୍ତୁ ଚାଇନ୍ ତଦନ୍ତରେ ସହାୟତା କରୁନଥିବାରୁ ସେମାନେ ଏବେ ଓଡ଼ିଶା ପୁଲିସର ମୋଷ୍ଟୱାଣ୍ଟେଡ୍ ତାଲିକାରେ ରହିଛନ୍ତି।
ରାଜ୍ୟରୁ ଗତ ୪୨ ମାସରେ ୫୦୧ କୋଟି ଟଙ୍କା ଠକେଇ ହୋଇଛି। ରାଜ୍ୟର ବିଭିନ୍ନ ଥାନାରେ ୨୨୩ କୋଟି ୭୪ ଲକ୍ଷ ୩୧ହଜାର ୨୭୫ ଟଙ୍କା ଠକେଇ ହୋଇଥିବା ବେଳେ ଏନ୍ସିଆର୍ପି ପୋର୍ଟାଲ୍ରେ ୨୭୭ କୋଟି ୬୪ ଲକ୍ଷ ୩୮ହଜାର ୨୪୯ ଟଙ୍କା ଠକେଇ ହୋଇଛି। ୨୦୨୧ରେ ୩୮ କୋଟି ୧୪ ଲକ୍ଷ ୨୬ହଜାର ୮୫ ଟଙ୍କା, ୨୦୨୨ରେ ୩୬ କୋଟି ୮୭ ଲକ୍ଷ ୪୧ ହଜାର ୭୨୮ ଟଙ୍କା, ୨୦୨୩ରେ ୪୭ କୋଟି ୭୫ଲକ୍ଷ ୯୯ହଜାର ୭୯୬ ଟଙ୍କା ଏବଂ ୨୦୨୪ ଜୁନ୍ମାସ ପର୍ଯ୍ୟନ୍ତ ୧୦୦ କୋଟି ୯୬ ଲକ୍ଷ ୬୩ହଜାର ୬୬୬ ଟଙ୍କା ଠକେଇ ହୋଇଛି। ଅନୁରୂପ ଭାବେ ଏନ୍ସିଆର୍ପି ପୋର୍ଟାଲ୍ରେ ୨୦୨୧ରେ ୩ କୋଟି ୨୩ ଲକ୍ଷ ୫୨ହଜାର ୬୭୦ ଟଙ୍କା, ୨୦୨୨ରେ ୧୭ କୋଟି ୫୯ ଲକ୍ଷ ୪୯ହଜାର ୮୮୭ ଟଙ୍କା, ୭୯ କୋଟି ୬୬ଲକ୍ଷ ୬୦ହଜାର ୪୮୬ ଟଙ୍କା ଏବଂ ଚଳିତବର୍ଷ ଜୁନ ଯାଏଁ ୨୭୭ କୋଟି ୬୪ ଲକ୍ଷ ୩୮ହଜାର ୨୪୯ ଟଙ୍କା ଠକେଇ ହୋଇଛି।