ରୌପ୍ୟନଗରୀରୁ ହଜିଯାଉଛି ରିକ୍ସା

କଟକ (ରାଜେଶ ନାୟକ): ଏକ ମସିହା ଦେହରେ କଛାମରା ଲୁଙ୍ଗି। ଦେହଟା ସମ୍ପୂର୍ଣ୍ଣ ଖାଲି। ପେଡ଼ାଲ୍‌‌ ମାରିବା ବେଳେ ଗୋଡ଼ ଶିରା ଟାଣି ହୋଇ ଫୁଲି ଯାଉଥିବ। ସତେ ଯେମିତି ଅବିକା ଶିରା ଫାଟି ପୁଚ୍‌‌କିନା ରକ୍ତ ବାହାରି ଆସିବ…କାନ୍ଧ ପଛପାଖ ମାଂସ ଗୋଟେ ପେଡ଼ାଲ ସହ ତାଳ ଦେଇ ଉପର ତଳ ହେଉଥିବ…ଶକ୍ତ ହାତରେ ହ୍ୟାଣ୍ଡେଲ୍‌‌ ମୁଠାକୁ ମୁଠେଇ ଧରିଥିବ। କାନ ସନ୍ଧିରୁ ଝାଳ ବୋହିଆସି ଲୁଙ୍ଗିରେ ଭେଦି ଯାଉଥିବ…ଉଠାଣି ଉଠେଇଲା ବେଳେ ଦାନ୍ତ ଭିଡି ପେଡ଼ାଲ […]

କଟକ (ରାଜେଶ ନାୟକ): ଏକ ମସିହା ଦେହରେ କଛାମରା ଲୁଙ୍ଗି। ଦେହଟା ସମ୍ପୂର୍ଣ୍ଣ ଖାଲି। ପେଡ଼ାଲ୍‌‌ ମାରିବା ବେଳେ ଗୋଡ଼ ଶିରା ଟାଣି ହୋଇ ଫୁଲି ଯାଉଥିବ। ସତେ ଯେମିତି ଅବିକା ଶିରା ଫାଟି ପୁଚ୍‌‌କିନା ରକ୍ତ ବାହାରି ଆସିବ…କାନ୍ଧ ପଛପାଖ ମାଂସ ଗୋଟେ ପେଡ଼ାଲ ସହ ତାଳ ଦେଇ ଉପର ତଳ ହେଉଥିବ…ଶକ୍ତ ହାତରେ ହ୍ୟାଣ୍ଡେଲ୍‌‌ ମୁଠାକୁ ମୁଠେଇ ଧରିଥିବ। କାନ ସନ୍ଧିରୁ ଝାଳ ବୋହିଆସି ଲୁଙ୍ଗିରେ ଭେଦି ଯାଉଥିବ…ଉଠାଣି ଉଠେଇଲା ବେଳେ ଦାନ୍ତ ଭିଡି ପେଡ଼ାଲ କଷୁଥିବା ମୁହଁକୁ, ଭିତରକୁ ପୋଷେ ପଶିଯାଉଥିବା ପେଟକୁ, କଲିଜା ଫୁଟେଇ ବୁନ୍ଦା ବୁନ୍ଦା ଝାଳରେ ଝାଳେଇ ଯାଉଥିବା ଛାତିକୁ ଆଉ ଦେଖିବାକୁ ମିଳୁନାହିଁ। ଏ ରିକ୍ସାବାଲାମାନେ ଏବେ ଜୀବିକା ହରାଇଛନ୍ତି। କିଏ ଜୀବନ ସହିତ ସଂଗ୍ରାମ କରୁଛି ତ କିଏ କଟକ ସହର ଛାଡି ଦେଇଛି। ଏବେ ରୌପ୍ୟନଗରୀରେ ଅଲୋଡା ହୋଇଛି ରିକ୍ସା। ରିକ୍ସା ସଂଖ୍ୟା ୩ ହଜାରରରୁ ୬୦ରେ ପହଞ୍ଚିଲାଣି। ୨୦୧୮ ମସିହା ପରଠାରୁ ମହାନଗର ନିଗମରେ ରିକ୍ସା ପଞ୍ଜିକରଣ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ଏହି ୬ବର୍ଷ ଭିତରେ ଓଲା, ଉବେର୍‌‌ ଭଳି କମ୍ପାନୀ ଏହି ଐତିହାସିକ ସହରରେ ଗମନାଗମନର ମୁଖ୍ୟ ବାହକ ପାଲଟିଛନ୍ତି। କାଁ ଭାଁ ରିକ୍ସାକୁ ଦେଖିଲେ ପୁଣି ମନେପଡୁଛି ସେହି ଗ୍ରାମଫୋନ୍‌‌ ରେକର୍ଡରୁ ଭାସି ଆସୁଥିବା ଗୀତ “ମୁଁ ରିକ୍ସାବାଲା… ଆସ ବାବୁ…ଏସୋ.. ଦାଦା..ହୋ ଲାଲା ..”

ବାଦାମବାଡ଼ି ବସ୍‌‌ ଷ୍ଟାଣ୍ଡ୍‌‌ ହେଉ କି କଟକ ରେଳଷ୍ଟେସନ୍‌‌। ରିଂବନ୍ଧ ହେଉ ଅବା ବକ୍ସିବଜାର। ସବୁକିଛି ଏବେ ବଦଳିଗଲାଣି। କଟକ ସହର ଏବେ ଆଉ ପୂର୍ବ ଭଳି ନାହିଁ। ରୂପାନ୍ତରଣର ସ୍ପର୍ଶରେ ଏ ସହରର କଳେବର ବୃଦ୍ଧି ଘଟିଛି। କିନ୍ତୁ ଏ ସହରର ଭାବାବେଗ ସହିତ ଜଡ଼ିତ ରିକ୍ସା ଏବେ ଅଲୋଡା। ଆଉ କଟକୀ ରାସ୍ତାରେ ଗଡ଼ୁନାହିଁ ରିକ୍ସା। ମହାନଗର ନିଗମରେ ୨୦୧୮ ମସିହା ପରଠାରୁ ରିକ୍ସାର ପଞ୍ଜିକରଣ କରାଯାଇ ନାହିଁ। ଏଥିରୁ ସ୍ପଷ୍ଟ ହେଉଛି ଯେ, ରିକ୍ସା ଚାଳକମାନେ ନିଜ ବେଉସାକୁ ଛାଡି ଅନ୍ୟ ଉପାୟରେ ପରିବାର ଭରଣପୋଷଣ କରୁଛନ୍ତି। ଅଟୋ ଓ କାର୍‌‌ ଭଳି ରିକ୍ସାଚାଳକଙ୍କୁ ପ୍ରୋତ୍ସାହନ ନ ଦେବାରୁ ଏ ବୃତ୍ତିରୁ ଚାଳକମାନେ ଦୂରେଇ ଯାଉଛନ୍ତି। ଯେଉଁଥି ପାଇଁ ରିକ୍ସା ସଂଖ୍ୟା କମିବାରେ ଲାଗିଛି। ଏଭଳି ସ୍ଥିତି ଆଉ ବର୍ଷଟିଏ ଲାଗି ରହିଲେ, କଟକ ସହରରୁ ରିକ୍ସା ସମ୍ପୂର୍ଣ୍ଣ ଭାବେ ହଜିଯିବ। କଟକରେ ଇତିହାସ ପାଲଟିବ ରିକ୍ସା। ୩୦ବର୍ଷ ପୂର୍ବକୁ ଫେରିଲେ ଏଠାରେ ରିକ୍ସାର ଚାହିଦା ଢେର୍‌‌ ଅଧିକ ରହିଥିଲା। ଷ୍ଟେସନ୍‌‌, ବସଷ୍ଟାଣ୍ଡ୍‌‌, ଫିଲ୍ମହଲ୍‌‌, ସ୍କୁଲ ଓ କଲେଜ ପାଖ ରାସ୍ତାରେ ମାଳ ମାଳ ରିକ୍ସା ଚଳପ୍ରଚଳ ହେଉଥିଲା। ପିଲାଙ୍କ ସ୍କୁଲ ଯିବା, ଚାକିରୀଆମାନେ ଅଫିସ ଯିବା ଏବଂ ଗୃହିଣୀମାନେ ବଜାର ବୁଲିବାଠାରୁ ଆରମ୍ଭ କରି ଧନୀ, ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ଓ ଗରୀବ ଶ୍ରେଣୀର ଲୋକମାନେ ଏହି ରିକ୍ସା ଉପରେ ନିର୍ଭର କରୁଥିଲେ। ଦଶହରା ଓ କାଳୀପୂଜା ସମୟରେ ୫୨ ବଜାର ୫୩ ଗଳିରେ ରିକ୍ସା ଧାଡିବାନ୍ଧି ରହୁଥିଲା।

ଭସାଣୀ ଶୋଭାଯାତ୍ରାରେ ସାହି ମୂରବୀମାନେ ରିକ୍ସାରେ ବସି ବେକରେ ଫୁଲମାଳ ପକାଇ ଯାଉଥିଲେ। ରିକ୍ସା ସହିତ ଏ ସହରର ଅନେକ ମୂଲ୍ୟବାନ ସ୍ମୃତି ଜଡ଼ିତ ଥିଲା। ଏବେ ସେହି ସ୍ମୃତି ସ୍ୱପ୍ନ ପାଲଟିଛି। ମହାନଗର ନିଗମର ସୂଚନା ଅନୁସାରେ, ମାତ୍ର ୧୫ଜଣ ମାଲିକଙ୍କ ପାଖରେ ରିକ୍ସା ରହିଛି। କ୍ରମଶଃ ରିକ୍ସାର ଚାହିଦା କମିଯାଉଥିବା ହେତୁ ଏହାକୁ ବ୍ୟବସାୟ ଭାବେ ଗ୍ରହଣ କରିବାକୁ ଚାଳକମାନେ ରାଜି ହେଉ ନାହାନ୍ତି। ପୂର୍ବରୁ କଟକ ସହରର ବସ୍ତି ଅଞ୍ଚଳରେ ରହୁଥିବା କେତେକ ଚାଳକ ମାଲିକଙ୍କ ଠାରୁ ରିକ୍ସା ନେଇ ବ୍ୟବସାୟ କରୁଥିଲେ। ଏବେ ସେମାନେ ଅନ୍ୟ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। ବ୍ରହ୍ମପୁର, ଢେଙ୍କାନାଳ, ଅନୁଗୁଳ, ତାଳଚେର୍‌‌ ଓ କଟକର ଗ୍ରାମାଞ୍ଚଳରୁ ଆସି ଏଠାରେ ରିକ୍ସା ଟାଣୁଥିବା ଚାଳକମାନେ ଅନ୍ୟ ଉପାୟରେ ଜୀବିକା ନିର୍ବାହ କରୁଛନ୍ତି। ଏ ସମ୍ପର୍କରେ ବକ୍ସିବଜାର ପଟ୍ଟପୋଲ ଅଞ୍ଚଳରେ ରହୁଥିବା ରିକ୍ସା ଚାଳକ ମଧୁସୂଦନ ଦେହୁରୀଙ୍କୁ ପଚାରିବାରୁ ସେ କହିଛନ୍ତି, ଲୋକମାନେ ଆଉ ରିକ୍ସାରେ ଯିବାକୁ ପସନ୍ଦ କରୁ ନାହାନ୍ତି। ସମୟ ବଦଳିଛି। ଗମନାଗମନରେ ଆଧୁନିକତାର ପ୍ରବେଶ ହେତୁ ଲୋକମାନେ କାର୍‌‌, ଟ୍ୟାକ୍ସି ଓ ଅଟୋ ଭଳି ଗାଡିରେ ଯିବାକୁ ପସନ୍ଦ କରୁଛନ୍ତି। ଏବେ ରିକ୍ସା ଚଳାଇ ପେଟ ପୋଷିବା କଷ୍ଟ ବୋଲି ସେ କହିଛନ୍ତି।

ଅନ୍ୟପଟେ, କଟକ ସହରରେ ନୂଆ ରିକ୍ସା ଆଉ ପୂର୍ବଭଳି ବିକ୍ରି କିମ୍ବା ମରାମତି ହେଉନାହିଁ। ଏବେ ଯେଉଁ ମାଲିକମାନେ ରିକ୍ସା ରଖିଛନ୍ତି, ସେମାନେ ନିଜ ନିଜର ଘରେ ମରାମତି କରୁଛନ୍ତି। ନୂଆ ରିକ୍ସାଟିଏ କ୍ରୟ କରିବାକୁ ୩୦ରୁ ୩୫ହଜାର ଟଙ୍କା ଖର୍ଚ୍ଚ ହୁଏ। ଏବେ ନୂଆ ରିକ୍ସା କଟକରେ ବିକ୍ରୟ ହେଉନାହିଁ। ମହାନଗର ନିଗମ ପକ୍ଷରୁ ରିକ୍ସାର ଅତ୍ୟାଧୁନିକ ମଡେଲ୍‌‌ ଚଳାଇବାକୁ ଯୋଜନା ପ୍ରସ୍ତୁତ ହୋଇଛି। ସହରର ରୂପାନ୍ତରଣରେ ୬ଥାକିଆ ରିଂ ରୋଡ୍‌‌ କାମ କରାଯାଉଛି। ସହରର ବିଭିନ୍ନ ସ୍ଥାନରେ ଅତ୍ୟାଧୁନିକ ଇ-ରିକ୍ସା ପଏଣ୍ଟ କରାଯିବ। ଏଥିପାଇଁ କଟକ ସହରରେ ଥିବା ରିକ୍ସା ଚାଳକଙ୍କୁ ସବସିଡ୍‌‌ରେ ଇ-ରିକ୍ସା ଓ ବ୍ୟାଟେରୀ ପ୍ରଦାନ କରାଯିବା ସହିତ ଏହି ବୃତ୍ତିକୁ ପ୍ରୋତ୍ସାହିତ କରାଯିବ ବୋଲି ଜଣାପଡ଼ିଛି। ୬୦ପ୍ରତିଶତ ସବ୍‌‌ସିଡ୍‌‌ରେ ଇ-ରିକ୍ସା ପ୍ରଦାନ କରାଯିବ। ଏହି ଯୋଜନା ଖୁବଶୀଘ୍ର କାର୍ଯ୍ୟକାରୀ ହେବାକୁ ଥିବା ବେଳେ ମଣିଷ ଟଣା ରିକ୍ସା ବିଲୋପ ହେବାକୁ ବସିଛି।

About The Author: The Sakala