ବଡ଼ମ୍ବାରେ ନକଲି ଡାକ୍ତରଙ୍କ କଳା କାରନାମା: ୧୨ ବର୍ଷ ଧରି ଚାଲିଥିଲା ବେଆଇନ ଗର୍ଭପାତ କ୍ଲିନିକ୍

କଟକ: କଟକ ଜିଲ୍ଲା ବଡ଼ମ୍ବା ଅଞ୍ଚଳରେ ଏକ ବଡ଼ ଧରଣର ବେଆଇନ କାରବାରର ପର୍ଦ୍ଦାଫାଶ ହୋଇଛି। ବଡ଼ମ୍ବା ଥାନା ଅନ୍ତର୍ଗତ ସୁନାପାଳ ବଜାର ନିକଟରେ ଦୀର୍ଘ ୧୨ ବର୍ଷ ଧରି ଚାଲିଥିବା ଏକ ବେଆଇନ ଗର୍ଭପାତ କ୍ଲିନିକ୍ ଉପରେ ପୋଲିସ ଅତର୍କିତ ଚଢ଼ାଉ କରିଛି। ଏହି ଘଟଣାରେ ନକଲି ଡାକ୍ତର ସାଜିଥିବା ଜୟନ୍ତ ବସ୍ତିଆ ନାମକ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି।

ଗ୍ରାହକ ସାଜିଲେ ପୋଲିସ ଅଧିକାରୀ

ପୋଲିସକୁ ଏହି ବେଆଇନ କ୍ଲିନିକ୍ ସମ୍ପର୍କରେ ଏକ ଗୁପ୍ତ ସୂଚନା ମିଳିଥିଲା। ତେବେ ଘଟଣାର ସତ୍ୟତା ଜାଣିବା ଏବଂ ଅଭିଯୁକ୍ତକୁ ହାତେନାତେ ଧରିବା ପାଇଁ ବଡ଼ମ୍ବା ଥାନାର ମହିଳା ଏସଆଇ ବିଶ୍ୱ ବନ୍ଦିତା ସାହୁ ନିଜେ ଜଣେ ଗ୍ରାହକ ସାଜି ସେଠାରେ ପହଞ୍ଚିଥିଲେ। ଗର୍ଭପାତ ପ୍ରକ୍ରିୟା ଆରମ୍ଭ ହେବା ସମୟରେ ହିଁ ପୋଲିସ ଟିମ୍ କ୍ଲିନିକ୍ ଉପରେ ଚଢ଼ାଉ କରିଥିଲା। ଏହି ରେଡ୍ ବେଳେ ଘଟଣାସ୍ଥଳରୁ ଜଣେ ମହିଳାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ପଠାଯାଇଛି।

ବିନା କାଗଜପତ୍ରରେ ଚାଲିଥିଲା ବେଆଇନ କାରବାର

ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ ଜୟନ୍ତ ବସ୍ତିଆ ପ୍ରକୃତରେ ଜଣେ ହୋମିଓପାଥିକ୍ ଡାକ୍ତର, କିନ୍ତୁ ଏଭଳି ସ୍ପର୍ଶକାତର ଚିକିତ୍ସା ବା କ୍ଲିନିକ୍ ଚଳାଇବା ପାଇଁ ତାଙ୍କ ପାଖରେ କୌଣସି ବୈଧ କାଗଜପତ୍ର ନଥିଲା। ଚଢ଼ାଉ ସମୟରେ କ୍ଲିନିକରୁ ଗର୍ଭପାତ ପାଇଁ ବ୍ୟବହୃତ ହେଉଥିବା ସକ୍ସନ ମେସିନ, ବିଭିନ୍ନ ଅପରେସନ ଯନ୍ତ୍ରପାତି ଏବଂ ବହୁ ପରିମାଣର ଔଷଧ ଜବତ କରାଯାଇଛି। ଥାନା ଅଧିକାରୀ ପରମାନନ୍ଦ ନାୟକଙ୍କ ନିର୍ଦ୍ଦେଶକ୍ରମେ ଥାନାରେ କେସ ନମ୍ବର ୧୪୧/୨୦୨୬ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

About The Author: Tapas Ranjan Nanda