ଅଦରକାରୀ ବସ୍ତୁରୁ ପ୍ରସ୍ତୁତ ହୋଇଥିବା ଚିତ୍ରକଳାରେ ଝଲସୁଛି ଅତ୍ୟାଧୁନିକ କଟକ ନେତାଜୀ ବସ୍‌‌ ଟର୍ମିନାଲ

କଟକ(ଅଶୋକ କୁମାର ବାରିକ): ସୁନ୍ଦର କାରୁକାର୍ଯ୍ୟରେ ଝଲସୁଛି ବସ ଟର୍ମିନାଲ। ଅଦରକାରୀ ବସ୍ତୁରୁ ପ୍ରସ୍ତୁତ ହୋଇଥିବା ଚିତ୍ରକଳାଗୁଡ଼ିକ ରାଜ୍ୟରେ ଏହି ପ୍ରଥମ ଅତ୍ୟାଧୁନିକ କଟକ ନେତାଜୀ ବସ୍‌‌ ଟର୍ମିନାଲର ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରୁଛି। ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିକୃତି ହେଉ କି ଆଦିବାସୀ ପରମ୍ପରା ବହନ କରୁଥିବା ଫାଇବର କଳାକୃତି, ଏହି ସବୁ କାର୍ଯ୍ୟରେ ରହିଛି କଟକର ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରବିନାରାୟଣ ରଥଙ୍କ ହାତର ଯାଦୁ। ନେତାଜୀ ବସ ଟର୍ମିନାଲର […]

କଟକ(ଅଶୋକ କୁମାର ବାରିକ): ସୁନ୍ଦର କାରୁକାର୍ଯ୍ୟରେ ଝଲସୁଛି ବସ ଟର୍ମିନାଲ। ଅଦରକାରୀ ବସ୍ତୁରୁ ପ୍ରସ୍ତୁତ ହୋଇଥିବା ଚିତ୍ରକଳାଗୁଡ଼ିକ ରାଜ୍ୟରେ ଏହି ପ୍ରଥମ ଅତ୍ୟାଧୁନିକ କଟକ ନେତାଜୀ ବସ୍‌‌ ଟର୍ମିନାଲର ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରୁଛି। ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିକୃତି ହେଉ କି ଆଦିବାସୀ ପରମ୍ପରା ବହନ କରୁଥିବା ଫାଇବର କଳାକୃତି, ଏହି ସବୁ କାର୍ଯ୍ୟରେ ରହିଛି କଟକର ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରବିନାରାୟଣ ରଥଙ୍କ ହାତର ଯାଦୁ।

ନେତାଜୀ ବସ ଟର୍ମିନାଲର ବାହାର ସହ ଆଭ୍ୟନ୍ତରୀଣ ସୌନ୍ଦର୍ଯ୍ୟକରଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏଥିନିମନ୍ତେ ନିର୍ମାଣ ଦାୟିତ୍ୱ ଥିବା ସଂସ୍ଥା ଓଡ଼ିଶା ସେତୁ ଏବଂ ନିର୍ମାଣ ନିଗମ (ଓବିସିସି) ଭାସ୍କର୍ଯ୍ୟ ଶିଳ୍ପୀ ରବିନାରାୟଣ ରଥଙ୍କ ସହ ଆଲୋଚନା କରିଥିଲେ। ତାଙ୍କ ତତ୍ତ୍ୱାବଧାନରେ ଆରମ୍ଭ କରାଯାଇଥିଲେ କାର୍ଯ୍ୟ। ଟର୍ମିନାଲର ସମ୍ମୁଖରେ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ବ୍ରୋଞ୍ଜର ପ୍ରତିକୃତିକୁ ରବି ନିଜେ ତିଆରି କରିଥିଲେ। ଏହାର ଓଜନ ପ୍ରାୟ ୩ କ୍ୱିଣ୍ଟାଲ ଥିବାବେଳେ ଉଚ୍ଚତା ୧୨ ଫୁଟ ରହିଛି। ଯାହା ଟର୍ମିନାଲର ଶୋଭା ବର୍ଦ୍ଧନ କରୁଛି। ଏଥି ସହ ପ୍ରବେଶ ପଥରେ ଥିବା ଆଧୁନିକ ଓ ପାରମ୍ପରିକ ଶୈଳୀରେ ନିର୍ମିତ ପ୍ରସ୍ତର ଭାସ୍କର୍ଯ୍ୟ, ଫାଇବରରେ ନିର୍ମିତ ଆଦିବାସୀ କଳା ଓ ସଂସ୍କୃତି ଉପରେ ଆଧାରିତ ଭାସ୍କର୍ଯ୍ୟ ତଥା ଆଧୁନିକ ସମକାଳୀନ ରିଲିଫ ଭାସ୍କର୍ଯ୍ୟ ଶିଳ୍ପୀଙ୍କ କଳାନିପୁଣତାକୁ ପ୍ରତିପାଦିତ କରୁଛି। ପ୍ରବେଶପଥର ସାମ୍ନାରେ ପିତ୍ତଳ ଓ ତମ୍ବାର ବାସନକୁସନକୁ ଉପଯୋଗ କରି ପ୍ରସ୍ତୁତ କରାଯାଇଥିବା ସୁନ୍ଦର ସଂସ୍ଥାପନ କଳାକୃତି ଶିଳ୍ପୀ ଶ୍ରୀରଥଙ୍କର ଏକ ଅନନ୍ୟ ପ୍ରତିଭା। କେବଳ ସେତିକି ନୁହଁ ପୁରୁଣା ଅଟୋମୋବାଇଲ ସ୍କ୍ରାପକୁ ନେଇ ମଧ୍ୟ ଏକ ରଚନାତ୍ମକ କଳାକୃତି କରାଯାଇଛି। ଯାହାକୁ ଦେଖି ଲୋକମାନେ ସେଲ୍‌ଫି ନେବା ପାଇଁ ଘଡ଼ିଏ ଅଟକି ଯିବା ସହ ଗଲାବେଳକୁ ଓଡ଼ିଶାର ଲୋକକଳା, ଲୋକ ସଂସ୍କୃତି ଓ ପରମ୍ପରା ଆଧାରିତ ଭାସ୍କର୍ଯ୍ୟ ଶିଳ୍ପୀ ରବିଙ୍କ କଳାକୃତିକୁ ପ୍ରଶଂସା କରିବାକୁ ଭୁଲୁନାହାଁନ୍ତି।

About The Author: The Sakala