ଆକାଶବାଣୀର ଶ୍ରୋତାଙ୍କୁ ପ୍ରତାରଣା : ବନ୍ଦ ହେଲା ‘ଏଫ୍‌‌ଏମ୍‌‌ ରେନ୍‌‌ବୋ’ର ସମସ୍ତ କାର୍ଯ୍ୟକ୍ରମ

କଟକ : ‘ବହୁଜନ ହିତାୟ, ବହୁଜନ ସୁଖାୟଃ’ର ବାର୍ତ୍ତା ପ୍ରଚାର କରୁଥିବା ଆକାଶବାଣୀ ଏବେ ଶ୍ରୋତାଙ୍କଠାରୁ ନିଜକୁ ଦୂରେଇନେବାକୁ ଅପଚେଷ୍ଟା ଆରମ୍ଭ କରିଦେଇଛି। ଲୋକପ୍ରିୟତାର ଶିଖର ଛୁଇଁଥିବା ଏହାର ପ୍ରମୁଖ ଏଫ୍‌‌ଏମ୍‌‌ ଚ୍ୟାନେଲ ‘୧୦୧.୩ ଏଫ୍‌‌ଏମ୍‌‌ ରେନ୍‌‌ବୋ’ରୁ ସମସ୍ତ କାର୍ଯ୍ୟକ୍ରମ ଆକାଶବାଣୀ କର୍ତ୍ତୃପକ୍ଷ ବନ୍ଦ କରି ଏହାକୁ ଏକ ରିଲେ ଷ୍ଟେସନରେ ପରିଣତ କରିଦେଇଛନ୍ତି। ଆକାଶବାଣୀର ସୂଚନା ଓ ମୂର୍ଚ୍ଛନାର ଅନନ୍ୟ ଚ୍ୟାନେଲ ଭାବେ ୧୦୧.୩ ଫ୍ରିକ୍ୟୁଏନ୍ସି ମାଧ୍ୟମରେ ପ୍ରସାର କରାଯାଉଥିବା ଏଫ୍‌‌ଏମ୍‌‌ ରେନ୍‌‌ବୋ ତା’ର ସ୍ୱତନ୍ତ୍ର କାର୍ଯ୍ୟକ୍ରମ […]

କଟକ : ‘ବହୁଜନ ହିତାୟ, ବହୁଜନ ସୁଖାୟଃ’ର ବାର୍ତ୍ତା ପ୍ରଚାର କରୁଥିବା ଆକାଶବାଣୀ ଏବେ ଶ୍ରୋତାଙ୍କଠାରୁ ନିଜକୁ ଦୂରେଇନେବାକୁ ଅପଚେଷ୍ଟା ଆରମ୍ଭ କରିଦେଇଛି। ଲୋକପ୍ରିୟତାର ଶିଖର ଛୁଇଁଥିବା ଏହାର ପ୍ରମୁଖ ଏଫ୍‌‌ଏମ୍‌‌ ଚ୍ୟାନେଲ ‘୧୦୧.୩ ଏଫ୍‌‌ଏମ୍‌‌ ରେନ୍‌‌ବୋ’ରୁ ସମସ୍ତ କାର୍ଯ୍ୟକ୍ରମ ଆକାଶବାଣୀ କର୍ତ୍ତୃପକ୍ଷ ବନ୍ଦ କରି ଏହାକୁ ଏକ ରିଲେ ଷ୍ଟେସନରେ ପରିଣତ କରିଦେଇଛନ୍ତି।

ଆକାଶବାଣୀର ସୂଚନା ଓ ମୂର୍ଚ୍ଛନାର ଅନନ୍ୟ ଚ୍ୟାନେଲ ଭାବେ ୧୦୧.୩ ଫ୍ରିକ୍ୟୁଏନ୍ସି ମାଧ୍ୟମରେ ପ୍ରସାର କରାଯାଉଥିବା ଏଫ୍‌‌ଏମ୍‌‌ ରେନ୍‌‌ବୋ ତା’ର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଇଁ ଶ୍ରୋତାଙ୍କ ଅତି ନିଜର ହୋଇପାରିଥିଲା। ୧୯୯୬ ମସିହାରୁ ରାଜ୍ୟରେ ପ୍ରସାରିତ ପ୍ରଥମ ଏଫ୍‌‌ଏମ୍‌‌ ଚ୍ୟାନେଲ ଭାବେ ଏଥିରେ ଶ୍ରୋତାଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ଯେପରିକି ଡାଏଲ୍‌‌-ଇନ୍‌‌, ରେନ୍‌‌ବୋ ଏସ୍‌‌ଏସ୍‌‌ଏମ୍‌‌, ଆଦି ଚର୍ଚ୍ଚାରେ ସାମିଲ କରି ଏହା ଶ୍ରୋତାଙ୍କ ଅତି ପ୍ରିୟ ହୋଇପାରିଥିଲା। ଏଥିରେ କାର୍ଯ୍ୟ କରୁଥିବା ୩୦ରୁ ଊର୍ଦ୍ଧ୍ବ ସାମୟିକ ଉପସ୍ଥାପକ (ଆର୍‌‌ଜେ)ଙ୍କ ଜରିଆରେ ଏହାର କାର୍ଯ୍ୟକ୍ରମଗୁଡ଼ିକ ଶ୍ରୋତାମହଲରେ ଆଦୃତ ହେବା ସହ ଅନ୍ୟ ଘରୋଇ ଏଫ୍‌‌ଏମ୍‌‌ ଚ୍ୟାନେଲଠାରୁ ସ୍ୱତନ୍ତ୍ର ଭାବେ ନିଜ ପରିଚୟ ସୃଷ୍ଟି କରିପାରିଥିଲା।

ଏପରିକି ଦିଲ୍ଲୀ ତଥା ଆକାଶବାଣୀ କଟକ କେନ୍ଦ୍ରରୁ କେତୋଟି ପ୍ରମୁଖ କାର୍ଯ୍ୟକ୍ରମ ଏହା ମାଧ୍ୟମରେ ପ୍ରଚାରିତ ହୋଇ ରାଜ୍ୟର ଘରେ ଘରେ ପହଞ୍ଚି ପାରିଥିଲା। ଏକ ନିର୍ଦ୍ଦିଷ୍ଟ ଫ୍ରିକ୍ୟୁଏନ୍ସି ମାଧ୍ୟମରେ ଏହାର ପ୍ରସାରଣ ସୀମା ଥିଲେ ମଧ୍ୟ ‘ନିଉଜ୍‌‌ଅନ୍‌‌ଏଆର’ ଆପ୍‌‌ ଜରିଆରେ ଏଫଏମ୍‌‌ ରେନ୍‌‌ବୋର କାର୍ଯ୍ୟକ୍ରମ ରାଜ୍ୟର କୋଣଅନୁକୋଣ ସହ ରାଜ୍ୟ ବାହାରେ ବିଚ୍ଛିନ୍ନାଞ୍ଚଳ ସିଂହଭୂମି, ଷଢ଼େଇକଳା ଓ ଅନ୍ୟ ରାଜ୍ୟରେ ଥିବା ଓଡ଼ିଆ ଶ୍ରୋତାଙ୍କ ଅତି ପ୍ରିୟ ହୋଇପାରିଥିଲା। ଏପରିକି ଏଥିରେ ପ୍ରତି ଘଣ୍ଟାରେ ପ୍ରଚାର କରାଯାଉଥିବା ‘ନିଉଜ୍‌‌ ହେଡଲାଇନ୍ସ’ ଶ୍ରୋତାଙ୍କୁ ତାଜା ଖବର ଦେବାରେ ସହାୟ ହୋଇପାରୁଥିଲା। କିନ୍ତୁ ଅଚାନକ ଏହି ଚ୍ୟାନେଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଲେ ଆକାଶବାଣୀ କର୍ତ୍ତୃପକ୍ଷ। ପ୍ରଥମେ ଏଥିରେ ପ୍ରଚାରିତ କାର୍ଯ୍ୟକ୍ରମକୁ କାଣ୍ଟଛାଣ୍ଟ କରାଯାଇ ‘ଆକାଶବାଣୀ କଟକ’ର କେତୋଟି କାର୍ଯ୍ୟକ୍ରମକୁ ରିଲେ କରାଗଲା। ହେଲେ ଅଚାନକ ଶୁକ୍ରବାର ସକାଳୁ ଏଫଏମ୍‌‌ ରେନ୍‌‌ବୋର ନିଜସ୍ୱ ସମସ୍ତ କାର୍ଯ୍ୟକ୍ରମ ଓ ସଜୀବ ପ୍ରସାର (ଲାଇଭ୍‌‌)କୁ ବନ୍ଦ କରି ଏହାକୁ ଏକ ରିଲେ ଷ୍ଟେସନରେ ପରିଣତ କରିଦିଆଗଲା।

ଏଥିରେ କେବଳ ‘ଆକାଶବାଣୀ କଟକ’ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମକୁ ପ୍ରସାର କରାଯାଇଛି। ଏହାକୁ ନେଇ ଶ୍ରୋତାଙ୍କ ମହଲରେ ନୈରାଶ୍ୟ ଭାବ ଖେଳିଯାଇଛି। ଶ୍ରୋତାମାନେ ନିଜ ଅତିପ୍ରିୟ ଚ୍ୟାନେଲରେ ମନଛୁଆଁ  ଗୀତ ଓ କାର୍ଯ୍ୟକ୍ରମ ଶୁଣି ନ ପାରି ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ନେଇ ସେମାନେ କେନ୍ଦ୍ର କର୍ତ୍ତୃପକ୍ଷଙ୍କୁ ପଚାରିଥିଲେ ମଧ୍ୟ ସନ୍ତୋଷଜନକ ଉତ୍ତର ପାଇ ପାରିନାହାନ୍ତି।

ଅନ୍ୟପକ୍ଷରେ ନିକଟରେ ରାଜ୍ୟରେ ୭ଟି ନୂଆ ଏଫ୍‌‌ଏମ୍‌‌ ଷ୍ଟେସନ ଖୋଲିଥିବା ବେଳେ କଟକରେ ଭଲ ଚାଲୁଥିବା ଏବଂ ଭଲ ରାଜସ୍ୱ ଦେଉଥିବା ଏଫ୍‌‌ଏମ୍‌‌ ରେନ୍‌‌ବୋକୁ ବନ୍ଦ କରିବା ଘଟଣାକୁ ନେଇ ସାଧାରଣରେ ଉଦ୍‌‌ବେଗ ପ୍ରକାଶ ପାଇଛି। ଏ ନେଇ ସେମାନେ ଆନ୍ଦୋଳନ କରିବାକୁ ପ୍ରସ୍ତୁତ ହେଉଥିବା କହିଛନ୍ତି। ଏଫ୍‌‌ଏମ୍‌‌ ରେନ୍‌‌ବୋରେ ୩୦ରୁ ଊର୍ଦ୍ଧ୍ବ ସାମୟିକ ଉପସ୍ଥାପକ କାମ କରୁଥିଲେ। ଏବେ ସେମାନଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ସେହିପରି ସମ୍ୱଲପୁରରେ ମଧ୍ୟ ସ୍ଥାନୀୟ ଭାଷାରେ ଆରମ୍ଭ କରାଯାଇଥିବା ‘ଏଫ୍‌‌ଏମ୍‌‌ ମହାନଦୀ’ ଚାନେଲକୁ ବନ୍ଦ କରି ରିଲେ ଷ୍ଟେସନ କରାଯିବାରୁ ସେଠାରେ ମଧ୍ୟ ଶ୍ରୋତାମାନେ କ୍ଷୋଭ ପ୍ରକାଶ କରିବା ସହ ଆନ୍ଦୋଳନ ପାଇଁ ସଜ ହେଉଥିବା ଜଣାପଡ଼ିଛି।

About The Author: The Sakala