ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ କଡାକଡି ହୋଇଛି କୋଭିଡ ନିୟମ। ମାସ୍କ ସହ ସାମାଜିକ ଦୁରତ୍ବକୁ ଗୁରୁତ୍ବ ଦିଆଯାଇଛି। ଏହାରି ମଧ୍ୟରେ ରାଜଧାନୀରେ କୋଭିଡ ନିୟମ ମାନୁନଥିବା ଅମାନିଆଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ପୁଲିସ ଆଖିରେ ଧୂଳି ଦେଇ ମାସ୍କ ପିନ୍ଧୁନଥିବା ତଥା ସାମାଜିକ ଦୂରତ୍ୱ ରକ୍ଷା କରୁନଥିବା ଲୋକେ ଆଉ ରକ୍ଷା ପାଇବେ ନାହିଁ । ସିସିଟିଭି ଆଧାରରେ ଅମାନିଆଙ୍କ ନିକଟରେ ପହଞ୍ଚିବା ସହ ତାଙ୍କ ଠାରୁ ଫାଇନ୍ କଟାଯିବ । ସଂକ୍ରମଣ ବଢ଼ୁଥିବା ବେଳେ ନିୟମ ଉଲ୍ଲଂଘନ କଲେ ଆଉ ନିସ୍ତାର ମିଳିବ ନାହିଁ । ତେବେ ନୂଆ ନିୟମ ଅନୁସାରେ ଫାଇନ୍ କଟାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ।
ଭୁବନେଶ୍ୱରରେ କରୋନା କଟକଣା ନିୟମକୁ ଆହୁରି କଡ଼ାକଡ଼ି ପାଳନ କରାଯିବ। ଯେଉଁ ଅଞ୍ଚଳରେ ଲୋକମାନେ ସଠିକ୍ ଭାବରେ ମାସ୍କ ପିନ୍ଧୁ ନାହାଁନ୍ତି ଏବଂ ସାମାଜିକ ଦୂରତା ରକ୍ଷା କରୁନାହାଁନ୍ତି, ସେମାନଙ୍କ ଉପରେ ସିସିଟିଭି ଜରିଆରେ ନଜର ରଖାଯିବ। ଫୁଟେଜ୍କୁ ଆଧାର କରି ଅମାନିଆଙ୍କଠାରୁ ନିର୍ଦ୍ଧାରିତ ନୂଆ ଫାଇନ ମୂଲ୍ୟ ଆଦାୟ କରାଯିବ। ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ରାଜଧାନୀରେ ବଢ଼ୁଥିବା ସଂକ୍ରମଣ ରୋକିବାକୁ ଏହା ହେଉଛି କମିସନରେଟ ପୁଲିସର ନୂଆ ପଦକ୍ଷେପ।
ଗତକାଲି ଠାରୁ ମୁଖ୍ୟମନ୍ତ୍ରୀ ୧୪ ଦିନିଆ ମାସ୍କ ପିନ୍ଧା ଅଭିଯାନ ଆରମ୍ଭ କରିଛନ୍ତି । ରାଜ୍ୟରେ ସଂକ୍ରମଣ ବଢ଼ୁଥିବା ବେଳେ ଅନେକ ଲୋକେ ଏବେ ବି ସଚେତନ ନହୋଇ ବିନା ମାସ୍କରେ ବୁଲୁଥିବାର ଦେଖିବାକୁ ମିଳୁଛି । ମହମାରୀକୁ ହରାଇବାକୁ ହେଲେ ମାସ୍କ ପିନ୍ଧିବା ପାଇଁ ସଂକଳ୍ପ ନେବା ଦରକାର। ମାସ୍କ ପିନ୍ଧିନଥିବା ଲୋକଙ୍କ ଠାରୁ ଜରିମାନା ଆଦାୟ ହେବ। ମାସ୍କ ନପିନ୍ଧିଲେ ଏବେ ୨ ଗୁଣା ଜରିମାନା ଆଦାୟ କରାଯିବ । ତେବେ ବେକରେ ନ ଝୁଲାଇ ଠିକ୍ ଭାବେ ନାକକୁ ଘୋଡ଼ାଇ ମାସ୍କ ପିନ୍ଧିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଥିଲେ ।