ଭୁବନେଶ୍ବର: ଖଲ୍ଲିକୋଟ ରାଣୀ ତଥା କବିସୂର୍ଯ୍ୟନଗର ଓ ଖଲ୍ଲିକୋଟର ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ୮୭ ବର୍ଷ ବୟସରେ ପରଲୋକ ହୋଇଯାଇଛି। ତାମିଲନାଡୁର ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିିଛି। ତାଙ୍କ ପରଲୋକରେ ବିଶିଷ୍ଟ ବ୍ୟକ୍ତି ଶୋକ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ‘ଏକ୍ସ’ରେ ରାଜ୍ୟପାଳ ରଘୁବର ଦାସ ଗଭୀର ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାରବର୍ଗ ଓ ଅନୁଗାମୀଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି।ଓଡ଼ିଶାର ଲୋକକ୍ଷେତ୍ରକୁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ ବୋଲି କହିଛନ୍ତି।
ସେହିପରି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ବିଶିଷ୍ଟ ରାଜନୀତିଜ୍ଞ ତଥା ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ବିଜୁ ଜନତା ଦଳର ବରିଷ୍ଠ ନେତ୍ରୀ ଭାବେ ଦଳକୁ ସଙ୍ଗଠିତ କରିବାରେ ତାଙ୍କର ବଡ଼ ଯୋଗଦାନ ରହିଛି। ଖଲିକୋଟ ଓ କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ୧୦ଥର ବିଧାୟିକା ଭାବେ ପ୍ରତିନିଧିତ୍ୱ କରି ଜନସେବାରେ ସେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି। ଏହା ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।
ସେହିପରି, ଶୋକ ପ୍ରକାଶ କରିଛନ୍ତି ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଆମ ଦଳର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଦେହାନ୍ତ ଖବର ଶୁଣି ଗଭୀର ମର୍ମାହତ ବୋଲି ସେ କହିଛନ୍ତି । ଖଲିକୋଟ ଓ କବିସୂର୍ଯ୍ୟନଗରରୁ ୧୦ଥର ବିଧାୟିକା ହେବା ସହ ଦଳର ସଙ୍ଗଠନକୁ ସୁଦୃଢ କରିବା କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ। ତାଙ୍କର ବିୟୋଗ ଓଡ଼ିଶା ରାଜନୀତିରେ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ଖଲିକୋଟର ରାଣୀଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ସେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି।
ଶୋକ ପ୍ରକାଶ କରିଛନ୍ତି ସାଂସଦ ମାନସ ମଙ୍ଗରାଜ । ବରିଷ୍ଠ ବିଜେଡି ନେତ୍ରୀଙ୍କ ଦେହାନ୍ତରେ ସେ ମର୍ମାହତ ବୋଲି କହିଛନ୍ତି। ସମାଜସେବା କ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିିଥିଲେ। ରାଜନୀତି ଛଡା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ସମାଜସେବାରେ ସ୍ବତନ୍ତ୍ର ପରିଚୟ ରହିଛି ବୋଲି ସାଂସଦ ମାନସ ମଙ୍ଗରାଜ କହିଛନ୍ତି।
ବିଜୁ ଜନତା ଦଳର ବରିଷ୍ଠ ନେତ୍ରୀ ତଥା ଖଲିକୋଟ ଓ କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଲୋକଙ୍କ ପ୍ରଗତି ଓ ଉନ୍ନତି କ୍ଷେତ୍ରରେ କରିଯାଇଥିବା କାର୍ଯ୍ୟ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବେ। ତାଙ୍କର ବିୟୋଗ ବିଜୁ ଜନତା ଦଳ ପାଇଁ ଅପୂରଣୀୟ କ୍ଷତି।ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ସଞ୍ଜୟ କୁମାର ଦାସବର୍ମା ।
ଖଲ୍ଲିକୋଟ ରାଣୀ ପୂର୍ବତନ ବରିଷ୍ଠ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକ ବାର୍ତ୍ତା ରେ ସେ କହିଛନ୍ତି ଯେ, ଖଲ୍ଲିକୋଟ ରାଣୀ ପୂର୍ବତନ ବରିଷ୍ଠ ବିଧାୟିକା ଭି ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗରେ ମୁଁ ଗଭୀର ମର୍ମାହତ। ତାଙ୍କ ଦୀର୍ଘ ଦିନର ରାଜନୈତିକ ଯାତ୍ରା ଥିଲା ଅବିସ୍ମରଣୀୟ । ୧୦ ଥର ବିଧାୟିକା ଭାବେ ନିର୍ବାଚିତ ହେବା ତାଙ୍କ ଜନପ୍ରିୟତାର ପ୍ରମାଣ ଥିଲା। ଜଣେ ସ୍ପଷ୍ଟବାଦୀ, କ୍ଷମତା ପ୍ରତି ଚିର ଅନାସକ୍ତ ରାଜନେତ୍ରୀ ଭାବେ ସେ ଜନମାନସରେ ସୁପରିଚିତ ଥିଲେ। ୫ ଦଶନ୍ଧି ଧରି ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ବିଧାୟିକାଭାବେ ସେ ଜନସାଧାରଣଙ୍କ ସେବାରେ ଆଜୀବନ ବ୍ରତୀ ଥିଲେ ଓ ଅଞ୍ଚଳର ସାମଗ୍ରିକ ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିଲେ। ତାଙ୍କ ବିୟୋଗରେ ଓଡ଼ିଶାର ରାଜନୀତି କ୍ଷେତ୍ରରେ ଏକ ଦାରୁଣ ଓ ଅପୂରଣୀୟ କ୍ଷତି ହୋଇଛି। ମନ୍ତ୍ରୀ ଶ୍ରୀ ଆରୁଖ ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।
ଖଲ୍ଲିକୋଟ ରାଣୀ ତଥା ବର୍ଷୀୟାନ ନେତ୍ରୀ, ୧୦ ଥରର ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗଭୀର ଶୋକ ପ୍ରକାଶକ କହିଛନ୍ତି । ତାଙ୍କ ରାଜନୈତିକ କ୍ୟାରିୟରର ବିଶେଷତ୍ୱ ହେଉଛି ଯେ ସେ କେବେ କୌଣସି ଉଚ୍ଚ ପଦପଦବୀ ଚାହୁଁ ନ ଥିଲେ । ବିଜୁ ବାବୁ ଓ ନବୀନ ବାବୁ ତାଙ୍କୁ ଅତ୍ୟନ୍ତ ସମ୍ମାନ କରୁଥିଲେ । ତାଙ୍କୁ ବାରମ୍ବାର ମନ୍ତ୍ରୀ ପଦ ଯଚା ଯାଉଥିଲେ ମଧ୍ୟ ସେ ବିନମ୍ରତାର ସହ ତାହାକୁ ଗ୍ରହଣ କରି ନ ଥିଲେ । ଏହି ମହାନ୍ ନେତ୍ରୀଙ୍କ ବିୟୋଗ କେବଳ ଗଞ୍ଜାମ ଜିଲ୍ଲା ନୁହେଁ, ଓଡ଼ିଶା ରାଜନୈତିକ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି l ମନ୍ତ୍ରୀ ଶ୍ରୀ ନାୟକ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିବା ସହ ସ୍ଵର୍ଗତଃ ଆତ୍ମାର ସଦ୍ଗତିଃ ପାଇଁ ପ୍ରାର୍ଥନା କରିଛନ୍ତି ।