ନୂଆଦିଲ୍ଲୀ:ଓଡ଼ିଆ ଝିଅ ଝିଲି ଦଳବେହେରାଙ୍କୁ ସଫଳତା। ଉଜବେକିସ୍ତାନର ତାସକେଣ୍ଟରେ ଚାଲିଥିବା ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିୟନଶିପରେ ଝିଲି ରୌପ୍ୟ ପଦକ ଜିତିଛନ୍ତି। ଝିଲି ୪୯ କେଜି ବର୍ଗରେ ଏହି ସଫଳତା ପାଇଛନ୍ତି। ୪୫ କେଜି ବର୍ଗରେ ଏସିଆନ୍ ଭାରୋତ୍ତୋଳନ ଚାମ୍ପିୟନ୍ ଏବଂ ବିଶ୍ୱ ଜୁନିୟର ବ୍ରୋଞ୍ଜ ପଦକ ବିଜେତା ଝିଲି ଚଳିତ ଚାମ୍ପିୟନଶିପରେ ୪୯ କେଜି ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଟୋକିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁଙ୍କ ଓହରିଯିବା କାରଣରୁ ଝିଲି ଏହି ଓଜନ ବର୍ଗରେ ଭାଗ ନେଇଥିଲେ। ଝିଲି ମଧ୍ୟ ନିରାଶ ନକରି ପଦକ ଜିତିବାରେ ସଫଳ ହୋଇଛନ୍ତି।
ସୂଚନାଯୋଗ୍ୟ, ଖୋର୍ଦ୍ଧାରେ ଜନ୍ମିତ ଝିଲି ବହୁ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଭାଗ ନେଇ ମେଡାଲ ଜିତିଛନ୍ତି। ୨୦୧୭ରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ କମନ୍ୱେଲ୍ଥ ଭାରୋତ୍ତୋଳନ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ୨୦୧୮ରେ ଜାତୀୟ ଜୁନିଅର ମହିଳା ଭାରୋତ୍ତୋଳନରେ ୨ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଥିଲେ।