ବାସ୍ତବ ରୂପ ନେଉଛି ନବୀନଙ୍କ ପରିକଳ୍ପନା, ହିଞ୍ଜିଳି ଓ ଶେରଗଡରେ ୧୦ଟି ‘ସ୍ମାର୍ଟ ସ୍କୁଲ୍‌’ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆଜି ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଓ ଶେରଗଡରୁ ‘ସ୍ମାର୍ଟ ସ୍କୁଲ୍‌’ର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ବିଦ୍ୟାଳୟର ଉଦ୍‌ଘାଟନ କରିଛନ୍ତି । 5-T ପଦ୍ଧତିରେ ପରିଚାଳିତ ଉଚ୍ଚବିଦ୍ୟାଳୟ ରୁପାନ୍ତରଣ କାର୍ଯ୍ୟକ୍ରମରେ ହିଞ୍ଜିଳି ଓ ଶେରଗଡ଼ ବ୍ଳକର ପ୍ରାୟ ୫୦ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ। ପ୍ରଥମ ପର୍ଯ୍ୟାୟରେ ୧୦ଟି ରୂପାନ୍ତରିତ ସ୍କୁଲକୁ ଆଜି ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ। ଏହି ଅବସରରେ […]

ଭୁବନେଶ୍ବର : ଆଜି ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଓ ଶେରଗଡରୁ ‘ସ୍ମାର୍ଟ ସ୍କୁଲ୍‌’ର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ବିଦ୍ୟାଳୟର ଉଦ୍‌ଘାଟନ କରିଛନ୍ତି । 5-T ପଦ୍ଧତିରେ ପରିଚାଳିତ ଉଚ୍ଚବିଦ୍ୟାଳୟ ରୁପାନ୍ତରଣ କାର୍ଯ୍ୟକ୍ରମରେ ହିଞ୍ଜିଳି ଓ ଶେରଗଡ଼ ବ୍ଳକର ପ୍ରାୟ ୫୦ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ। ପ୍ରଥମ ପର୍ଯ୍ୟାୟରେ ୧୦ଟି ରୂପାନ୍ତରିତ ସ୍କୁଲକୁ ଆଜି ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ। ଏହି ଅବସରରେ ୧୦ଟି ଯାକ ସ୍କୁଲରେ ଆୟୋଜିତ ହୋଇଥିଲା ସ୍ବତନ୍ତ୍ର କାର୍ୟ୍ୟକ୍ରମ। ଯୋଗ ଦେଇଥିଲେ ମନ୍ତ୍ରୀମଣ୍ଡଳର ସଦସ୍ୟଗଣ, ବିଧାୟକଗଣ, ସରପଞ୍ଚ, ପଞ୍ଚାୟତ ସଦସ୍ୟ, ସ୍କୁଲର ପୁରାତନ ଛାତ୍ରଛାତ୍ରୀ, ବର୍ତ୍ତମାନର ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ । ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଆଧୁନିକୀକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନା ଏବେ ବାସ୍ତବ ରୂପ ନେଇଛି । ଛାତ୍ରଛାତ୍ରୀଙ୍କୁ ଉତ୍ତମ ଜ୍ଞାନ ଆହରଣର ପ୍ରୟୋଗଶାଳା କରିବାକୁ ପ୍ରଚେଷ୍ଟା କରାଯାଇଛି । ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ଏହି ସ୍କୁଲ ମାନଙ୍କରେ ଉପଲବ୍ଧ କରାଯାଇଛି ।

କାର୍ଯ୍ୟକ୍ରମକୁ ଭର୍ଚ୍ୟୁଆଲ ମାଧ୍ୟମରେ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତି ପିଲା ହେଉଛି ଅନନ୍ତ ସମ୍ଭାବନାର ପ୍ରତୀକ। ତାର ସୁନ୍ଦର ଭବିଷ୍ୟତ ପାଇଁ ତା ଆଖିରେ ଥାଏ ଅନେକ ସ୍ବପ୍ନ ଓ ଏହି ସ୍ବପ୍ନକୁ ସାକାର କରିବା ପାଇଁ ରୂପାନ୍ତରଣ ଆଣିଛି ସୁଯୋଗ। ପିଲାଙ୍କ ସ୍ବପ୍ନ ସାକାର ହେଲେ ପୂରଣ ହେବ ନୂଆ ଓଡିଶା, ନବୀନ ଓଡିଶାର ଲକ୍ଷ୍ୟ । ଏହି ରୂପାନ୍ତରକୁ ନୂଆ ଓଡିଶାର ଭିତ୍ତି ଭାବରେ ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିଥିଲେ । ପିଲାମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍କୁଲ ହେଉଛି ସମସ୍ତଙ୍କ ଜୀବନର ଶ୍ରେଷ୍ଠ ସମୟ । ଏହି ରୂପାନ୍ତର ତୁମ ମାନଙ୍କ ପାଇଁ । ତୁମମାନଙ୍କ ଭବିଷ୍ୟତ ପାଇଁ ଏବଂ ତୁମମାନଙ୍କୁ ଶ୍ରେଷ୍ଠ ଗଢିବା ପାଇଁ ଏହା ଅନେକ ସୁଯୋଗ ସୃଷ୍ଟି କରିବ । ହିଞ୍ଜିଳିରେ ଆରମ୍ଭ ହୋଇଥିବା ଏହି ରୂପାନ୍ତରଣ କାର୍ଯ୍ୟ ସାରା ରାଜ୍ୟକୁ ବାଟ ଦେଖାଇଛି । ସାରା ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧୦୭୦ ସ୍କୁଲର କାୟାକଳ୍ପ ହେବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ସୂଚନା ଦେଇଥିଲେ ।

ସ୍ମାର୍ଟ  ସ୍କୁଲରେ କାନ୍ଥରେ ଆଉ କଳାପଟା ନାହିଁ ତାର ସ୍ଥାନ ନେଇଛି ଧଳା ବୋର୍ଡ ଯେଉଁଥିରେ ଅଡିଓ – ଭିଜୁଆଲ ମାଧ୍ୟମରେ ପାଠପଢ଼ା ସହ ଆବଶ୍ୟକ ସ୍ଥଳେ ସ୍ବତନ୍ତ୍ର କଲମରେ ଲେଖିହେବ। ପୁରୁଣାକାଳିଆ ଟିଣ ଛପର ଘର ବଦଳରେ ପିଲାଏ ଅତ୍ୟାଧୁନିକ ସୁବିଧା ସମ୍ପନ୍ନ ଶ୍ରେଣୀକକ୍ଷରେ ବସି ଆରାମଦାୟକ ଭାବେ ପଢ଼ିବେ। ପିଲାଙ୍କୁ ଦୁନିଆଯାକର ଜ୍ଞାନ ଆହରଣ ସୁବିଧା ଯୋଗାଇଦେବ ସ୍ମାର୍ଟ ଇ – ଲାଇବ୍ରେରୀ ଯେଉଁଠି ପିଲାଏ ପଢ଼ା ବହି ଓ ଅନ୍ୟ ପୁସ୍ତକ ତଥା ପତ୍ରିକା ସହ ଇଣ୍ଟରନେଟ୍ ସଂଯୋଗ ଥିବା କମ୍ପ୍ୟୁଟରରୁ ନିଜ ଆବଶ୍ୟକତା ମୁତାବକ ଶିକ୍ଷା ଗ୍ରହଣ କରିପାରିବେ। ଅନ୍‌ଲାଇନ୍ ପାଠପଢ଼ା ଅଧିକ ସୁବିଧାଜନକ ହେବ ଯେଉଁଠି ପିଲାଏ ମଧୁ ଆପ୍, ଦୀକ୍ଷା ଆପ୍, ଶିକ୍ଷା ଦର୍ପଣ ଆଦି ବ୍ୟବହାର କରି ଯୁଗପଯୋଗୀ ଜ୍ଞାନକୌଶଳ ହାତ ପାଆନ୍ତାରେ ପାଇପାରିବେ। ଏହାବାଦ୍‌ ଅତ୍ୟାଧୁନିକ ବିଜ୍ଞାନାଗାର, ବିଶୁଦ୍ଧ ପାନୀୟ ଜଳ, ଭଳିକି ଭଳି କ୍ରୀଡ଼ାର ସୁବିଧା, ଉନ୍ନତ ଶୌଚାଳୟ, ସବୁଜିମାରେ ଭରା କ୍ୟାମ୍ପସ୍ ଆଦି ଏବେ ଉଚ୍ଚବିଦ୍ୟାଳୟର ରୂପରଙ୍ଗ ପରିବର୍ତ୍ତନର ପ୍ରତୀକ ହେବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଆଭିମୁଖ୍ୟ ଯେ- ରାଜ୍ୟର ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ଏମିତି ଶିକ୍ଷା ମିଳୁ ଯାହାଦ୍ବାରା କି ସେମାନେ ନିଜକୁ ଏଭଳି ଦକ୍ଷ ଭାବେ ଗଢ଼ି ତୋଳିବେ ଯେ ଭବିଷ୍ୟତର ସବୁ ଆହ୍ବାନର ସମ୍ମୁଖୀନ ହେବାକୁ ସେମାନେ ନିଜକୁ ଯୋଗ୍ୟ ପ୍ରମାଣିତ କରିବେ। ଓଡ଼ିଶାର ଛାତ୍ରଛାତ୍ରୀଗଣ ନିଜକୁ ଆଗାମୀ ଦିନର ସୁନାଗରିକ ରୂପେ ଗଢ଼ି ତୋଳିବେ ଏବଂ ଏ ଜାତିର, ଏ ରାଜ୍ୟର ପ୍ରଗତିରେ ସେମାନଙ୍କ ଯଥାଯୋଗ୍ୟ ଭୂମିକା ନିର୍ବାହ କରିପାରିବେ। ହେଲେ ସେଥିପାଇଁ ଏବେଠାରୁ ସେମାନଙ୍କୁ ଉପଯୁକ୍ତ ପରିବେଶରେ ଉଚିତ ଶିକ୍ଷା ପ୍ରଦାନ କରିବାକୁ ହେବ। ଏହିସବୁ ସ୍କୁଲଗୁଡିକରେ ପିଲାଙ୍କ ପାଇଁ କଂପ୍ୟୁଟର ବ୍ୟବସ୍ଥା ସହିତ ଉନ୍ନତ ଲାବୋରେଟୋରୀ , ଲାଇବ୍ରେରୀ ଓ ଅନ୍ୟାନ୍ୟ ସୁବିଧାସୁଯୋଗ ରହିଛି । ସ୍ମାର୍ଟ କ୍ଲାସରୁମ୍ ପାଇଁ ସ୍କୁଲ କ୍ୟାମ୍ପସ ଆଧୁନିକରଣ ହୋଇଥିବା ବେଳେ ଡିଜିଟାଲ ହେଉଛି କ୍ଲାସ ରୁମ ଓ ଲାଇବ୍ରେରୀ । ସେହିଭଳି ଆକର୍ଷଣୀୟ ହେଉଛି ଖେଳ ପଡ଼ିଆ ।

ସ୍ମାର୍ଟ ସ୍କୁଲ ଉଦଘାଟନ କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗ ଦେଇଥିବା ମନ୍ତ୍ରୀମଣ୍ଡଳର ସଦସ୍ୟବୃନ୍ଦ ଓ ବିଧାୟକ ମାନଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳିର ସ୍କୁଲ ମାନଙ୍କର ଏ ରୂପାନ୍ତରଣ ସମସ୍ତଙ୍କ ପାଇଁ ନିଶ୍ଚିତ ଭାବରେ ଏକ ବଡ ପ୍ରେରଣା । ଏହା ସାରା ରାଜ୍ୟରେ ମଧ୍ୟ ସମ୍ଭବ। ଗଞ୍ଜାମରେ ଏହାର ସଫଳତା ହେଉଛି ଗୋଷ୍ଠୀର ଅଂଶଗ୍ରହଣ । ଆପଣ ଗଞ୍ଜାମରେ ଯଦି କିଛି କାମ ପାଇଁ ଏକ ଲକ୍ଷ ଟଙ୍କା ଦେବେ, ତେବେ ସେମାନେ ଆପଣଙ୍କ ଦୁଇ ଲକ୍ଷ ଟଙ୍କାର କାମ କରି ଦେଖାଇବେ । ସେହିପରି ୫ ଲକ୍ଷ ଦେଲେ, ୮ ଲକ୍ଷ ଟଙ୍କାର କାମ କରି ଦେଖାଇବେ । ଗଞ୍ଜାମର ଏହି ଗୋଷ୍ଠୀ ଚେତନା ହିଁ ଗଞ୍ଜାମର ସବୁଠାରୁ ବଡ ଶକ୍ତି ଓ ସଫଳତା। ସାରା ରାଜ୍ୟରେ ପିଲାମାନଙ୍କ ସୁନ୍ଦର ଭବିଷ୍ୟତ ପାଇଁ ମିଳିମିଶି କାମ କଲେ ତାହା ହିଁ ଆଣିବ ଓଡିଶାର ପ୍ରକୃତ ରୂପାନ୍ତର।

ପରିଶେଷରେ ଜନସାଧାରଣ ରୂପାନ୍ତରଣ ହୋଇଥିବା ସ୍କୁଲ ଗୁଡିକର ଯତ୍ନ ନିଜ ସଂପତ୍ତି ପରି ନେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏହି କାର୍ୟ୍ୟକ୍ରମ ରେ କୋଡ଼ିଏ ଜଣ ବିଧାୟକ ଓ ମନ୍ତ୍ରୀ ଭାଗ ନେଇଥିଲେ ।ସେମାନେ ସ୍କୁଲ ରୂପାନ୍ତରୀକରଣ କାମର ଉଚ୍ଚ ପ୍ରଶଂସା କରିଥିଲେ । ୫ଟି ସଚିବ ଭି କେ ପାଣ୍ଡିଆନ୍ କାର୍ଯ୍ୟକ୍ରମ ସଞ୍ଚାଳନା କରିଥିଲେ । ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟ ଶାସନ ସଚିବଙ୍କ ସମେତ ବରିଷ୍ଠ ପଦାଧିକାରୀ ଓ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ମାନେ ଉପସ୍ଥିତ ଥିଲେ ।

About The Author: The Sakala