ଭୁବନେଶ୍ୱର : ବିଦେଶ ମାଟିରେ ସମଗ୍ର ଦେଶକୁ ଗୌରବାନ୍ୱିତ କରିଥିବା ଓଡ଼ିଆ ପୁଅ ତଥା ଜାଭେଲିନ୍ ଖେଳାଳୀ କିଶୋର ଜେନାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରିଛନ୍ତି । ହଙ୍ଗେରି ସ୍ଥିତ ବୁଦାପେଷ୍ଟ ଠାରେ ଅନୁଷ୍ଠିତ ବିଶ୍ୱ ଆଥଲେଟିକ୍ ଚାମ୍ପିଅନ୍ସିପ୍ରେ ଉଲ୍ଳେଖନୀୟ ପ୍ରଦର୍ଶନ କରି ଫାଇନାଲ୍କୁ ଯାଇଥିବାରୁ ଶ୍ରୀ ଜେନାଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଛନ୍ତି । ପ୍ରଥମ ଥର ପାଇଁ କୌଣସି ଓଡ଼ିଆ କ୍ରୀଡ଼ାବିତ୍ ଏହି ସ୍ତରକୁ ଯାଇପାରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶ୍ରୀ ଜେନାଙ୍କୁ ଭୂୟସୀ ପ୍ରଶଂସା କରିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।
ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ କିଶୋରଙ୍କର ଏହି ସଫଳତା କେବଳ ତାଙ୍କ ନିଜର ନୁହେଁ । ବରଂ ପ୍ରତ୍ୟେକ ଓଡ଼ିଆଙ୍କୁ ଗର୍ବିତ କରିଛନ୍ତି । ବିଶ୍ୱ ଆଥଲେଟିକ୍ ଚାମ୍ପିଅନ୍ସିପ୍ ପର୍ଯ୍ୟନ୍ତ ତାଙ୍କର ସଫଳ ଯାତ୍ରା ଆମର ଯୁବକ ଯୁବତୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ । ଓଡ଼ିଶାର ପିଲାମାନେ ମଧ୍ୟ ବିଶ୍ୱସ୍ତରରେ ନିଜ ଦକ୍ଷତା ପ୍ରତିପାଦନ କରିପାରନ୍ତି ତାହା ଶ୍ରୀ ଜେନା ପ୍ରମାଣ କରି ଦେଖାଇଛନ୍ତି । ଆମ ରାଜ୍ୟରୁ ଆହୁରି ଅନେକ କିଶୋର ସୃଷ୍ଟି ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ନିଜ ବାର୍ତ୍ତାରେ କହିଛନ୍ତି । ବିଶ୍ୱ ଆଥଲେଟିକ୍ ଚାମ୍ପିଅନ୍ସିପ୍ର ଫାଇନାଲରେ ଶ୍ରୀ ଜେନାଙ୍କ ସମେତ ତିନି ଜଣ ଭାରତୀୟ କ୍ରୀଡାବିତ୍ ପହଞ୍ଚିବାରେ ସଫଳ ହୋଇଥିଲେ । ଶ୍ରୀ ଜେନା ଫାଇନାଲକୁ ଯିବା ସହିତ ୫ମ ସ୍ଥାନ ହାସଲ କରି ଜାଭେଲିନ୍ ଜଗତରେ ନିଜ ସ୍ଥାନ ସୁରକ୍ଷିତ କରିପାରିଛନ୍ତି । ଶ୍ରୀ ଜେନା ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସ୍ୱରୂପ ୮୪.୭୭ ମିଟର୍ ଦୂରତା ପର୍ଯ୍ୟନ୍ତ ଜାଭେଲିନ୍ ଫିଙ୍ଗି ଥିଲେ । ବିଶ୍ୱ ଆଥଲେଟିକ୍ସରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଓଡ଼ିଶାର ଗୌରବ ବୃଦ୍ଧି କରିଛନ୍ତି । ଏହି ଅବସରରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ଆର ଭିନିଲ କ୍ରିଷ୍ଣା ଉପସ୍ଥିତ ଥିଲେ ।