ନବ ଦାସଙ୍କ ହତ୍ୟା ମାମଲା : ଗୃହରେ ବିବୃତ୍ତି ରଖିଲେ ମୁଖ୍ୟମନ୍ତ୍ରୀ, ଯିଏ କେହିବି ସମ୍ପୃକ୍ତି ଥିଲେ ଛଡା ଯିବନି

ଭୁବନେଶ୍ବର : ଆଜି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନ। ତେବେ ଦ୍ୱିତୀୟ ଦିନ ଆରମ୍ଭରୁ ଗୃହରେ ଜୋରଦାର ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ଚାଲିପାରୁନାହିଁ। ପ୍ରଶ୍ନକାଳ ଆରମ୍ଭରୁ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ। ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟମାନେ ନଵ ଦାସ ହତ୍ୟା ଘଟଣାକୁ ମେଇ ହଟ୍ଟଗୋଳ କରିଥିବା ବେଳେ ଶାସକ ଦଳର ବିଧାୟକମାନେ ଚାଷୀ ପ୍ରସଙ୍ଗ ଓ କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରି ଗୃହରେ ପ୍ରତିବାଦ କରିଛନ୍ତି । ଫଳରେ ଗୃହକାର୍ଯ୍ୟ […]

ଭୁବନେଶ୍ବର : ଆଜି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନ। ତେବେ ଦ୍ୱିତୀୟ ଦିନ ଆରମ୍ଭରୁ ଗୃହରେ ଜୋରଦାର ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ଚାଲିପାରୁନାହିଁ। ପ୍ରଶ୍ନକାଳ ଆରମ୍ଭରୁ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ। ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟମାନେ ନଵ ଦାସ ହତ୍ୟା ଘଟଣାକୁ ମେଇ ହଟ୍ଟଗୋଳ କରିଥିବା ବେଳେ ଶାସକ ଦଳର ବିଧାୟକମାନେ ଚାଷୀ ପ୍ରସଙ୍ଗ ଓ କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରି ଗୃହରେ ପ୍ରତିବାଦ କରିଛନ୍ତି । ଫଳରେ ଗୃହକାର୍ଯ୍ୟ ଚାଲିବା ସମ୍ଭବ ପର ନଥିଲା। ପ୍ରଥମେ ଗୃହକାର୍ଯ୍ୟ ଆରମ୍ଭରୁ ଗୃହକୁ ଦିନ ୧୧.୩୦ ଯାଏଁ ମୁଲତବୀ କରାଯାଇଥିଲା। ଏହାପରେ ଗୃହ କାର୍ଯ୍ୟ ଆରମ୍ଭ ହେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ପହଞ୍ଚି ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ଗୃହରେ ନିଜର ବିବୃତ୍ତି ରଖିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ନିଜ ବିବୃତିରେ ନବ ଦାସ ହତ୍ୟାକାଣ୍ଡ ପରେ ରାଜ୍ୟ ସରକାର ଏହାର ତଦନ୍ତ କ୍ଷେତ୍ରରେ ଏଯାବତ୍ ଗ୍ରହଣ କରିଥିବା ସମସ୍ତ ପଦକ୍ଷେପ ସଂପର୍କରେ ଗୃହକୁ ଅବଗତ କରିଥିଲେ। ଏଥିସହ ଏହି ସ୍ପର୍ଶକାତର ଘଟଣାର ରାଜନୀତୀକରଣ କରାଯାଉଥିବା ନେଇ କ୍ଷୋଭ ପ୍ରକାଶ କରିବା ସହ ବିଜେପି ଉପରେ ବର୍ଷିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ‘ଆମେ ଆମର ଜଣେ ସହଯୋଗୀଙ୍କୁ ହରାଇଲୁ । ଓଡ଼ିଶା ଜଣେ ବିଚକ୍ଷଣ ନେତାଙ୍କୁ ହରାଇଛି ।’ ନବ ଦାସଙ୍କ ହତ୍ୟା ମାମଲା ଏକ ସମ୍ବେଦନଶୀଳ ପ୍ରସଙ୍ଗ। ରାଜ୍ୟ ସରକାର ଘଟଣାର ଗମ୍ଭୀରତା ଦୃଷ୍ଟିରୁ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟର ଜଣେ ବିଚାରପତିଙ୍କ ତତ୍ୱାବଧାନରେ ତଦନ୍ତ ପାଇଁ ସରକାର ଅନୁରୋଧ କରିଥିଲେ। ହାଇକୋର୍ଟ ଜଣେ ଅବସରପ୍ରାପ୍ତ ବିଚାରପତି ମଧ୍ୟ ନିଯୁକ୍ତ କରିଛନ୍ତି। ତାଙ୍କ ତତ୍ବାବଧାନରେ ତଦନ୍ତ ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ଆଇନ ଅନୁଯାୟୀ କରାଯାଉଛି। ଏହି ଘଟଣାରେ ଯାହାର ବି ସମ୍ପୃକ୍ତି ରହିଥିବ,ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଘଟଣାରେ କୌଣସି ପକ୍ଷପାତିତା କରାଯାଇ ନାହିଁ। କି କରା ଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଗୃହକୁ ଅବଗତ କରାଯାଇଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଭୟଙ୍କର ଘଟଣା ପରେ, ଏହି ସମ୍ବେଦନଶୀଳ ମାମଲାକୁ କିପରି ରାଜନୀତିକରଣ କରାଯାଉଛି ତାହା ମୋତେ ଓଡ଼ିଶାର ଲୋକଙ୍କୁ ମଧ୍ୟ ଚକିତ କରିଛି। ଭିତ୍ତିହୀନ ଏବଂ କପୋଳକଳ୍ପିତ ଅଭିଯୋଗ କରିବା ଭୁଲ ଅଟେ। ଆମ ଗଣତନ୍ତ୍ରରେ ଏକ ଶକ୍ତିଶାଳୀ ସ୍ତମ୍ଭ ହେଉଛି ସ୍ୱାଧୀନ ନ୍ୟାୟପାଳିକା। ମାନ୍ୟବର ହାଇକୋର୍ଟ ଏହି ମାମଲାର ତଦନ୍ତ ଉପରେ ନଜର ରଖିବା ପାଇଁ ଅବସରପ୍ରାପ୍ତ ହାଇକୋର୍ଟର ଜଣେ ଜଜ୍ ନିଯୁକ୍ତ କରିବା ପରେ ପୁରା ପୁଲିସର ତଦନ୍ତ ନ୍ୟାୟିକ ତଦାରଖ କରାଯାଉଛି। ତେବେ, ଏହି ମାମଲାରେ ରାଜନୀତି କରିବା ଭିତ୍ତିହୀନ ଏବଂ ମନ୍ଦ ଅଭିଯୋଗ କରିବାର ଆବଶ୍ୟକତା କ’ଣ? ଆମେ ସମସ୍ତେ ଆମର ସ୍ୱାଧୀନ ନ୍ୟାୟପାଳିକା ଉପରେ ସମ୍ମାନ ଓ ବିଶ୍ୱାସ କରିବା ଉଚିତ୍।

ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତିରେ କହିଥିଲେ ଯେ ଏହା ଅତ୍ୟନ୍ତଦୁଃଖଦାୟକ କି ପୂର୍ବତନ ମନ୍ତ୍ରୀଙ୍କ ହତ୍ୟାକାରୀ ଜଣେ ପୁଲିସ ଅଧିକାରୀ। ତେବେ ଏହି କାରଣରୁ ବିଜେପି ପକ୍ଷରୁ ‌ସମଗ୍ର ପୁଲିସ ବାହିନୀକୁ ଯେଭଳି ଆକ୍ଷେପ କରାଯାଇ ମନ୍ତବ୍ୟ ଦିଆଯାଉଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି ଘଟଣାକୁ ନେଇ ରାଜନୈତିକ ବୟାନବାଜି ହେତୁ ପୂରା ପୁଲିସ ବାହିନୀର ମନୋବଳ ଉପରେ ନକାରାତ୍କମ ପ୍ରଭାବ ପଡ଼ୁଛି। ବିଜେପି ରାଜ୍ୟର ପୁଲିସ ବାହିନୀକୁ ଉଦ୍ଦେଶ୍ୟମୂଳକ ଭାବେ ବଦନାମ କରିବାକୁ ଉଦ୍ୟମ କରୁଛି। ସେହିପରି ସାମ୍ବିଧାନିକ ପଦବୀରେ ଥିବା ଜଣେ ବ୍ୟକ୍ତି ଜଣେ କାର୍ଯ୍ୟରତ ମହିଳା ପୁଲିସ ଅଧିକାରୀଙ୍କୁ ଆକ୍ରମଣ କରିବା ବି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ଓଡ଼ିଶା ଏଭଳି ଲଜ୍ଜାଜନକ କାଣ୍ଡକୁ କଦାପି କ୍ଷମାଦେବ ନାହିଁ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ମୁଁ ଗଭୀର ଭାବେ ଆଶ୍ଚର୍ଯ୍ୟ ହୋଇଗଲି ଯେ ଏହି ଜଘନ୍ୟ ଅପରାଧର ଅଭିଯୁକ୍ତ ଜଣେ ପୁଲିସ୍। ଅଭିଯୁକ୍ତ ଅଧିକାରୀଙ୍କୁ ତୁରନ୍ତ ସେବାରୁ ବରଖାସ୍ତ କରାଯାଇଛି ଏବଂ ମନ୍ତ୍ରୀ ନବ ଦାସଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ସମସ୍ତ ଉଦ୍ୟମ କରାଯିବ। ତେବେ ବିରୋଧୀ ଦଳର କିଛି ନେତା ବିଶେଷ କରି ରାଜ୍ୟ ବିଜେପିର ପୁରା ପୁଲିସ ଫୋର୍ସ ଉପରେ ଦେଇଥିବା ବିବୃତ୍ତିରେ ମୁଁ ବିବ୍ରତ। ମୁଁ ଦୁଃଖିତ ବିରୋଧୀ, ବିଶେଷକରି ରାଜ୍ୟ ବିଜେପି ଜଘନ୍ୟ ଅପରାଧକୁ ରାଜନୀତିକରଣ କରିବା ଏବଂ ଆମର ପୁଲିସ୍ ଫୋର୍ସ ଉପରେ ବିଭିନ୍ନ ଆରୋପ ଲାଗାଇବା ଏଜେଣ୍ଡାରେ କାମ କରୁଛି। ପୂର୍ବରୁ ମଧ୍ୟ ପୁଲିସ,ସେନା କିମ୍ବା କେନ୍ଦ୍ରୀୟ ସାମରିକ ବାହିନୀର କିଛି ବ୍ୟକ୍ତି ବିଭିନ୍ନ ଅପରାଧରେ ଜଡିତ ହୋଇ ଚାକିରିରୁ ବାହାର ହେବା ସହ ଗିରଫ ହୋଇଛନ୍ତି।କିନ୍ତୁ ଏହା କଦାପି ସମଗ୍ର ପୁଲିସ କି ସେନାର ମାନହାନି ଘଟାଇ ନାହିଁ। ଦୁର୍ଭାଗ୍ୟବଶତ ରାଜ୍ୟ ବିଜେପି ଓଡିଶାର ପୁରା ପୁଲିସ ଫୋର୍ସକୁ ବଦନାମ କରିବାକୁ ଚେଷ୍ଟା କରିଛି। ରାଜ୍ୟ ବିଜେପି ଓଡିଶାର ଯୁବକଙ୍କୁ ଅପମାନିତ କରିଛି ଏବଂ ଏଥିପାଇଁ ଲୋକମାନେ ସେମାନଙ୍କୁ କ୍ଷମା କରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତ୍ତିର ଶେଷରେ କହିଥିଲେ ଯେ ଓଡିଶା ସର୍ବଦା ନିଜ ମହିଳାମାନଙ୍କୁ ସମ୍ମାନ ଦେଇଆସୁଛି। କିନ୍ତୁ ବିରୋଧୀ ଦଳ ନେତା ଯେଉଁ ଲଜ୍ଜାଜନକ ଆଚରଣ ଦେଖାଇଛନ୍ତି, ତାହା କେବେବି କ୍ଷମଣୀୟ ନୁହେଁ। ଏଭଳି ଆଚରଣକୁ ସଡ଼ିଶାବାସୀ କେବେ କ୍ଷମା କରିବ ନାହିଁ। ଆମର ବିଭିନ୍ନ ପ୍ରସଙ୍ଗ ଓ ମାମଲାକୁ ନେଇ ଭିନ୍ନ ଭିନ୍ନ ମତ ଥାଇପାରେ। ତାହାକୁ ନେଇ ଆମେ ତର୍କ କରିପାରିବା କିମ୍ବା ଆଲୋଚନା କରିପାରିବା। କିନ୍ତୁ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଭଳି  ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜନୀତି କରିବା ଆଦୌ ଗ୍ରହଣୀୟ ନୁହେଁ। ମୋ ସରକାରର ଏକମାତ୍ର ଲକ୍ଷ୍ୟ ଏହି ସଙ୍ଗୀନ ଅପରାଧରେ ସଂପୃକ୍ତ ସମସ୍ତଙ୍କୁ ଧରି କଠୋର ଦଣ୍ଡରେ ଦଣ୍ଡିତ କରିବା।

About The Author: The Sakala