ଭୁବନେଶ୍ୱର: ଟାଟା ମୋଟର୍ସରେ ଲୋକଙ୍କୁ ଚାକିରି ଦେବା ନାଁରେ ହୋଇଥିବା ଠକେଇ ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଚାର୍ଜଫ୍ରେମ ହୋଇଛି । ଭୁବନେଶ୍ବର ସ୍ବତନ୍ତ୍ର ଅଦାଲତରେ ହେଲା ଚାର୍ଜଫ୍ରେମ । ବିଧାୟକଙ୍କ ସହ ଆଉ ଦୁଇ ଜଣଙ୍କ ନାଁରେ ମଧ୍ୟ ଚାର୍ଜଫ୍ରେମ ହୋଇଛି । ଅନ୍ୟ ଦୁଇ ଜଣ ହେଲେ ଆକାଶ ପାଠକ ଏବଂ ସର୍ବେଶ୍ବର ରାଓ । ଆକାଶ ହେଉଛନ୍ତି ବହିଷ୍କୃତ IFS ଅଭୟ ପାଠକଙ୍କ ପୁଅ ଓ ସର୍ବେଶ୍ୱର ହେଉଛନ୍ତି ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ । ସର୍ବେଶ୍ବରଙ୍କ ଜରିଆରେ ପ୍ରଦୀପ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଥିଲା ।
ଟାଟା ମୋଟର୍ସରେ ଆକାଶ ପାଠକ ଚାକିରି କରୁଥିଲେ ବୋଲି ମିଛ କହିଥିଲେ ପ୍ରଦୀପ ପାଣିଗ୍ରାହୀ । ପ୍ରକୃତରେ ଟାଟା ମୋଟର୍ସରେ ଆକାଶ ପାଠକ ଚାକିରି କରୁନଥିଲେ । ପବ୍ଲିକ ସର୍ଭାଣ୍ଟ ହୋଇ ଲୋକଙ୍କଠୁ ପ୍ରଦୀପ ଟଙ୍କା ଆଦାୟ କରିଥିଲେ । ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ପ୍ରଦୀପ ପାଣିଗ୍ରାହୀ, ସର୍ବେଶ୍ବର ଏବଂ ଆକାଶ ପାଠକ ଗିରଫ ହୋଇଥିଲେ । ଜାମିନରେ ଆସିବା ପରେ ସ୍ବତନ୍ତ୍ର କୋର୍ଟରେ ପ୍ରଦୀପ କରିଥିଲେ ଡିସଚାର୍ଜ ପିଟିସନ । ଡିସଚାର୍ଜ ପିଟିସିନକୁ ଖାରଜ କରିଥିଲେ ସ୍ବତନ୍ତ୍ର କୋର୍ଟ । ପରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ପ୍ରଦୀପ । ହାଇକୋର୍ଟ ମଧ୍ୟ ପ୍ରଦୀପଙ୍କ ଆବେଦନକୁ କରିଥିଲେ ଖାରଜ । ଆବେଦନ ଖାରଜ ହେବା ପରେ ଆଜି ହୋଇଛି ଚାର୍ଜଫ୍ରେମ । ଚାର୍ଜଫ୍ରେମ ବେଳେ ସ୍ବତନ୍ତ୍ର ଅଦାଲତରେ ପ୍ରଦୀପ ହାଜର ହୋଇଥିଲେ । ଚାର୍ଜଫ୍ରେମ ପରେ ମାମଲାର ଶୁଣାଣି ଆରମ୍ଭ ହୋଇଛି ।