ଚମ୍ପୁଆ/କେନ୍ଦୁଝର : କେନ୍ଦୁଝର ବନଖଣ୍ଡ ଚମ୍ପୁଆ ବନାଞ୍ଚଳର ଜାମୁଦଲକରେ ୨ ହାତୀ ଶାବକ ଙ୍କ ଜନ୍ମ ହୋଇଥିବାବେଳେ ଅନ୍ୟ ଏକ ମାଈ ହାତୀ ଛୁଆ ଜନ୍ମ କରି ନପାରି ପ୍ରସବ ବେଦନାରେ ଥିବା ଜଣାପଡିଛି। ଆଜି ପ୍ରତ୍ୟୁଷରୁ ଏହି ମାଈ ହାତୀଟି ପ୍ରସବ ବେଦନା ଲାଘବ ପରେ ଛୁଆ ଜନ୍ମ ଦେବାକୁ ଅନେକ ଚେଷ୍ଟା କରିଥିଲା । ପ୍ରସବ ଯନ୍ତ୍ରଣାରେ ଛଟପଟ ହୋଇ କେତେବେଳେ ତଳେ ଲୋଟି ଯାଉଥିଲା ତ ଆଉ କେତେବେଳେ ସେ ଏଣେ ତେଣେ ଧାଇଁ ଯାଉଥିଲା। ତେବେ ଦୀର୍ଘ ୬/୭ ଘଣ୍ଟା ଧରି ଯନ୍ତ୍ରଣା ଭୋଗିବା ପରେବି ହାତୀଟି ଛୁଆ ଜନ୍ମ କରିବାରେ ସକ୍ଷମ ହୋଇପାରିନଥିଲା । ହାତୀ ଶାବକର କେବଳ ଗୋଡ଼ ଦୁଇଟି ବାହାରକୁ ବାହାରିଥିବା ଦେଖିବାକୁ ମିଳିଥିଲେ ଛୁଆ ଜନ୍ମ କରିବାରେ ସକ୍ଷମ ହୋଇନାହିଁ ମା ହାତୀ।
ତେବେ ଖବର ପାଇ ଚମ୍ପୁଆ ବନାଞ୍ଚଳ ଅଧିକାରୀ, ବନ କର୍ମଚାରୀ ଓ ବନ୍ୟଜନ୍ତୁ ଚିକିତ୍ସକଙ୍କୁ ନେଇ ଘଟଣା ସ୍ଥଳରେ ଉପସ୍ଥିତ ରହିଥିଲେ ମଧ୍ୟ ପ୍ରସବ ଯନ୍ତ୍ରଣା ପାଉଥିବା ମା ହାତୀ ପାଖରେ ପହଞ୍ଚି ପାରୁନାହାନ୍ତି। କାରଣ ପ୍ରସବ ଯନ୍ତ୍ରଣା ପାଉଥିବା ମା ହାତୀକୁ ଘେରି ରହିଛନ୍ତି ୨୫ ଟିକିଆ ହାତୀପଲ। ପ୍ରସୂତୀ ହାତୀଟି ୨୫ ଟିକିଆ ହାତୀପଲରେ ଥିବାରୁ ସେମାନଙ୍କ ଉପରେ ନଜର ରଖିବା ଛଡା ବନବିଭାଗ ଅନ୍ୟ କିଛି ଉଦ୍ୟମ କରିପାରୁନାହିଁ ।
ସେପଟେ ଜାମୁଦଲକ ଜଙ୍ଗଲରେ ୨୫ ଟିକିଆ ହାତୀପଲ ଏକାଠି ହୋଇଥିବା ଏବଂ ୨ ଶାବକ ଜନ୍ମ ହୋଇଥିବା ଖବର ପାଇ ଆଖପାଖର ଲୋକେ ସେଠାରେ ଭିଡ଼ ଜମାଇଥିଲେ । ଯେମିତି କିଛି ଅଘଟଣ ନଘଟେ ସେଥିପାଇଁ ପୁଲିସ୍ ସେଠାରେ ପହଁଚି ଲୋକଙ୍କୁ ଦୂରେଇ ରଖିଥିଲେ ।ପରିସ୍ଥିତି କୁ ଦେଖି ସେଠାରେ ପୋଲିସ ମଧ୍ୟ ଜଗିରହିଛନ୍ତି। ହାତୀ ମାନଙ୍କ ପାଖକୁ ନଯିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦୁଝରରୁ ବନ୍ୟଜନ୍ତୁ ବିଶେଷଜ୍ଞ ମଧ୍ୟ ସେଠାକୁ ଯାଇ ପ୍ରସୂତୀ ହାତୀ ଉପରେ ନଜର ରଖିଛନ୍ତି। ତେବେ ଏକା ସମୟରେ ୨ ହାତୀ ଶାବକ ଜନ୍ମ ଏବଂ ଆଉ ଏକ ହାତୀ ଜନ୍ମ କରିବାକୁ ଯାଉଥିବାରୁ ବନ ବିଭାଗ ପାଇଁ ଉତ୍ସ।ହ ସୃଷ୍ଟି କରିଛି କାରଣ ଏକା ସମୟରେ ୩ ହାତୀ ଶାବକ ଜନ୍ମ ବନବିଭାଗ ପାଇଁ ଏକ ପ୍ରଥମ ଘଟଣା ହୋଇଛି।