ଯାଁଳା : ମେଡିକାଲରେ ପଡ଼ିଥିବା ପୁତୁରାକୁ ଦେଖିବାକୁ ଆସିଥିଲେ ଭୁବନେଶ୍ୱର। ଫେରିବା ରାସ୍ତାରେ ଲୁଟେରାମାନେ ସୁନାଚେନ୍ ଝାମ୍ପିନେବା ବେଳେ ସ୍କୁଟିରୁ ପଡ଼ି ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ମଳିପଡ଼ା ଅନ୍ତର୍ଗତ ପାଣିଛତ୍ର ଗ୍ରାମର ଭାଗିରଥୀ ବରାଳଙ୍କ ସ୍ତ୍ରୀ ପ୍ରତିମା ବରାଳ (୫୨)। ଘଟଣା ଘଟିଛି ଜଟଣୀ ଥାନା ଯାଁଳା ଫାଣ୍ଡି ଅନ୍ତର୍ଗତ ଗଙ୍ଗପଡ଼ା ନିକଟସ୍ଥ ପୂରୁଣା ଟୋଲଗେଟ୍ ପାଖରେ। ପ୍ରତିମାଙ୍କ ପୁତୁରା ଭୂବନେଶ୍ୱର ଚନ୍ଦ୍ରଶେଖରପୁର ନିକଟସ୍ଥ ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ପୁତୁରାକୁ ଦେଖିବାକୁ ପ୍ରତିମା ଓ ତାଙ୍କ ସାନପୁଅ ଆଶିଷ ଏକ ସ୍କୁଟି ଯୋଗେ ମଙ୍ଗଳବାର ଭୁବନେଶ୍ୱର ଆସିଥିଲେ। ପୁତୁରାକୁ ଦେଖି ସନ୍ଧ୍ୟାରେ ଘରକୁ ଫେରୁଥିଲେ।
ବାଟରେ ପାତ୍ରପଡ଼ାଠାରେ ଥିବା ଏକ ସୋ ରୁମ୍ରୁ ଶାଢ଼ୀ କିଣି ଖୋର୍ଦ୍ଧା ଅଭିମୁଖେ ଯାଉଥିବାବେଳେ ରାତି ପ୍ରାୟ ସାଢେ ୭ଟାରେ ୧୬ନଂ ଜାତୀୟ ରାଜପଥ ଗଙ୍ଗପଡ଼ା ନିକଟସ୍ଥ ପୂରୁଣା ଟୋଲଗେଟ୍ ପାଖରେ ପଛରୁ ଦୁଇଟି ବାଇକ୍ରେ ୪ ଜଣ ଯୁବକ ଆସିଥିଲେ। ପ୍ରଥମ ବାଇକରେ ବସିଥିବା ଯୁବକ ପ୍ରତିମାଙ୍କ ବେକରୁ ସୁନାଚେନ୍ ଝାମ୍ଫି ନେଇଥିଲେ। ଦ୍ୱିତୀୟ ବାଇକରେ ବସିଥିବା ଯୁବକ ପ୍ରତିମାଙ୍କ ହାତରୁ ସୁନା ଚୁଡ଼ି ଝିଙ୍କି ନେବାକୁ ପ୍ରୟାସ କରିବାବେଳେ ସେ ସ୍କୁଟିରୁ ଖସି ପଡ଼ିଥିଲେ। ଯାଁଳା ଫାଣ୍ଡି ପୁଲିସ ପହଞ୍ଚି ଗୁରୁତର ଅବସ୍ଥାରେ ତାଙ୍କୁ ଏମସ୍ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ପ୍ରତିମାଙ୍କୁ ମୃତ ଘୋଷଣା କରିଥିଲେ। ବୁଧବାର ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି।