ଓଡ଼ିଶାର ବାରମ୍ବାର ଅନୁରୋଧ ପରେ ବି ପର୍ଯ୍ୟାପ୍ତ ସାର ଯୋଗାଇ ଦେବାରେ କେନ୍ଦ୍ର ସରକାର ବିଫଳ

ଭୁବନେଶ୍ୱର: ବାରମ୍ବାର ଅନୁରୋଧ କରିବା ପରେ କେନ୍ଦ୍ର ସରକାର ଓଡ଼ିଶାକୁ ପର୍ଯ୍ୟାପ୍ତ ସାର ଯୋଗାଇ ଦେବାରେ ବିଫଳ ହେଉଛନ୍ତି। ଏପଟେ ରାଜ୍ୟରେ ମହଜୁଦ ଥିବା ସାର ଠିକଣା ସମୟରେ ଚାଷୀଙ୍କ ନିକଟରେ ପହଞ୍ଚି ପାରୁ ନାହିଁ। ଏପରିସ୍ଥଳେ ସାରର କଳାବଜାରୀ ଚାଲିଛି। ସାର ଅଭାବକୁ ନେଇ ପଶ୍ଚିମ ଓଡ଼ିଶାରୁ ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ ଚାଷୀ ଅସନ୍ତୋଷ ଦେଖା ଦେଲାଣି। କିଛି ଜିଲ୍ଲାରେ ଚାଷୀମାନେ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଜଣାପଡ଼ିଛି। ଖରିଫ୍‍ ଋତୁରେ ସାର ଅଭାବ ଚାଷୀଙ୍କ […]

ଭୁବନେଶ୍ୱର: ବାରମ୍ବାର ଅନୁରୋଧ କରିବା ପରେ କେନ୍ଦ୍ର ସରକାର ଓଡ଼ିଶାକୁ ପର୍ଯ୍ୟାପ୍ତ ସାର ଯୋଗାଇ ଦେବାରେ ବିଫଳ ହେଉଛନ୍ତି। ଏପଟେ ରାଜ୍ୟରେ ମହଜୁଦ ଥିବା ସାର ଠିକଣା ସମୟରେ ଚାଷୀଙ୍କ ନିକଟରେ ପହଞ୍ଚି ପାରୁ ନାହିଁ। ଏପରିସ୍ଥଳେ ସାରର କଳାବଜାରୀ ଚାଲିଛି। ସାର ଅଭାବକୁ ନେଇ ପଶ୍ଚିମ ଓଡ଼ିଶାରୁ ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ ଚାଷୀ ଅସନ୍ତୋଷ ଦେଖା ଦେଲାଣି। କିଛି ଜିଲ୍ଲାରେ ଚାଷୀମାନେ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଜଣାପଡ଼ିଛି।

ଖରିଫ୍‍ ଋତୁରେ ସାର ଅଭାବ ଚାଷୀଙ୍କ ସମସ୍ୟା ଜଟିଳ ରୂପ ଧାରଣ କରିବାରେ ଲାଗିଛି। ନିକଟରେ ଗୁଲାବ, ୟସ୍‍, ଜୱାଦ ଭଳି ବାତ୍ୟାର ସମ୍ମୁଖୀନ ହୋଇଥିବା ଓଡ଼ିଶାର ଚାଷୀମାନେ ବ୍ୟାପକ କ୍ଷତି ସହ୍ୟ କରିଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ବ୍ୟାପକ ଫସଲ ହାନୀ ହୋଇଥିଲା। ଚଳିତ ବର୍ଷ ରାଜ୍ୟରେ ଭଲ ବର୍ଷା ହୋଇଥିବା ବେଳେ ଚାଷ ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ଅଛି। ଆଇଏମ୍‍ଡିର ପୂର୍ବାନୁମାନ ଅନୁସାରେ ଏଥର ଭଲ ଅମଳ ପାଇଁ ଓଡ଼ିଶାର ଚାଷୀମାନେ ପ୍ରସ୍ତୁତ ହେଉଥିବା ବେଳେ ଚାଷ କାମ ଆରମ୍ଭ ହୋଇଛି। ହେଲେ ବିଭିନ୍ନ ପ୍ରକାର ସାରର ଘୋର ଅଭାବ ଦେଖା ଦେଇଛି। ଚଳିତ ଖରିଫ୍‍ ଋତୁରେ ଡିଏପି, ଏମ୍‍ଓପି ଭଳି ସାର ଯୋଗାଣ ଆବଶ୍ୟକତା ଠାରୁ ବହୁତ କମ୍‍ ରହିଛି। ଜୁଲାଇ ୩୧ ତାରିଖ ସୁଦ୍ଧା ୪୬,୮୭୭ ମେଟ୍ରିକ୍‍ ଟନ୍‍ ଡିଏପି ସାର ଅଭାବ ରହିଥିଲା। ଜୁଲାଇ ୩୧ ତାରିଖ ସୁଦ୍ଧା ୧,୫୫,୦୦୦ ମେଟ୍ରିକ୍‍ ଟନ୍‍ ଡିଏପି ଆବଶ୍ୟକ ଥିବା ବେଳେ ୯୬,୦୦୦ ମେଟ୍ରିକ୍‍ ଟନ୍‍ ସାର ଯୋଗାଣ ହୋଇଛି। ଏହି ତାରିଖ ସୁଦ୍ଧା ରାଜ୍ୟରେ ୧୦୮,୧୨୩ ମେଟ୍ରିକ୍‍ ଟନ୍‍ ସାର ମହଯୁଦ ରହିଥିବା ବେଳେ ୪୬,୮୭୭ ମେଟ୍ରିକ୍‍ ଟନ୍‍ ଡିଏପି ଅଭାବ ରହିଛି। ସେହିପରି ଜୁଲାଇ ୩୧ ସୁଦ୍ଧା ରାଜ୍ୟରେ ୬୦,୦୦୦ ଏମ୍‍ଓପି ଆବଶ୍ୟକ ଥିବା ବେଳେ ୪୮,୬୪୯ ମେଟ୍ରିକ୍‍ ଟନ୍‍ ଯୋଗାଣ ହୋଇଛି, ୫୮,୯୯୦ ମେଟ୍ରିକ୍‍ ଟନ୍‍ ମହଯୁଦ ଅଛି ଏବଂ ୧୦୧୦ ମେଟ୍ରିକ୍‍ ଟନ୍‍ ଆବଶ୍ୟକ ଅଛି।

ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶାର ଚାଷୀମାନେ ବ୍ୟାପକ କ୍ଷତି ସହ୍ୟ କରୁଛନ୍ତି। ବନ୍ୟା, ବାତ୍ୟାରେ ଫସଲ ଉଜୁଡ଼ି ଯାଉଛି। ସାର ଯୋଗାଣରେ କେନ୍ଦ୍ର ସରକାରଙ୍କ ଅବହେଳା କିଛି ନୂଆ କଥା ନୁହେଁ। ଗତବର୍ଷ ଜୁଲାଇ ମାସରେ ମଧ୍ୟ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖି ସାର ଅଭାବ ଦୂର ପାଇଁ ଅନୁରୋଧ କରିଥିଲେ। କିଛିବର୍ଷ ହେବ ନିୟମ ତଥା ଚୁକ୍ତି ଅନୁଯାୟୀ କେନ୍ଦ୍ର ସରକାର ଯେଉଁ ପରିମାଣରେ ସାର ରାଜ୍ୟକୁ ଦେବା କଥା, ତାହା ପ୍ରଦାନ କରୁନାହାନ୍ତି। ଯାହା ଫଳରେ ଜିଲ୍ଲା ଗୁଡ଼ିକ ଆବଶ୍ୟକ ପରିମାଣର ସାର ଯୋଗାଇ ଦିଆଯାଇପାରୁନାହିଁ। ଗତ ବିଧାନସଭା ଅଧିବେସନରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ ଯେ, ଚଳିତ ଖରିଫ ଋତୁରେ ବିଭିନ୍ନ ଜିଲ୍ଲାକୁ ୨,୦୫,୯୯୨ ମେଟ୍ରିକ ଟନ୍‍ ୟୁରିଆ, ୭୭,୬୭୧ ମେଟ୍ରିକ ଟନ୍‍ ଡିଏପି, ୨୬,୬୯୮ ମେଟ୍ରିକ ଟନ୍‍ ପଟାସ(ଏମଓପି) ଏବଂ ଏନପିକେ(ଗ୍ରୋମର ସମେତ) ୯୫,୬୩୮ ମେଟ୍ରିକ ଟନ୍‍ ସାର ଯୋଗାଇ ଦିଆଯାଇଛି।

ରାଜ୍ୟରେ ଚାଷୀମାନେ ଲାଇସେନ୍ସ ପ୍ରାପ୍ତ ଖୁଚୁରା ବିକ୍ରେତାଙ୍କ ଠାରୁ ସର୍ବାଧିକ ଖୁଚୁରା ମୂଲ୍ୟରେ ସାର କିଣିଥାନ୍ତି। ତେବେ ଗୋଟିଏ ପଟେ କେନ୍ଦ୍ରରୁ ସାର ଆସୁନଥିବା ବେଳେ ଉପଯୁକ୍ତ ବିତରଣ ଏବଂ ତଦାରଖ ବ୍ୟବସ୍ଥା ଅଭାବରେ ସାରର କଳାବଜାରୀ ହେଉଥିବା ଅଭିଯୋଗ ହେଉଛି। ବିଶେଷକରି ୟୁରିଆ ସାର ଦୁଇ ଗୁଣା ମୂଲ୍ୟରେ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ସେହିପରି ଡିଏପି, ଏନ୍‍ପିକେଏସ୍‍, ଏମ୍‍ଓପି ସାରର ମଧ୍ୟ ସମାନ ଅବସ୍ଥା। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶାର ଚାଷୀ ମାନଙ୍କ ଉପରେ ସାର ଅଭାବ ଅତିରିକ୍ତ ବୋଝ ସୃଷ୍ଟି କରୁଛି।

About The Author: The Sakala