ଓଡ଼ିଶାର ଶିକ୍ଷା ପ୍ରତି କେନ୍ଦ୍ରର ଦରଦ ଏମିତି : ୧୭ ଶିକ୍ଷକରେ ଚାଲିଛି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ,ଏମ୍‌ସରେ ୩୫ ପ୍ରତିଶତ ପଦବୀ ଖାଲି

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ରାଜ୍ୟ ଶିକ୍ଷା ବ୍ୟବସ୍ଥା ପ୍ରତି ଦରଦ ଏମିତି। ମାତ୍ର ୧୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଓଡ଼ିଶାରେ ପ୍ରତିଷ୍ଠିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁ) ଚାଲିଥିବାବେଳେ ଭୁବନେଶ୍ୱର ଏମ୍‌ରେ ୩୫ ପ୍ରତିଶତ ପଦବୀ ଖାଲି ପଡ଼ିଛି। କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଇଁ ମଞ୍ଜୁର ହୋଇଥିବା ୧୫୪ କର୍ମଚାରୀ ପଦ ମଧ୍ୟରୁ ମାତ୍ର ୧୭ ଜଣ ଶିକ୍ଷକ ନିୟୋଜିତ ଥିବାବେଳେ ଏମ୍ସ ପାଇଁ ଅନୁମୋଦିତ ୧୦୩୩ ପଦରୁ ୩୬୫ଟି ଖାଲି ପଡ଼ିଛି। ଉଭୟ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଉପରେ […]

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ରାଜ୍ୟ ଶିକ୍ଷା ବ୍ୟବସ୍ଥା ପ୍ରତି ଦରଦ ଏମିତି। ମାତ୍ର ୧୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଓଡ଼ିଶାରେ ପ୍ରତିଷ୍ଠିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁ) ଚାଲିଥିବାବେଳେ ଭୁବନେଶ୍ୱର ଏମ୍‌ରେ ୩୫ ପ୍ରତିଶତ ପଦବୀ ଖାଲି ପଡ଼ିଛି। କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଇଁ ମଞ୍ଜୁର ହୋଇଥିବା ୧୫୪ କର୍ମଚାରୀ ପଦ ମଧ୍ୟରୁ ମାତ୍ର ୧୭ ଜଣ ଶିକ୍ଷକ ନିୟୋଜିତ ଥିବାବେଳେ ଏମ୍ସ ପାଇଁ ଅନୁମୋଦିତ ୧୦୩୩ ପଦରୁ ୩୬୫ଟି ଖାଲି ପଡ଼ିଛି। ଉଭୟ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଉପରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଛତିଶଗଡ଼଼, ବିହାର, ଆନ୍ଧ୍ର ପ୍ରଦେଶ ଭଳି ରାଜ୍ୟ ନିର୍ଭର କରୁଥିଲେ ବି ଦୀର୍ଘ ବର୍ଷ ହେବ ଏହି ପଦଗୁଡ଼ିକ ଖାଲି ପଡ଼ିଛି। ଦୁଇ କେନ୍ଦ୍ରୀୟ ପ୍ରତିଷ୍ଠାନର ରାଜ୍ୟ ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ବେଳେ ଏହାର ସୁପରିଚାଳନା ପାଇଁ କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ଅତ୍ୟନ୍ତ ପରିତ୍ତାପର ବିଷୟ ବୋଲି ଶିକ୍ଷାବିତ୍‍ମାନେ କହିଛନ୍ତି।

୨୦୦୯ରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୋରାପୁଟରେ ପ୍ରତିଷ୍ଠା ହୋଇଥିଲା। ଓଡିଆ, ସଂସ୍କୃତ, ହିନ୍ଦୀ, ଇଂରାଜୀ ଭଳି ଭାଷା ସହିତ ନୃତତ୍ତ୍ବ, ସମାଜ ବିଜ୍ଞାନ, ଅର୍ଥନୀତି, ସାମ୍ୱାଦିକତା ଓ ଗଣ ଯୋଗାଯୋଗ, ଶିକ୍ଷା, ଗଣିତ, କମ୍ପ୍ୟୁଟର୍‍ ବିଜ୍ଞାନ, ପରିସଂଖାନ, ବ୍ୟବସାୟ ପ୍ରବନ୍ଧନ, ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ଆଦିକୁ ମିଶାଇ ମୋଟ୍‍ ୧୪ଟି ବିଷୟରେ ସ୍ନାତକୋତ୍ତର ପାଠପଢ଼ା ବ୍ୟବସ୍ଥା ଅଛି। ସେହିପରି ଛାତ୍ରଛାତ୍ରୀଙ୍କ ଗବେଷଣା ପାଇଁ ପିଏଚ୍‍ଡି ମଧ୍ୟ ଖୋଲିଛି। ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗରେ ୯ଶହରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼଼ୁଥିଲେ ହେଁ ଅଧିକାଂଶ ବିଭାଗରେ ନିୟମିତ ପ୍ରଫେସର ଓ ସହଯୋଗୀ ପ୍ରଫେସର ନାହାନ୍ତି। ମିଳିଥିବା ସୂଚନା ଅନୁସାରେ କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୧୪ଟି ବିଭାଗରେ ୯୫୦ ଜଣ ଛାତ୍ରଛାତ୍ରୀ ପଢ଼ିବାର ବନ୍ଦୋବସ୍ତ ହୋଇଛି। ହେଲେ ୧୪ ବିଭାଗ ପାଇଁ ମାତ୍ର ୧୭ ଶିକ୍ଷକ ନିୟୋଜିତ ଅଛନ୍ତି। ଅତିଥି ଶିକ୍ଷକଙ୍କ ଭରସାରେ ପରିଚାଳିତ ବିଶ୍ୱବିଦ୍ୟାଳୟ ଶିକ୍ଷାଦାନ ବ୍ୟବସ୍ଥା। ଏପରିକି ପାଖାପାଖି ୩ ବିଭାଗରେ ନିୟମିତ ଶିକ୍ଷକ ହିଁ ନାହାନ୍ତି।

ସେହିପରି ଅଣଶିକ୍ଷକ ପଦବୀ ମଧ୍ୟରେ ୧୧୫ ଅନୁମୋଦିତ ପଦ ମଧ୍ୟରୁ ୯୩ଟି ପଦରେ କର୍ମଚାରୀ ରହିଛନ୍ତି। ପାଖାପାଖି ୮୦ ପ୍ରତିଶତ ଅଣଶିକ୍ଷିକ କର୍ମଚାରୀ ପଦ ଖାଲି ପଡ଼ିଛି। କହିବାକୁ ଗଲେ ଅତିଥି କର୍ମଚାରୀଙ୍କ ଦ୍ୱାରା ଏହି ବିଶ୍ୱବିଦ୍ୟାଳୟ ପରିଚାଳିତ ହେଉଛି। ସେହିପରି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ୧୨ ବର୍ଷ ମଧ୍ୟରେ ଆଜିଯାଏଁ ମାତ୍ର ୧୪ଟି ବିଭାଗ ଖୋଲିଛି। ଆଇନ୍‍, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ, ବାୟୋ ଟେକ୍ନୋଲୋଜି, ଇତିହାସ, ଭୂଗୋଳ ଆଦି ବିଭାଗ ଖୋଲିବା ପାଇଁ ଦାବି ହେଉଥିଲେ ହେଁ ସରକାରୀ ସ୍ତରରେ ଏଥିପ୍ରତି ଧ୍ୟାନ ଦିଆଯାଉ ନାହିଁ। ତେବେ କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ପଦ ପୂରଣ ସହିତ ଅନ୍ୟାନ୍ୟ ବିଭାଗରେ ନୂଆ ପାଠ୍ୟକ୍ରମ ଖୋଲିବା ପାଇଁ ଦାବି ହେଉଛି।

ସେହିପରି ଓଡ଼ିଶାରେ ଥିବା ଅନ୍ୟ ଏକ ଶିକ୍ଷା, ଗବେଷଣା ଓ ଚିକିତ୍ସା କେନ୍ଦ୍ର ହେଉଛି ଅଖିଳ ଭାରତ ଆର୍‍ୟୁବିଜ୍ଞାନ ସଂସ୍ଥାନ(ଏମ୍ସ)। ଏଠାରେ ଉନ୍ନତମାନର ଚିକିତ୍ସା କମ୍‍ ମୂଲ୍ୟରେ ଉପଲବ୍ଧ ହେଉଥିବାରୁ ଆଉଟଡୋର୍‍ ଟିକେଟ ପାଇବା ପାଇଁ ପୂର୍ବଦିନରୁ ଆସି ଲୋକେ ଅଧିଆ ପଡ଼ନ୍ତି। ମାତ୍ର ଏହାର ଆଭ୍ୟନ୍ତରଣୀୟ ଭିତ୍ତିଭୂମିର ବିକାଶ ପାଇଁ ବିଶେଷ ଧ୍ୟାନ ଦିଆଯାଉ ନଥିବା ଅଭିଯୋଗ ହେଉଛି। ଏହି ସଂସ୍ଥାନ ପାଇଁ ଶିକ୍ଷକ ଏବଂ ବରିଷ୍ଠ ଓ କନିଷ୍ଠ ରେସିଡେଣ୍ଟ ଡାକ୍ତରଙ୍କୁ ମିଶାଇ ମୋଟ ୧୦୩୩ ପଦବୀ ଥିବାବେଳେ ସେଥିରୁ ୩୬୫ଟି ଖାଲି ପଡ଼ିଛି। ଦୀର୍ଘ ଦିନ ହେବ ପଦ ଖାଲି ଥିବାବେଳେ ଏଗୁଡ଼ିକୁ ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉନି। ଏଠାରେ ଚିକିତ୍ସାସେବା ସହିତ ଉନ୍ନତମାନର ଡାକ୍ତରୀ ଶିକ୍ଷା ମଧ୍ୟ ପ୍ରଦାନ କରାଯାଇଥାଏ। ଏଥିପାଇଁ ନିଯୁକ୍ତ ପ୍ରଫେସରମାନେ ରୋଗୀ ଚିକିତ୍ସା କରିଥାନ୍ତି। ଏମ୍‌ସର ଡାକ୍ତରମାନଙ୍କ ଉପରେ ଆଉଟଡୋର୍‍ ଓ ଇନଡୋର୍‍ ରୋଗୀ ଚିକିତ୍ସା ସହ ଜଟିଳ ଅସ୍ତ୍ରୋପଚାର, ଶିକ୍ଷାଦାନ, ଗବେଷଣା, ପରୀକ୍ଷା ପରିଚାଳନା ଓ ଅନ୍ୟାନ୍ୟ ପ୍ରଶାସନିକ କାର୍ଯ୍ୟ ମଧ୍ୟ ନ୍ୟସ୍ତ ଥାଏ। ପୂର୍ବ ଭାରତର ଅଗ୍ରଣୀ ମେଡିକାଲ କଲେଜ ଓ ହସପିଟାଲ ଭାବେ ଏମ୍ସର ବେଶ୍‍ ସୁନାମ ଥିବାବେଳେ ଏଠାରେ ଡାକ୍ତର ପଦବୀ ବର୍ଷବର୍ଷ ଧରି ଖାଲି ରହୁଛି। ଏଥିଯୋଗୁଁ ରୋଗୀ ସେବା, ଗବେଷଣା ଓ ଶିକ୍ଷାଦାନ କାମରେ ବାଧା ଉପୁଜୁଛି। କରୋନା ସ୍ଥିତିରେ ଡାକ୍ତରମାନଙ୍କ ଆବଶ୍ୟକତା ଓ ଆଧୁନିକ ଚିକିତ୍ସାସେବା ନିତ୍ୟାନ୍ତ ଜରୁରୀ ଥିବାବେଳେ ଏମ୍ସ ଭଳି ଅତ୍ୟାଧୁନିକ ମେଡିକାଲ କଲେଜରେ ଏତେ ସଂଖ୍ୟକ ପଦ ଖାଲି ରହିବା ନିହାତି ଭାବେ ପରିତାପର ବିଷୟ ବୋଲି ବୁଦ୍ଧିଜୀବୀଙ୍କ ମତ।

About The Author: The Sakala