ରାଜ୍ୟ ପାଇଁ ସମସ୍ୟା କେନ୍ଦ୍ରର ସେସ୍‌‌-ସରଚାର୍ଜ : ହ୍ରାସ ପାଉଛି କେନ୍ଦ୍ରୀୟ ଅନୁଦାନ

ଭୁବନେଶ୍ୱର : ବ୍ୟବସ୍ଥା ଅନୁସାରେ ଆର୍ଥିକ ବର୍ଷର ରାଶି ସେହି ବର୍ଷ ମଧ୍ୟରେ କେନ୍ଦ୍ର ସରକାର ରାଜ୍ୟକୁ ପ୍ରଦାନ କରିବା କଥା; ମାତ୍ର ପ୍ରତି ଆର୍ଥିକ ବର୍ଷରେ ଏହାର ବ୍ୟତିକ୍ରମ ଘଟିଛି ଓ ଚଳିତ ବର୍ଷ ମଧ୍ୟ ବ୍ୟତିକ୍ରମ ଘଟିବା ଆଶଙ୍କା କରାଯାଉଛି। ଚଳିତ ଆର୍ଥିକ ବର୍ଷର ୬ ମାସ ଯାଇ ୭ ମାସ ପୂରିବାକୁ ବସିଲାଣି; ମାତ୍ର କେନ୍ଦ୍ର ସରକାର ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ, ଟିକସ ଭାଗ ଓ ଅନ୍ୟାନ୍ୟ ବାବଦରେ ଯେତିକି ଅର୍ଥ ପ୍ରଦାନ […]

ଭୁବନେଶ୍ୱର : ବ୍ୟବସ୍ଥା ଅନୁସାରେ ଆର୍ଥିକ ବର୍ଷର ରାଶି ସେହି ବର୍ଷ ମଧ୍ୟରେ କେନ୍ଦ୍ର ସରକାର ରାଜ୍ୟକୁ ପ୍ରଦାନ କରିବା କଥା; ମାତ୍ର ପ୍ରତି ଆର୍ଥିକ ବର୍ଷରେ ଏହାର ବ୍ୟତିକ୍ରମ ଘଟିଛି ଓ ଚଳିତ ବର୍ଷ ମଧ୍ୟ ବ୍ୟତିକ୍ରମ ଘଟିବା ଆଶଙ୍କା କରାଯାଉଛି। ଚଳିତ ଆର୍ଥିକ ବର୍ଷର ୬ ମାସ ଯାଇ ୭ ମାସ ପୂରିବାକୁ ବସିଲାଣି; ମାତ୍ର କେନ୍ଦ୍ର ସରକାର ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ, ଟିକସ ଭାଗ ଓ ଅନ୍ୟାନ୍ୟ ବାବଦରେ ଯେତିକି ଅର୍ଥ ପ୍ରଦାନ କରିବା କଥା ତାହାର ଚଉଠେ ରାଶି ରାଜ୍ୟକୁ ମିଳିଛି। ବିଡ଼ମ୍ବନା ହେଉଛି ୧୫ତମ ଅର୍ଥ କମିଶନଙ୍କ ରିପୋର୍ଟ ଅନୁସାରେ ଧାର୍ଯ୍ୟ ଡିଭୋଲ୍ୟୁସନ ପାଣ୍ଠି (ଟିକସ ଅଂଶ) ମଧ୍ୟ ପ୍ରଦାନ କରିବାରେ କେନ୍ଦ୍ର ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି।

ଚଳିତ ଆର୍ଥିକ ବର୍ଷ (୨୦୨୨-୨୩)ରେ କେନ୍ଦ୍ର ସରକାର ଟିକସ ଅଂଶ ଓ ଅନ୍ୟାନ୍ୟ ବାବଦରେ ରାଜ୍ୟକୁ ୬୯,୭୬୭ କୋଟି ଟଙ୍କା ପାଇବାର ରହିଛି। କେନ୍ଦ୍ରୀୟ ଅଂଶଧନ ଟିକସ ବାବଦରେ ୩୬,୯୭୮ କୋଟି ଏବଂ ଅନୁଦାନ ବାବଦରେ ୩୨,୭୮୯ କୋଟି ଟଙ୍କା ୨୦୨୨-୨୩ ବର୍ଷରେ ଓଡ଼ିଶା ପାଇବା କଥା। ମାତ୍ର ଚଳିତ ଆର୍ଥିକ ବର୍ଷର ୬ ମାସ ପୂରଣ ହୋଇଯାଇଛି। ସେପ୍ଟେମ୍ୱର ୩୦ ସୁଦ୍ଧା ରାଜ୍ୟକୁ ମିଳିଛି ମାତ୍ର ୨୩,୧୩୧ କୋଟି ଟଙ୍କା। କେବଳ ଚଳିତ ବର୍ଷ ନୁହେଁ; କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଇବା ଏକ ନିୟମିତ ଧାରାରେ ପରିଣତ ହୋଇଛି।

ଏପର୍ଯ୍ୟନ୍ତ ୩୨,୭୮୮.୬ କୋଟି ଟଙ୍କାରୁ ଅନୁଦାନ ଆକାରରେ ମାତ୍ର ୬୧୦୦ କୋଟି ଟଙ୍କା ମିଳିଛି। ଏହା ବଜେଟ୍‌‌ ଆକଳନର ମାତ୍ର ୧୮.୬ ପ୍ରତିଶତ। ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ରାଜସ୍ୱ ପ୍ରାପ୍ତି ବାବଦରେ ମୋଟ୍‌‌ ୧,୬୩,୯୬୬.୫୨ କୋଟି ଟଙ୍କା ପାଇବାକୁ ଆକଳନ କରାଯାଇଥିଲା ଏବଂ ଏହାମଧ୍ୟରୁ କେନ୍ଦ୍ରୀୟ ଅନୁଦାନ ଓ ରାଜସ୍ୱ ପାପ୍ତିର ଅଂଶ ଥିଲା ୬୯,୭୬୭ କୋଟି ଟଙ୍କା; ମାତ୍ର ଏହି ଅନୁଦାନର ଅଧେ ବି ଓଡ଼ିଶାକୁ ଏଯାଏ ମିଳିନାହିଁ। ଚଳିତ ଆର୍ଥିକ ବର୍ଷ ପ୍ରାରମ୍ଭରୁ କେନ୍ଦ୍ରୀୟ ଅର୍ଥ ପ୍ରଦାନ ସ୍ଥିତି ଦେଖିଲେ ଏହା ଆଗାମୀ ଦିନରେ ଆହୁରି ହ୍ରାସ ପାଇବ ବୋଲି ଆକଳନ କରାଯାଇଛି। ଅନୁଦାନ ହ୍ରାସ ଦ୍ୱାରା କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକପ୍ରିୟ ଯୋଜନା ପ୍ରଭାବିତ ହେଉଛି। ରାଜ୍ୟ ସରକାର ତାଙ୍କର ଅଂଶଧନ ଠିକଣା ସମୟରେ ପ୍ରଦାନ କରୁଛନ୍ତି; ମାତ୍ର କେନ୍ଦ୍ରୀୟ ଅନୁଦାନ ନିୟମିତ ମିଳିପାରିନାହିଁ।

ସଂଘୀୟ ଢାଞ୍ଚାରେ କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ ଟିକସ ସଂଗ୍ରହ କରିଥାଆନ୍ତି। କେତେକ ଟିକସ କେବଳ କେନ୍ଦ୍ର ଦ୍ୱାରା ଆଦାୟ କରାଯାଇଥାଏ। ଏହା ମଧ୍ୟରେ ଆୟକର, କର୍ପୋରେଟ, କେନ୍ଦ୍ରୀୟ ଦ୍ରବ୍ୟ ଓ ସେବାକର, କେନ୍ଦ୍ରୀୟ ଉତ୍ପାଦ ଓ ବର୍ହିଶୁଳ୍କ ଆଦି ରହିଛି। ତେଣୁ କେନ୍ଦ୍ର ନିକଟରେ ଟିକସ ଆଦାୟର ଏକ ବ୍ୟାପକ ବ୍ୟବସ୍ଥିତ ଢାଞ୍ଚା ଥିବାରୁ ପଞ୍ଚଦଶ ଅର୍ଥ କମିଶନ ରାଜ୍ୟଗୁଡ଼ିକୁ ଆଦାୟ କରାଯାଉଥିବା ଟିକସର ୪୧% ରାଜ୍ୟକୁ ଦେବା ପାଇଁ ସୁପାରିସ୍‌‌ କରିଥିଲା। ଏହା ପଛରେ ଏକ ବଳିଷ୍ଠ ଯୁକ୍ତି ମଧ୍ୟ ରହିଥିଲା। ମିଳିତ ଭାବେ ମୋଟ ଟିକସର ୬୩% ରାଜ୍ୟ ଓ ୩୭% କେନ୍ଦ୍ର ଙ୍କ ଦ୍ୱାରା ଆଦାୟ କରାଯାଇଥାଏ। ମାତ୍ର ବ୍ୟୟ କରିବା କ୍ଷେତ୍ରରେ ରାଜ୍ୟର ଅଂଶ ୬୨% ଏବଂ କେନ୍ଦ୍ରର ଅଂଶ ୩୮% ରହିଥାଏ।

ସେହିପରି ରାଜ୍ୟଗୁଡ଼ିକ କିପରି ନିଜସ୍ୱ ଟିକସ ବୃଦ୍ଧି କରିବେ, ସେନେଇ ନିକଟରେ କୌଣସି ପଦକ୍ଷେପ କେନ୍ଦ୍ର ଦ୍ୱାରା ନିଆଯାଇ ନାହିଁ; ବରଂ କେନ୍ଦ୍ର ସରକାର ସେସ୍‌‌ ଓ ସରଚାର୍ଜ ଜରିଆରେ ନିଜର ପାଣ୍ଠି ବଢ଼ାଇବାରେ ଲାଗିଛନ୍ତି। ସମୟାନୁସାରେ କେନ୍ଦ୍ର ନିଜ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହା ବୃଦ୍ଧି କରିପାରୁଛି, ତେଣୁ କରୋନା ପରେ କେନ୍ଦ୍ର ଟିକସ ଆଦାୟ ବୃଦ୍ଧି ପାଇଛି। ମାତ୍ର ରାଜ୍ୟ ନିକଟରେ ଏପରି ସୁଯୋଗ ନ ଥିବା ସେମାନେ ନିଜସ୍ୱ ସମ୍ବଳ ଉପରେ ଅଧିକ ନିର୍ଭରଶୀଳ ହେଉଛନ୍ତି। ଓଡ଼ିଶାରେ ରାଜ୍ୟର ଖଣି ରାଜସ୍ୱ ଏହି ବ୍ୟବଧାନକୁ ଅନେକାଂଶରେ ସମ୍ଭାଳି ନେଉଛି। ମାତ୍ର ଅଣ ଖଣିଜ ସମ୍ପଦ ରାଜ୍ୟଗୁଡ଼ିକ କେନ୍ଦ୍ରୀୟ ଅନୁଦାନ ଉପରେ ନିର୍ଭରଶୀଳତା ବୃଦ୍ଧି ପାଉଛି। ତେଣୁ ସେସ୍‌‌ ଏବଂ ସର୍‌‌ଚାର୍ଜଗୁଡ଼ିକରୁ ଆଦାୟ ହେଉଥିବା ଟିକସକୁ ଆବଣ୍ଟନ ମଧ୍ୟକୁ ଆଣିବା ନେଇ ଦାବି ଉଠୁଛି। ଓଡ଼ିଶା ମଧ୍ୟ ଏହି ଦାବି କରିଆସୁଛି; ମାତ୍ର କେନ୍ଦ୍ର ଏ ନେଇ କୌଣସି ନିଷ୍ପତ୍ତି ନେଉନାହିଁ।

About The Author: The Sakala