ଗାଈ ଉଠାଇନେଲେ; ଆଉ ଫେରାଉ ନାହାନ୍ତି : ବିଏମ୍‌‌ସି କାର୍ଯ୍ୟାଳୟରେ ଗୋପାଳକଙ୍କ ଭିଡ଼

ଭୁବନେଶ୍ୱର : ରାସ୍ତାରେ ବୁଲୁଥିବା ଗାଈକୁ ବିଏମ୍‌‌ସି ଉଠାଇ ନେଉଛି। ଆଉ ଦେଉନାହିଁ। ସିଧା ନେଇ ଗୋଶାଳାରେ ଛାଡ଼ି ଦେଉଛି। ଆଜି ଆସ, କାଲି ଆସ। କଚେରୀ ଭଳି ତାରିଖ ପରେ ତାରିଖ ଦେଉଛନ୍ତି ବିଏମ୍‌‌ସି କର୍ତ୍ତୃପକ୍ଷ। ଗାଈ ରାସ୍ତାକୁ ଛାଡ଼ିଥିବାରୁ ଦୁଇଗୁଣା ଟଙ୍କା ଦେବାକୁ ମଧ୍ୟ ରାଜି ଅଛନ୍ତି ପଶୁପାଳକ। ହେଲେ ବିଏମ୍‌‌ସି କାର୍ଯ୍ୟାଳୟରେ ତାଙ୍କ କଥା କେହି ଶୁଣୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଗୋପାଳକ। ଏଯାଏ ଗୋପାଳକ ତାଙ୍କ ଗୋରୁ ଫେରିପାଇବେ କି ନାହିଁ […]

ଭୁବନେଶ୍ୱର : ରାସ୍ତାରେ ବୁଲୁଥିବା ଗାଈକୁ ବିଏମ୍‌‌ସି ଉଠାଇ ନେଉଛି। ଆଉ ଦେଉନାହିଁ। ସିଧା ନେଇ ଗୋଶାଳାରେ ଛାଡ଼ି ଦେଉଛି। ଆଜି ଆସ, କାଲି ଆସ। କଚେରୀ ଭଳି ତାରିଖ ପରେ ତାରିଖ ଦେଉଛନ୍ତି ବିଏମ୍‌‌ସି କର୍ତ୍ତୃପକ୍ଷ। ଗାଈ ରାସ୍ତାକୁ ଛାଡ଼ିଥିବାରୁ ଦୁଇଗୁଣା ଟଙ୍କା ଦେବାକୁ ମଧ୍ୟ ରାଜି ଅଛନ୍ତି ପଶୁପାଳକ। ହେଲେ ବିଏମ୍‌‌ସି କାର୍ଯ୍ୟାଳୟରେ ତାଙ୍କ କଥା କେହି ଶୁଣୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଗୋପାଳକ। ଏଯାଏ ଗୋପାଳକ ତାଙ୍କ ଗୋରୁ ଫେରିପାଇବେ କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇପାରୁ ନାହିଁ। ଦୌଡ଼ି ଦୌଡ଼ି ଚପଲ ଘୋରି ହେଉ ଯାଉଛି, ହେଲେ ଗାଈ ମିଳିବା ନେଇ ମିଳୁଛି କେବଳ ପ୍ରତିଶ୍ରୁତି। ଗାଈ ନେବା ପାଇଁ ପଶୁପାଳକଙ୍କ ବିଏମ୍‌‌ସି କାର୍ଯ୍ୟାଳୟରେ ଭିଡ଼ ଲଗାଉଛନ୍ତି। କାହାର ୭ଟା ଗାଈ ପୁଣି କାହାର ୨ଟା ଆଉ କାହାର ଗୋଟିଏ ଗାଈ ବିଏମ୍‌‌ସି ଗୋଶାଳାରେ ବନ୍ଧାପଡ଼ିଛି। ଯେତେ ଚେଷ୍ଟା କଲେ ମଧ୍ୟ ପଶୁପାଳକଙ୍କୁ ତାଙ୍କ ଗାଈ ମିଳି ପାରୁ ନ ଥିବା ଅଭିଯୋଗ ହେଉଛି। ଅପରପକ୍ଷେ ଏଭଳି ହଟହଟା ହେବା ପରେ ରାସ୍ତାକୁ ଅବାଧ ଗୋରୁ ଛାଡୁଥିବା ପଶୁପାଳକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି।

୧୫ ଜାନୁଆରୀ ପରେ ଠାରୁ ଯଦି କୌଣସି ଗୋରୁ ଅର୍ଥାତ୍‌‌ ଗାଈ, ଷଣ୍ଢ, ମଇଁଷି ରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳେ ତେବେ ବିଏମ୍‌‌ସି ତାହାକୁ ସିଧା ଉଠାଇନେବ ବୋଲି ଚେତାବନୀ ଦେଇଥିଲା। ଥରେ ଗୋରୁ ଧରିବା ପରେ ତାହାକୁ ଆଉ ସମ୍ପୃକ୍ତ ମାଲିକଙ୍କୁ ଫେରାଯିବ ନାହିଁ। କେବଳ ଦୁହାଁଳିଆ ଗାଈଙ୍କ କ୍ଷେତ୍ରରେ ନିୟମକୁ କିଛିଟା କୋହଳ କରାଯିବ ବୋଲି କୁହାଯାଇଥିଲା। ଏନେଇ ବିଏମ୍‌‌ସି ଏକ ଏସ୍‌‌ଓପି ଜାରି କରିଥିଲା। ମାତ୍ର ଏଥିପାଇଁ ଗାଈ ମାଲିକଙ୍କୁ ବିଏମ୍‌‌ସିକୁ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିବ। ଯେଉଁମାନେ ଦୁହାଁଳିଆ ଗାଈକୁ ବିଏମ୍‌‌ସିଠାରୁ ନେବାକୁ ଚାହିବେ ସେମାନେ ବିଏମ୍‌‌ସି ଖର୍ଚ୍ଚ କରିଥିବା ଟଙ୍କାର ଦୁଇଗୁଣା ପୈଠ କରିବା ପରେ ହିଁ ଗାଈକୁ ନେବେ। ସେହିପରି ଗାଈ ଫେରସ୍ତ ନେବାବେଳେ ସେମାନଙ୍କୁ ଉପଯୁକ୍ତ ପ୍ରମାଣ ଯେପରିକି ଗାଈ ସହ ତାଙ୍କର ପୂର୍ବରୁ ନିଆଯାଇଥିବା ଫଟୋ, ଗାଈର ଇୟର ଟ୍ୟାଗ, ରଙ୍ଗ କିମ୍ୱା ଅନ୍ୟ କୌଣସି ପ୍ରମାଣ ପୈଠ କରିବାକୁ ପଡ଼ିବ। ହେଲେ ଅଧିକାଂଶ ପଶୁପାଳକଙ୍କ ପାଖରେ ତାଙ୍କ ଗୋରୁଙ୍କ ପ୍ରମାଣପତ୍ର ନାହିଁ। ଫଳରେ ସେମାନେ ହଇରାଣ ହେଉଛନ୍ତି। ବିନା ପ୍ରମାଣପତ୍ରରେ କାହାରିକୁ ଗାଈ ଦିଆଯିବ ନାହିଁ ବୋଲି ବିଏମ୍‌‌ସି ସ୍ପଷ୍ଟ କରିଛି।

ସୂଚନାଯୋଗ୍ୟ, ୨୦୨୩ ହକି ବିଶ୍ୱକପ୍‌‌ ସମୟରେ ରାଜଧାନୀ ରାସ୍ତାଘାଟରେ ବୁଲୁଥିବା ଗୋରୁ ଉଠାଇନେବା ଅଭିଯାନକୁ ଜୋର୍‌‌ଦାର କରାଯାଇଥିଲା। ମାର୍ଚ୍ଚ ବେଳକୁ ୧୭ଶହରୁ ଅଧିକ ବୁଲା ଗୋରୁଙ୍କୁ ରାସ୍ତାରୁ ଉଠାଇ ଗୋଶାଳାରେ ଭର୍ତ୍ତି କରିଥିଲା ବିଏମ୍‌‌ସି। ଏବେ ବିଏମ୍‌‌ସି ପକ୍ଷରୁ ୪ ଏଜେନ୍ସି ମାଧ୍ୟମରେ ପ୍ରତ୍ୟେକ ଦିନ ୧୦ରୁ ୧୫ ଗାଈ ଉଠାଯାଉଛି। ଆଗାମୀ ଦିନରେ ଗାଈକୁ ଉଠାକାର୍ଯ୍ୟ ଜୋର୍‌‌ଦାର କରାଯିବ ବୋଲି କୁହାଯାଇଛି। ଆଗାମୀ ଦିନରେ ୪୦ରୁ ଊର୍ଦ୍ଧ୍ବ ଗୋରୁ ଉଠାଯିବ। ଏମାନଙ୍କୁ ଜାମୁକୋଳିର କୃଷ୍ଣ ଗୋଶାଳା, ଜଟଣୀର ମ୍ୟୁନିସିପାଲଟି ଗୋଶାଳା, ଇନ୍‌‌ଫୋସିଟି-୨ର ଗୋକୁଳ ବିହାର ଗୋଶାଳା ଏବଂ ବ୍ରହ୍ମଗିରି ସ୍ଥିତ ଗୋଶାଳାକୁ ପଠାଇ ଦିଆଯାଉଛି। ସେପଟେ ଖୋଲାରେ ଗୋରୁ ବୁଲିବା ଦ୍ୱାରା ରାସ୍ତାରେ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଛି। ଲୋକେ ଖଣ୍ଡିଆ ଖାବରା ହୋଇ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ଅନ୍ୟପକ୍ଷରେ ରାସ୍ତାକଢରେ ଥିବା ଲକ୍ଷାଧିକ ଟଙ୍କାର ସବୁଜ ସୌନ୍ଦର୍ଯ୍ୟକରଣକୁ ଗୋରୁ ନଷ୍ଟ କରି ଦେଉଛନ୍ତି। ଏଥିପାଇଁ ବିଏମ୍‌‌ସି ପ୍ରଥମେ ସଚେତନ କଲା। ପାରେ ଚେତାବନୀ ଦେଲା। ଏବେ ବିଏମସି ନିୟମକୁ କଡ଼ାକଡ଼ି କରାଯାଇଛି ବୋଲି ଜାଣେ ଅଧିକାରୀ କହିଛନ୍ତି।

About The Author: The Sakala