ପାରାଦୀପ: ସମୁଦ୍ର ମଧ୍ୟରେ ଏକ ବଡ଼ ଧରଣର ବିପଦରୁ ଅଳ୍ପକେ ବର୍ତ୍ତି ଯାଇଛି ମାଲବାହୀ ଜାହାଜ ଏମଭି ବିଶ୍ୱ ଉଦୟ (MV Vishva Uday)। ଜାହାଜରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ସହ ପାଣି ପଶିଯିବାରୁ ଏହା ପାରାଦୀପ ଉପକୂଳରୁ ପ୍ରାୟ ୫୦ ନଟିକାଲ ମାଇଲ ଦୂରରେ ଫସି ରହିଥିଲା। ତେବେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ (PPA) ଏବଂ ଭାରତୀୟ କୋଷ୍ଟଗାର୍ଡର ମିଳିତ ଉଦ୍ୟମରେ ଜାହାଜରେ ଥିବା ସମସ୍ତ ୨୭ ଜଣ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ସୂଚନା ଅନୁଯାୟୀ, ହଳଦିଆ ବନ୍ଦରରୁ ମୋଜାମ୍ବିକ ଅଭିମୁଖେ ଯାଉଥିବା ଏହି ଜାହାଜଟିର ପ୍ରୋପେଲର ଶାଫ୍ଟ (Propeller Shaft) ଅଚଳ ହୋଇଯାଇଥିଲା। ଏହି କାରଣରୁ ଜାହାଜ ଭିତରକୁ ସମୁଦ୍ର ପାଣି ପଶିବାକୁ ଲାଗିଥିଲା, ଯାହା ଫଳରେ ଜାହାଜଟି ବୁଡ଼ିଯିବାର ଆଶଙ୍କା ଦେଖାଦେଇଥିଲା। ଶିପିଂ କର୍ପୋରେସନ ଅଫ୍ ଇଣ୍ଡିଆ (SCI) ପକ୍ଷରୁ ଏହି ଜରୁରୀକାଳୀନ ସ୍ଥିତି ବିଷୟରେ ସୂଚନା ମିଳିବା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।
ପାରାଦୀପ ବନ୍ଦରର ହାର୍ବର ମାଷ୍ଟର କ୍ୟାପଟେନ ଇନ୍ଦ୍ରନୀଲ ମୁଖାର୍ଜୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଅଭିଯାନ ଚାଲିଥିଲା। ବନ୍ଦରର ଦୁଇଟି ଶକ୍ତିଶାଳୀ ଟଗ୍ - ଡଲଫିନ୍-୨୫ ଏବଂ ଡଲଫିନ୍-୨୦ ସହାୟତା ପାଇଁ ସମୁଦ୍ର ମଧ୍ୟକୁ ଯାଇଥିଲେ। ଦୀର୍ଘ ସମୟର ପରିଶ୍ରମ ପରେ ବିପଦରେ ଥିବା ଜାହାଜଟିକୁ ସଫଳତାର ସହ ଟାଣି ଅଣାଯାଇ ବନ୍ଦରର ବାହ୍ୟ ସୀମାରେ ସୁରକ୍ଷିତ ଭାବେ ରଖାଯାଇଛି।
ଉଦ୍ଧାର ହୋଇଥିବା ସମସ୍ତ ୨୭ ଜଣ କର୍ମଚାରୀ ବର୍ତ୍ତମାନ ସୁରକ୍ଷିତ ଅଛନ୍ତି। ତେବେ ଉଦ୍ଧାର ସମୟରେ ଜଣେ କର୍ମଚାରୀ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ତୁରନ୍ତ ପାରାଦୀପ ବନ୍ଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଏବଂ ଭାରତୀୟ କୋଷ୍ଟଗାର୍ଡର ଏହି ସମନ୍ୱିତ ଉଦ୍ୟମକୁ ସବୁ ସ୍ତରରେ ପ୍ରଶଂସା କରାଯାଇଛି।