ଖୁବ୍‌ଶୀଘ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ; ବିଦା ହେବେ ୩, ବଦଳିବ ଅନେକ ମନ୍ତ୍ରୀଙ୍କ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର ପ୍ରଥମ ବର୍ଷ ପୂରଣ କରିଛି। ବିନା ପୂର୍ଣ୍ଣାଙ୍ଗ ମନ୍ତ୍ରିମଣ୍ଡଳରେ ସରକାର ଯେନେତେନ ପ୍ରକାରେ ପ୍ରଥମ ବର୍ଷର ଶାସନ ପୂରଣ କରି ନିଜ ପିଠି ନିଜେ ଥାପୁଡ଼ଉଛନ୍ତି। ବର୍ତ୍ତମାନ ରାଜ୍ୟବ୍ୟାପୀ ସରକାର ନିଜର ପ୍ରଥମ ବର୍ଷ ଶାସନ ଉତ୍ସବ ପାଳନ କରୁଥିବା ବେଳେ ଆସନ୍ତା ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସୁଛନ୍ତି। ଏହି ଅବସରରେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମ ବର୍ଷ ଶାସନର ରିପୋର୍ଟ କାର୍ଡ ବିଧିବଦ୍ଧ ଭାବେ ପ୍ରଦାନ କରିବେ। […]

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର ପ୍ରଥମ ବର୍ଷ ପୂରଣ କରିଛି। ବିନା ପୂର୍ଣ୍ଣାଙ୍ଗ ମନ୍ତ୍ରିମଣ୍ଡଳରେ ସରକାର ଯେନେତେନ ପ୍ରକାରେ ପ୍ରଥମ ବର୍ଷର ଶାସନ ପୂରଣ କରି ନିଜ ପିଠି ନିଜେ ଥାପୁଡ଼ଉଛନ୍ତି। ବର୍ତ୍ତମାନ ରାଜ୍ୟବ୍ୟାପୀ ସରକାର ନିଜର ପ୍ରଥମ ବର୍ଷ ଶାସନ ଉତ୍ସବ ପାଳନ କରୁଥିବା ବେଳେ ଆସନ୍ତା ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସୁଛନ୍ତି। ଏହି ଅବସରରେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମ ବର୍ଷ ଶାସନର ରିପୋର୍ଟ କାର୍ଡ ବିଧିବଦ୍ଧ ଭାବେ ପ୍ରଦାନ କରିବେ।

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରାଯାଇପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ତେବେ ରଥଯାତ୍ରା ପୂର୍ବରୁ କି ବାହୁଡ଼ା ଯାତ୍ରା ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ ତାହା ଚୂଡ଼ାନ୍ତ ହୋଇ ପାରିନାହିଁ । ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ସେମାନଙ୍କର ବାର୍ଷିକ ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିସାରିଛନ୍ତି । ସେହି ଆଧାରରେ କେଉଁମାନେ ମନ୍ତ୍ରିମଣ୍ଡଳରେ ସ୍ଥାନ ବଜାୟ ରଖିବେ ଓ କେଉଁମାନେ ବାଦ ପଡ଼ିବେ ତାହା ମୁଖ୍ୟମନ୍ତ୍ରୀ ସ୍ଥିର କରିବେ। ତେବେ ଏହି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମୋହନ ସରକାରଙ୍କ ନୂଆ ମନ୍ତ୍ରିପରିଷଦର ନକ୍ସା ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି । କେଉଁ ମନ୍ତ୍ରୀ ସରକାରରୁ ବାଦ ପଡ଼ିବେ, କାହାର ବିଭାଗ ପରିବର୍ତ୍ତନ ହେବ ସେ ସମ୍ପର୍କରେ ଆପାତତଃ ନିଷ୍ପତ୍ତି ହୋଇସାରିଛି। ତେବେ ସରକାରଙ୍କ ବର୍ଷ ପୂର୍ତ୍ତି ଉତ୍ସବ ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦୃଷ୍ଟିରୁ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ଗୋପନୀୟତା ଅବଲମ୍ବନ କରାଯାଉଛି । ଅନ୍ୟପକ୍ଷରେ ମନ୍ତ୍ରିପରିଷଦରେ ଖାଲି ପଡ଼ିଥିବା ୬ ପଦ ପାଇଁ ବିଭିନ୍ନ ଗୋଷ୍ଠୀର ୬୦ ନେତା ଆଶାୟୀ ଥିବାରୁ ଏ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ହେବ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଅନେକ ବିଭାଗର ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀଙ୍କୁ ସନ୍ତୁଷ୍ଟ କରିପାରିନାହିଁ। ଅଭିଜ୍ଞତାର ଅଭାବ, ଜଣେ ଜଣେ ମନ୍ତ୍ରୀଙ୍କ ଉପରେ ଏକାଧିକ ବିଭାଗର ଦାୟିତ୍ୱ ସେମାନଙ୍କ ପ୍ରଦର୍ଶନ ଉପରେ ନକରାତ୍ମକ ପ୍ରଭାବ ପକାଇଛି। ଏହି ଆଧାରରେ ଆଗାମୀ ସମ୍ପ୍ରସାରଣ ସମୟରେ ୨ରୁ ୩ ଜଣ ମନ୍ତ୍ରୀ ବାଦ୍‌ ପଡ଼ିବାର ସମ୍ଭାବନା ରହିଛି ଓ ଅନେକ ମନ୍ତ୍ରୀଙ୍କର ବିଭାଗ ପରିବର୍ତ୍ତନ ହେବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ସେହିପରି ବଳକା ୬ଟି ମନ୍ତ୍ରୀ ପଦ ପାଇଁ ଆଶାୟୀ ନିଜ ନିଜସ୍ତରରେ ଲବି ଜାରି ରଖିଥିବା ବେଳେ ସବୁ ବିଧାୟକ ମନ୍ତ୍ରୀ ପଦ ପାଇଁ ଆଶାୟୀ ଅଛନ୍ତି । ପ୍ରଥମଥର ନିର୍ବାଚିତ ହୋଇଥିବା ଅନେକ ବିଧାୟକଙ୍କୁ ସରକାରରେ ମନ୍ତ୍ରୀ ପଦ ମିଳିଥିବାରୁ ସେମାନେ ମଧ୍ୟ ନିଜକୁ ଏଥିପାଇଁ ଯୋଗ୍ୟ ମନେ କରୁଛନ୍ତି। ତେବେ ଦଳର ବିିଭିନ୍ନ ଗୋଷ୍ଠୀ ଓ ବଡ଼ ନେତାଙ୍କ ଅନୁଗତ କୁହାଯାଉଥିବା ପାଖାପାଖି ୨୦ରୁ ଊର୍ଦ୍ଧ୍ବ ବିଧାୟକ ମନ୍ତ୍ରୀ ପଦ ପାଇବାକୁ ଆଶା ବାନ୍ଧି ବସିଛନ୍ତି। ସେହିପରି ନିଜ ନିଜ ଅନୁଗତଙ୍କ ପାଇଁ ରାଜ୍ୟ ବିଜେପିର କିଛି ଛାମୁଆ ନେତା ଉଭୟ ଓଡ଼ିଶା ଏବଂ ଦିଲ୍ଲୀସ୍ତରରେ ଲବି ଜାରି ରଖିଛନ୍ତି। ତେବେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ସର୍ବାଧିକ ଭୂମିକା ମୁଖ୍ୟମନ୍ତ୍ରୀଙ୍କର ହେବା ନେଇ ଦିଲ୍ଲୀ ନେତୃତ୍ୱ ସଙ୍କେତ ଦେଇଥିବା ବେଳେ ଏଥିଯୋଗୁଁ ଆଶାୟୀଙ୍କ ହୃଦସ୍ପନ୍ଦନ ବଢ଼ିଯାଇଛି। ସମ୍ପ୍ରସାରଣ ବେଳେ ଜିଲ୍ଲାୱାରୀ ସମୀକରଣ, ଦଳୀୟ ଆନୁଗତ୍ୟକୁ ମୁଖ୍ୟମନ୍ତ୍ରୀ ସର୍ବାଧିକ ଗୁରୁତ୍ୱ ଦେଇଥିବା ବେଳେ ଏଥିଯୋଗୁଁ ଅନେକ ଟାଣୁଆ ନେତାଙ୍କୁ ଆଗାମୀ ସମ୍ପ୍ରସାରଣରେ ନିରାଶ ହେବାକୁ ପଡ଼ିପାରେ ବୋଲି କୁହାଯାଉଛି। ସେହିପରି ମନ୍ତ୍ରିମଣ୍ଡଳରେ ମହିଳା ଭାଗିଦାରୀ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଏକପ୍ରକାର ନିଷ୍ପତ୍ତି ନେଇଥିବା ବେଳେ ଯୁବ ଚେହେରାଙ୍କୁ ମଧ୍ୟ ସମାନ ସୁଯୋଗ ପ୍ରଦାନ କରିବାକୁ ଯାଉଛନ୍ତି। ସେହିପରି ଯେଉଁ ଜିଲ୍ଲାଗୁଡ଼ିକରୁ ସରକାରରେ ପ୍ରତିନିଧିତ୍ୱ ମିଳିନାହିଁ, ସେହି ଜିଲ୍ଲାଗୁଡ଼ିକୁ ଆଗାମୀ ସମ୍ପ୍ରସାରଣ ବେଳେ ସୁଯୋଗ ମିଳିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଏହାପରେ ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିଥିବା ବରିଷ୍ଠ ନେତାଙ୍କୁ ନିଗମ, ବୋର୍ଡ ଓ ଅନ୍ୟାନ୍ୟ ସରକାରୀ ପ୍ରତିଷ୍ଠାନରେ ଥଇଥାନ କରି ସନ୍ତୁଷ୍ଟ କରାଯିବାକୁ ଚେଷ୍ଟା କରାଯିବ ବୋଲି ସୂଚନା ମିଳିଛି ।

About The Author: The Sakala