ଫେବୃଆରୀ ୧୭ରୁ ବିଧାନସଭା ଅଧିବେଶନ, ୨୦ରେ ହେବ ବଜେଟ ଉପସ୍ଥାପନ

ଭୁବନେଶ୍ୱର: ଫେବୃଆରୀ ୧୭ରେ ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ଅଭିଭାଷଣରୁ ଆରମ୍ଭ ହେବ ବିଧାନସଭାର ବଜେଟ୍‌ ଅଧିବେଶନ। ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ରାଜ୍ୟ ବଜେଟ୍‌ ଆଗତ କରିବେ। ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ ଓ ଏଥିରେ ମୋଟ ୨୮ଟି କାର୍ଯ୍ୟଦିବସ ରହିବ ବୋଲି ଶୁକ୍ରବାର ବିଧାନସଭା ସଚିବାଳୟ ପ୍ରକାଶ କରିଛି ବିଧିବଦ୍ଧ ବିଜ୍ଞପ୍ତି। 

ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବୃୟାରୀ ୧୭ ତାରିଖରୁ ୨୪ ତାରିଖ ଯାଏଁ ଚାଲିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୯ ତାରିଖରୁ ଏପ୍ରିଲ ୮ ତାରିଖ ଯାଏ ଅନୁଷ୍ଠିତ ହେବ। ଫେବ୍ରୁଆରୀ ୧୮ ଓ ୧୯ ରେ ରାଜ୍ୟପାଳଙ୍କ ପ୍ରସ୍ତାବ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହୋଇ ଆଲୋଚନା ହେବ। ଫେବୃଆରୀ ୨୦ ତାରିଖରେ ବଜେଟ ଆଗତ ହେବ ଏବଂ ଏହା ଉପରେ ୨୩ ଓ ୨୪ ତାରିଖ ଦୁଇ ଦିନ ସାଧାରଣ ଆଲୋଚନା ହେବ। ମାର୍ଚ୍ଚ ୧୦ରୁ ୩୦ ତାରିଖ ଯାଏଁ ବିଭିନ୍ନ ବିଭାଗର ଅନୁଦାନ ଉପରେ ଖର୍ଚ୍ଚ ଦାବି ଆଲୋଚନା ହେବ ବୋଲି ସ୍ଥିର ହୋଇଛି। ସେହିପରି ମାର୍ଚ୍ଚ ୩୧ ତାରିଖରେ ଗୃହରେ ବ୍ୟୟମଞ୍ଜୁରି ବିଧେୟକ ଆଗତ ହେବ ବୋଲି ଜଣା ପଡ଼ିଛି।

ଫେବୃଆରୀ ୨୫ରୁ ଓ ୨୮ ଏବଂ ମାର୍ଚ୍ଚ ୧ରୁ ୮ ତାରିଖ ଯାଏଁ ବିଧାନସଭା ଛୁଟି ରହିବ। ମାର୍ଚ୍ଚ ୯ରୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହେବ। ସେହିଦିନ ବିଭିନ୍ନ ଷ୍ଟାଣ୍ଡିଙ୍ଗ କମିଟିର ରିପୋର୍ଟ ଉପସ୍ଥାପନ ହେବ। ମାର୍ଚ୍ଚ ୧୦ରୁ ବିଭାଗୀୟ ବଜେଟ ଅନୁଦାନ ଉପରେ ଆଲୋଚନା ହୋଇ ପାରିତ ହେବ।

ଏହି ପ୍ରକ୍ରିୟା ମାର୍ଚ୍ଚ ୩୦ ଯାଏଁ ଚାଲିବ। ମାର୍ଚ୍ଚ ୧୪ ଓ ୧୫ ଯଥାକ୍ରମେ ଶନିବାର ଓ ରବିବାର, ମାର୍ଚ୍ଚ ୨୧ ଇଦୁଲ ଫିତର, ମାର୍ଚ୍ଚ ୨୨ ରବିବାର, ମାର୍ଚ୍ଚ ୨୭ ରାମନବମୀ, ମାର୍ଚ୍ଚ ୨୮ ଓ ୨୯ ଯଥାକ୍ରମେ ଶନିବାର ଓ ରବିବାର ପାଇଁ ବିଧାନସଭା ବନ୍ଦ ରହିବ। ମାର୍ଚ୍ଚ ୩୧ରେ ଚଳିତ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁରୀ ବିଲ ଉପସ୍ଥାପିତ ହେବ। ଉକ୍ରଳ ଦିବସ ପାଇଁ ଏପ୍ରିଲ ୧, ଗୁଡ୍‌ ଫ୍ରାଇଡେ ପାଇଁ ଏପ୍ରିଲ ୩, ଏପ୍ରିଲ ୫ ବିଧାନସଭା ବନ୍ଦ ରହିବ। ଏପ୍ରିଲ ୪ ସରକାରୀ କାର୍ଯ୍ୟ ଦିବସ ଥିବାବେଳେ ଏପ୍ରିଲ ୨, ୬ ଓ ୮ରେ ପ୍ରାଇଭେଟ ମେମ୍ୱର୍ସ ବିଲ ପାଇଁ ଉଦ୍ଦିଷ୍ଟ ରହିଛି।

About The Author: Madhusudan Das