ଜୀବନରେ ଖୁସି ଭରୁଛି ବିଏସ୍‌‌କେୱାଇ, ସହଜ ହୋଇପାରିଛି ଜଟିଳ ରୋଗର ଚିକିତ୍ସା

ପୁରୀ: ଚିକିତ୍ସା ଅଭାବରୁ କାହାର ଜୀବନ ନ ଯାଉ। ସମସ୍ତଙ୍କୁ ମିଳୁ ଉନ୍ନତମାନର ଚିକିତ୍ସା ସୁବିଧା। ଏହି ଲକ୍ଷ୍ୟରେ ରାଜ୍ୟ ସରକାର କାର୍ଯ୍ୟକାରୀ କରିଛନ୍ତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌‌କେୱାଇ)। ଏହି ସାର୍ବଜନୀନ ସ୍ୱାସ୍ଥ୍ୟସେବା ଯୋଜନା ଉଲ୍ଲେଖନୀୟ ସଫଳତା ହାସଲ କରିଚାଲିଛି। ବିଭିନ୍ନ ବର୍ଗଙ୍କ ଚିକିତ୍ସା ଜନିତ ଆର୍ଥିକ ଚିନ୍ତା ଦୂର କରି ସେମାନଙ୍କ ଜୀବନରେ ଖୁସି ଭରୁଛି। ବିନା ମୂଲ୍ୟରେ ବଡ଼ ବଡ଼ ହସ୍ପିଟାଲରେ ଉତ୍ତମ ଚିକିତ୍ସା ପାଇପାରୁଛନ୍ତି ରାଜ୍ୟବାସୀ। ପୁରୀ ଜିଲ୍ଲାରେ ମଧ୍ୟ […]

ପୁରୀ: ଚିକିତ୍ସା ଅଭାବରୁ କାହାର ଜୀବନ ନ ଯାଉ। ସମସ୍ତଙ୍କୁ ମିଳୁ ଉନ୍ନତମାନର ଚିକିତ୍ସା ସୁବିଧା। ଏହି ଲକ୍ଷ୍ୟରେ ରାଜ୍ୟ ସରକାର କାର୍ଯ୍ୟକାରୀ କରିଛନ୍ତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌‌କେୱାଇ)। ଏହି ସାର୍ବଜନୀନ ସ୍ୱାସ୍ଥ୍ୟସେବା ଯୋଜନା ଉଲ୍ଲେଖନୀୟ ସଫଳତା ହାସଲ କରିଚାଲିଛି। ବିଭିନ୍ନ ବର୍ଗଙ୍କ ଚିକିତ୍ସା ଜନିତ ଆର୍ଥିକ ଚିନ୍ତା ଦୂର କରି ସେମାନଙ୍କ ଜୀବନରେ ଖୁସି ଭରୁଛି। ବିନା ମୂଲ୍ୟରେ ବଡ଼ ବଡ଼ ହସ୍ପିଟାଲରେ ଉତ୍ତମ ଚିକିତ୍ସା ପାଇପାରୁଛନ୍ତି ରାଜ୍ୟବାସୀ। ପୁରୀ ଜିଲ୍ଲାରେ ମଧ୍ୟ ବେଶ୍‌‌ ସଫଳତାର ସହ ଆଗେଇ ଚାଲିଛି ବିଏସ୍‌‌କେୱାଇ। ସୁରକ୍ଷିତ ମାତୃତ୍ୱଠାରୁ ଆରମ୍ଭ କରି ସବୁ ବୟସର ଲୋକେ ବିଭିନ୍ନ ରୋଗରେ ପାଉଛନ୍ତି ଏହାର ସୁବିଧା। ଏପରି କି ଅନେକ ଲୋକ ଏହି ଯୋଜନା ମାଧ୍ୟମରେ ନୂଆ ଜୀବନ ପାଇପାରିଛନ୍ତି।

ଉପକୂଳ ଓଡ଼ିଶାର ପ୍ରଥମ ଜିଲ୍ଲା ଭାବେ ସ୍ମାର୍ଟ ସେବାରେ ଯୋଡି ହୋଇଥିଲା ପୁରୀ। ୨୦୨୧ ଅକ୍ଟୋବର ୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତରେ ଆସି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ। ବ୍ରହ୍ମଗିରିରେ ଜିଲ୍ଲାର ପ୍ରଥମ ହିତାଧିକାରୀ ଭାବେ କୁମାରୀ ପରିଡ଼ାଙ୍କୁ ସ୍ମାର୍ଟ କାର୍ଡ ପ୍ରଦାନ କରି ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସେବେଠାରୁ ଜିଲ୍ଲାର ଗରିବ ଲୋକଟିଏ ଯଦି ରୋଗରେ ପଡୁଛନ୍ତି ତେବେ ତାଙ୍କ ପାଇଁ ଆଶୀର୍ବାଦ ପାଲଟୁଛି ଏହି କାର୍ଡ। ଏହି କାର୍ଡ ମାଧ୍ୟମରେ ସେମାନେ ବିଭିନ୍ନ ପ୍ରକାର ରୋଗର ସରଳ ଚିକିତ୍ସା କରାଇପାରୁଛନ୍ତି। ଗରିବ ଲୋକଟିଏ ରୋଗ ହେଲେ ଚିକିତ୍ସା ପାଇଁ ଯେଉଁ ଆର୍ଥିକ ଚିନ୍ତା କରୁଥିଲା ତାହା ଆଜି ଦୂର ହୋଇପାରିଛି। ରାଜ୍ୟ ତଥା ରାଜ୍ୟ ବାହାରେ ବଡ଼ ବଡ଼ ହସ୍ପିଟାଲରେ ଗରିବ ରୋଗୀର ଜଟିଳ ରୋଗର ଚିକତ୍ସା ସହଜ ହୋଇପାରିଛି।

ମିଳିଥିବା ତଥ୍ୟ ମୁତାବକ, ପୁରୀ ଜିଲ୍ଲାର ମୋଟ ଜନସଂଖ୍ୟା ହେଉଛନ୍ତି ୧୯ ଲକ୍ଷ ୩୭ ହଜାର। ଏମାନଙ୍କ ମଧ୍ୟରୁ ୧୩ ଲକ୍ଷ ୭୭ ହଜାର ଲୋକ ବିଏସ୍‌‌କେୱାଇ ଅନ୍ତର୍ଭୁକ୍ତ ହୋଇପାରିଛନ୍ତି। ୩୧୨ଟି ସରକାରୀ ଏବଂ ୨୮ଟି ଘରୋଇ ହସ୍ପିଟାଲରେ ବିଏସ୍‌‌କେୱାଇ କାର୍ଡ ମାଧ୍ୟମରେ ଚିକିତ୍ସା ସୁବିଧା ମିଳିପାରୁଛି। ବର୍ତ୍ତମାନ ସୁଦ୍ଧା ୧ କୋଟି ୫ ଲକ୍ଷ ଲୋକ (ଜଣେ ଲୋକ ଏକାଧିକଥର ହିସାବରେ) ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ସୁବିଧା ପାଇଲେଣି। ବର୍ତ୍ତମାନ ସୁଦ୍ଧା ୩୧ କୋଟି ୪୨ ଲକ୍ଷ ଟଙ୍କା ଏହି କାର୍ଡରେ ଚିକିତ୍ସା ପାଇଁ ଜିଲ୍ଲାର ବିଭିନ୍ନ ହସ୍ପିଟାଲକୁ ଯୋଗାଇଦିଆଯାଇଛି।

ପୁରୀ ଜିଲ୍ଲାରେ ବିଏସ୍‌‌କେୱାଇ କାର୍ଡରେ ଅନେକ ଲୋକ ଚିକିତ୍ସା ସୁବିଧା ପାଇ ପାରିଛନ୍ତି। ସୁରକ୍ଷିତ ମାତୃତ୍ୱ ଲାଭରେ ବଡ଼ ଆଶୀର୍ବାଦ ହୋଇଛି ଏହି କାର୍ଡ। ପ୍ରତିଦିନ ପ୍ରାୟ ଗର୍ଭବତୀ ମହିଳାମାନେ ଭଲ ଭଲ ହସ୍ପିଟାଲରେ ପିଲାଙ୍କୁ ସୁରକ୍ଷିତ ଭାବେ ଜନ୍ମ ଦେଉଛନ୍ତି। ଛୋଟ ରୋଗରୁ ଆରମ୍ଭ କରି ଗୁରୁତ୍ୱର ରୋଗର ସଫଳ ଚିକିତ୍ସା ହୋଇପାରୁଛି। ସେହିପରି ଅନେକଙ୍କ ନୂଆ ଜୀବନ ଦେଇଛି ଏହି ବିଏସ୍‌‌କେୱାଇ କାର୍ଡ। ସେହିପରି କୈଶୋର ଜୀବନରେ ଭି ଖୁସିଭରିଛି ରାଜ୍ୟ ସରକାରଙ୍କ ଏହି ମହତାକାଂକ୍ଷୀ ଯୋଜନା। ଏମିତି ତ ଅନେକ ଉଦାହରଣ ରହିଛି। ତେବେ ଗତବର୍ଷ ଶୀତଳ ଷଷ୍ଠୀ ଅବସରରେ ନିଜର ଅସାବଧାନତା ପାଇଁ ବାଣ ଫୁଟିଯିବାରୁ କଣାସ ଅଞ୍ଚଳର ତିନିଜଣ ଯୁବକଙ୍କ ଶରୀର ବହୁ ଅଂଶ ପୋଡିଯାଇଥିଲା। ହେଲେ ପରିବାରର ଆର୍ଥିକ ସ୍ଥିତି ଭଲ ନ ଥିଲା। ପ୍ରଥମେ ଗାଉଁଲି ଚିକିତ୍ସା ଆରମ୍ଭ କରିଥିଲେ। ହେଲେ ଏହି ଚିକିତ୍ସାରୁ ସେତେ ଲାଭ ମିଳିପାରୁ ନ ଥିଲା। ଏହା ଦେଖି ଗାଁର ଜଣେ ଯୁବକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ କଥା ମନେପକେଇ ଭଲ ଡାକ୍ତରଖାନା ଯିବାକୁ ପରାମର୍ଶ ଦେଇଥିଲେ। ଏହାପରେ ଭୁବନେଶ୍ୱର ଯାଇ ଭଲ ଚିକିତ୍ସା ସୁବିଧା ପାଇଥିଲେ ବୋଲି କହିଛନ୍ତି ସୁରେନ୍ଦ୍ର ପ୍ରଧାନ। ବିଏସ୍‌‌କେୱାଇ କାଉଣ୍ଟରରେ ଥିବା ଅଫିସରଙ୍କ ସାହାଯ୍ୟରେ ସେମାନଙ୍କର ବିନା ଟଙ୍କାରେ ଆଡମିଶନ ଓ ଚିକିତ୍ସା ହୋଇଥିଲା। ପ୍ରାୟ ଦେଢମାସ ଚିକିତ୍ସା ପରେ ପ୍ରଥମେ ସୁରେନ୍ଦ୍ର ଭଲ ହୋଇ ଘରକୁ ଫେରିଥିଲେ। ସେହିପରି ଜଗତ ଜୀବନଙ୍କର ମଧ୍ୟ ଦେଢ଼ମାସ ଡାକ୍ତରଖାନାରେ ଚିକିତ୍ସା ହୋଇଥିଲା। ତାଙ୍କର ପ୍ଲାଷ୍ଟିକ ସର୍ଜରୀ କରାଯାଇଥିଲା। ସେ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଅନ୍ୟଜଣେ ଯୁବକଙ୍କର ଦେହ ଅଧିକ ପୋଡିଯାଇଥିବାରୁ ତାଙ୍କୁ ପ୍ରାୟ ୨ ମାସ ଡାକ୍ତରଖାନାରେ ରହିବାକୁ ପଡ଼ିଥିଲା। ଏମିତି ତିନିଜଣ ବିଏସ୍‌‌କେୱାଇ ଯୋଗୁ ସଫଳ ଚିକିତ୍ସା ସୁବିଧା ପାଇଥିଲେ।

ପିପିଲି ବ୍ଲକ ସଁପୁର ପଞ୍ଚାୟତ ସଁପୁର ଅଷ୍ଟଶମ୍ଭୁ ସାହିର ପୂର୍ଣ୍ଣଚନ୍ଦ୍ର ରାଉଳ ହୁଅନ୍ତୁ ବା ଚନ୍ଦନପୁରର ସ୍ୱାଗତିକା ମିଶ୍ର, ଅବା ପୁରୀ ବାଲିସାହିର ଟୁନି ନାୟକ ଏମାନେ ଜଣେ ଜଣେ ଉଦାହରଣ ମାତ୍ର। ଜିଲ୍ଲାରେ ହଜାର ହଜାର ସଂଖ୍ୟାରେ ଲୋକ ବିଏସ୍‌‌କେୱାଇ କାର୍ଡ ଦ୍ୱାରା ବହୁ ଜଟିଳ ରୋଗରେ ଆକ୍ରାନ୍ତ ହୋଇ ସହଜରେ ଉନ୍ନତ ଧରଣର ଚିକିତ୍ସା ସୁବିଧା ପାଇଛନ୍ତି। ସମସ୍ତେ ରାଜ୍ୟ ସରକାରଙ୍କ ଏହି ମହତାଂକାକ୍ଷୀ ଯୋଜନାକୁ ପ୍ରଶଂସା କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଉଛନ୍ତି।

About The Author: The Sakala